କନକବ୍ୟୁରୋ : ଏସଆଇ୍ ପରୀକ୍ଷା କେଳେଙ୍କାରୀରେ ୧୨୦ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ହେଲେ ବଡ଼ମାଛଙ୍କ ପାଖରେ ପହଞ୍ଚିପାରିଲା ନାହିଁ । ଚକ୍ମା ଦେଇ ଛୁ ମାରିଲେ ମୁଖ୍ୟ କାର୍ପଟଦାର । ସରକାରଙ୍କ ଭାବମୂର୍ତ୍ତିରେ ଏହି ପ୍ରସଙ୍ଗ କଳାବୋଳିଛି । ଏବେ ମୁଖ୍ୟମନ୍ତ୍ରୀ ନ ଛୋଡ଼ବନ୍ଧା । ଭରସା ରଖିଛନ୍ତି ଯେ ନେତା-ଅପରାଧୀ ଲିଙ୍କ୍ର ପର୍ଦ୍ଦାଫାଶ କରିବ ସିବିଆଇ । ହଁ, ଯେକୌଣସି ମୁହୂର୍ତ୍ତରେ କାର୍ପଟଦାରମାନଙ୍କ କବାଟ ବାଡ଼େଇପାରେ ସିବିଆଇ ।
ଅଧିକ ପଢନ୍ତୁ :
କମିସନରେଟ୍ ପୁଲିସରେ ଚାଲିଛି କ’ଣ ? ପୁଲିସ ବିଭାଗର ମୁଖା ଖୋଲିଦେଲେ ମହିଳା ସବ୍-ଇନ୍ସ୍ପେକ୍ଟର ;
ପୁଲିସ ଏସ୍ଆଇ କେଳେଙ୍କାରୀ ମାମଲାରେ ଏଣ୍ଟ୍ରି ମାରିବ ସିବିଆଇ । ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ , ସପ୍ତାହକ ଭିତରେ ଓଡ଼ିଶାରେ ଡେରା ପକାଇବ ଦିଲ୍ଲୀର ଏକ ସ୍ବତନ୍ତ୍ର ଟିମ୍ । ବୁଧବାର ମୁଖ୍ୟମନ୍ତ୍ରୀ ଏହି ମାମଲାକୁ ସିବିଆଇ ହାତକୁ ଟେକି ଦେଇଥିଲେ । ଗୃହ ବିଭାଗ ପକ୍ଷରୁ ତୁରନ୍ତ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଲେଖାଯାଇଛି ଚିଠି ।
ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ଘଟଣାରେ ଅନ୍ତଃରାଜ୍ୟ ତଥା ସଙ୍ଗଠିତ ଅପରାଧୀ ଲିଙ୍କ୍ ରହିଛି । ଏଣୁ ଏହି ମାମଲାର ତଦନ୍ତ ସିବିଆଇ କରୁ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି ସିବିଆଇ । ଖବର ଅନୁସାରେ, ସପ୍ତାହକ ଭିତରେ ଆସିଯିବେ ସ୍ବତନ୍ତ୍ର ଟିମ୍ । ଖୋଜିବେ କିଏ ବିକ୍ରି କରୁଥିଲା ପୁଲିସ ଚାକିରି ? କିଏ ଓ କେମିତି କରିଥିଲେ ଡିଲ୍ ? ମାଷ୍ଟରମାଇଣ୍ଡକୁ ବି ଖୋଜିବ । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କିନ୍ତୁ ଅଧିକାରୀ, ନେତା ଓ କାର୍ପଟଦାରଙ୍କ ଛାତି ଧଡ଼ ଧଡ଼ ହେଲାଣି ।
ଅଧିକ ପଢନ୍ତୁ :
ପୁରୁଷ ଚିହ୍ନିଲେ ପୁରୁଷ ମନ : ଦୀପାବଳିରେ କଲେ ଏମିତି କାମ ; ବାଃ ବାଃ କରୁଛି ସୋସିଆଲ୍ ମିଡିଆ
ଏସଆଇ ପରୀକ୍ଷା ପ୍ରସଙ୍ଗରେ ସରକାରଙ୍କୁ ଘେରି ରାଜରାସ୍ତାକୁ ଓହ୍ଲାଇ ଥିଲେ ବିରୋଧୀ । ବ୍ୟବସ୍ଥା ଓ ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ବୟାନବାଜି । ନବୀନ ପଟ୍ଟନାୟକ ସରକାର ସମୟରେ ଜଳସମ୍ପଦ ବିଭାଗ ଦୁର୍ନୀତି ମାମଲାରେ ପଶିଥିଲା ସିବିଆଇ। ପରେ ପରେ ମନରେଗା , ଷ୍ଟିଲ୍ ବଣ୍ଡ, ଇତିଶ୍ରୀ ମାମଲା ଓ ଚିଟ୍ଫଣ୍ଡ ମାମଲାରେ ସିବିଆଇ ତଦନ୍ତ ଦେଖିଛି ଓଡ଼ିଶା। ଏବେ ସିବିଆଇ ଯୁବ ବର୍ଗର ଭରସା ଜିତୁଛି କି କାର୍ପଟଦାର ଚକ୍ମା ଦେବେ ତା’ ଉପରେ ନଜର ।
