india Photograph: (kanak news)
କନକ ବ୍ୟୁରୋ : ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମା ବିବାଦ ଉପରେ ଭାରତ ପୁଣି ଥରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଭାରତ ନେଦରଲାଣ୍ଡର ହେଗ୍ରେ ଥିବା ସ୍ଥାୟୀ ମଧ୍ୟସ୍ଥତା ଅଦାଲତ (ପିସିଏ)ର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛି । ଶୁଣାଣି ସମୟରେ ଭାରତ କହିଛି ଯେ, ଆମେ ଟ୍ରିବ୍ୟୁନାଲକୁ ବେଆଇନ ବୋଲି ବିବେଚନା କରୁ । ଭାରତ ଟ୍ରିବ୍ୟୁନାଲର ସପ୍ଲିମେଣ୍ଟାରୀ ଆୱାର୍ଡ ଓ କାର୍ଯ୍ୟକ୍ଷମ ତଥ୍ୟ ମଗାଯାଇଥିବା ସମନ ଗ୍ରହଣ କରିବାକୁ ମନା କରିଛି। ପାକିସ୍ତାନ ଏହି ପ୍ରସଙ୍ଗକୁ ସମଗ୍ର ଅଞ୍ଚଳ ପାଇଁ ବିପଦ ବୋଲି କହୁଛି । ଭାରତର ସଦ୍ୟତମ ନିଷ୍ପତ୍ତି ପାକିସ୍ତାନର ସଙ୍କଟକୁ ବଢ଼ାଇ ଦେଇଛି । ହେଗ୍ ସ୍ଥିତ କୋର୍ଟ ଭାରତକୁ କାଶ୍ମୀରର କିଶନଗଙ୍ଗା ଓ ରାଟଲେ ଜଳବିଦ୍ୟୁତ ପ୍ରକଳ୍ପରୁ ସମ୍ବେଦନଶୀଳ କାର୍ଯ୍ୟକ୍ଷମ ରେକର୍ଡ ତଥା ତଥ୍ୟ ପ୍ରଦାନ କରିବାକୁ ସମନ ଜାରି କରିଥିଲା । ଭାରତ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଓ ତଥ୍ୟ ପ୍ରଦାନ କରିବାକୁ ମନା କରିଛି । ଭାରତ ସରକାର ଟ୍ରିବ୍ୟୁନାଲର କ୍ଷେତ୍ରାଧିକାରକୁ ଗ୍ରହଣ କରିବାକୁ ମନା କରିଛନ୍ତି ।
ନିୟମ ଆଧାରରେ ହୋଇନି ମଧ୍ୟସ୍ଥତା ଅଦାଲତ
ବୈଦେଶିକ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ଟ୍ରିବ୍ୟୁନାଲକୁ ଜଣାଇଛି, ଭାରତ ଏହାର ନିର୍ଦ୍ଦେଶ ପାଳନ କରିବ ନାହିଁ କିମ୍ବା କାର୍ଯ୍ୟରେ ଅଂଶଗ୍ରହଣ କରିବ ନାହିଁ । ଭାରତ କହିଛି, ନିରପେକ୍ଷ ବିଶେଷଜ୍ଞ ପ୍ରକ୍ରିୟା ମଧ୍ୟରେ ଏକ ସମାନ୍ତରାଳ ମଧ୍ୟସ୍ଥତା କୋର୍ଟ ପ୍ରତିଷ୍ଠା ସିନ୍ଧୁ ଚୁକ୍ତିର ବିବାଦ ସମାଧାନ ଢାଞ୍ଚାକୁ ଉଲ୍ଲଂଘନ କରୁଛି । ଯେପର୍ଯ୍ୟନ୍ତ ଭାରତର ମୌଳିକ ସୁରକ୍ଷା ଚିନ୍ତାର ସମାଧାନ ନହୋଇଛି ଓ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନ କରିଛି, ସେପର୍ଯ୍ୟନ୍ତ ଭାରତ ଜଳବ ସମ୍ପର୍କିତ ତଥ୍ୟ ବାଣ୍ଟିବା ଅବା ମଧ୍ୟସ୍ଥତାରେ ଅଂଶଗ୍ରହଣ କରିବା ସମେତ କୌଣସି ଚୁକ୍ତିନାମା ଦାୟିତ୍ୱ ପୂରଣ କରିବାକୁ ବାଧ୍ୟ ନୁହେଁ ।
ଅଧିକ ପଢ଼ନ୍ତୁ---ଭାରତୀୟମାନଙ୍କୁ ଶିକାର ହେବାକୁ ଦେବୁ ନାହିଁ: ହ୍ୱାଟ୍ସଆପ୍ ଡାଟା ଗୋପନୀୟତା ଉପରେ ମେଟାକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ପାକିସ୍ତାନ କରୁଛି ଗୁହାରି
ପାକିସ୍ତାନ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗ ଉଠାଇଛି ଓ ବିଶ୍ୱକୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛି । ପାକିସ୍ତାନ ଜାତିସଂଘ ଓ ଅନ୍ୟାନ୍ୟ ଫୋରମରେ ଏହି ପ୍ରସଙ୍ଗ ଉଠାଇ ଆସୁଛି । ପାକିସ୍ତାନ ଅନୁରୋଧ କରିବା ସହିତ ଭାରତକୁ ଯୁଦ୍ଧର ଧମକ ମଧ୍ୟ ଦେଇଛି । ପାକିସ୍ତାନ ଏହି ପଦକ୍ଷେପକୁ ଯୁଦ୍ଧ ଭଳି କାର୍ଯ୍ୟ ବୋଲି କହୁଛି ।
Follow Us