ସେପଟେ ଏସଆଇ ପରୀକ୍ଷା ଦୁର୍ନୀତି ନେଇ ରାଜ୍ୟରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏନେଇ ଏବେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି।
ବିଜେପି ପକ୍ଷରୁ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ଆମ ସରକାର ଆସିବା ପରେ ପ୍ରତି ସମୟରେ ପିଲାଙ୍କ ଚାକିରୀକୁ ନେଇ ପରୀକ୍ଷାରେ ଯେତେ ସ୍ୱଛତା ଆସିପାରିବ ସେ ଆଧାରରେ କାମ ଆରମ୍ଭ ହୋଇଛି। ଯେଉଁ ଆଇନ ଆଣିଥିଲୁ ସ୍ଵଛତାରେ ଯେଉଁମାନେ ବ୍ୟାହତ କରୁଛନ୍ତି ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ।
ପୁଲିସ ଏସଆଇ ପରୀକ୍ଷାକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମଧ୍ୟ ଠିକ୍ ଥିଲା। ଦୀର୍ଘ ଦିନ ଧରି ନିଯୁକ୍ତି ବନ୍ଦ ଥିଲା. ଏବେ ସବୁ ଖାଲି ପଦବୀ ପୂରଣ ପାଇଁ ବଡ଼ ସ୍କେଲରେ ନିଯୁକ୍ତି କରା ଯାଉଛି । ସେ କଥାକୁ ଯେତେ ସ୍ଵଛ କରାଯାଇ ପାରିବ ତାକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯାଇଛି। ସମସ୍ତେ ନିଶ୍ଚିନ୍ତ ହୋଇ ପରୀକ୍ଷା ଦେବେ। କିଛି ଲୋକ ଲମ୍ବା ସମୟ ଧରି ଯେଉଁ ଅଭ୍ୟାସ ଥିଲା ତାର ପୁନରାବୃତ୍ତି କରାଉଛନ୍ତି । ସେଥିରେ ରୋକ ଲାଗିବ । ସିବିଆଇ ତଦନ୍ତ ଭାର ନେଇ କହିଛନ୍ତି ସମୟ ଆସିଲେ ଜଣା ପଡିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
ପ୍ରଶ୍ନ ପଚାରିବାରେ ବିଜେଡିର ନୈତିକ ଅଧିକାର ନାହିଁ
ପରୀକ୍ଷା ପ୍ରସଙ୍ଗ ନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପାରଦର୍ଶୀ ସରକାର। ଏସଆଇ ପରୀକ୍ଷା ଦୁର୍ନୀତିରେ ଅନ୍ତଃରାଜ୍ୟ ଲିଙ୍କ ବାହାରୁଛି। ଯେଉଁମାନେ କରୁଥିଲେ ଆଗରୁ ଥିବା ଶକ୍ତି କେନ୍ଦ୍ରଠୁ ପ୍ରୋତ୍ସାହନ ପାଉଥିଲେ। ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। ପ୍ରଶ୍ନ ପଚାରିବାରେ ବିଜେଡିର ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି।
ନୂଆପଡାରେ ଜନ ସାଧାରଣ ମନ ବଳାଇଛନ୍ତି ବିଜେପିକୁ ଆଶୀର୍ବାଦ ଦେବେ। ଆମେ ୮୦୦ ଟଙ୍କା ବୋନସ ସହ ସୁଭଦ୍ରାରେ ମା’ମାନଙ୍କୁ ଟଙ୍କା ଦେଇଛୁ। ବିଜେପି ସରକାର ନିର୍ବାଚନ ଘୋଷଣା ହେବା ପୂର୍ବରୁ ନୂଆପଡା ବାସୀଙ୍କ ଦାବିକୁ ପୂରଣ କରିଛନ୍ତି। ବିଜେପିକୁ ବିପୁଳ ମାତ୍ରରେ ଆଶୀର୍ବାଦ ଦେବେ ବୋଲି ଟଙ୍କଧର ତ୍ରିପାଠୀ କହିଛନ୍ତି।
ଏସଆଇ ପରୀକ୍ଷା ଦୁର୍ନୀତି ସିବିଆଇ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ସିବିଆଇ ତଦନ୍ତରେ ପ୍ରକୃତ ଦୋଷୀ ଧରା ପାଇବ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ଏଥିରେ ବଡ଼ ବଡ଼ ପଦାଧିକାରୀଙ୍କ ସମ୍ପୃକ୍ତି ଥାଇପାରେ। ଯେହେତୁ ଏହାର ଚେର ଅନ୍ୟ ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି ଆମ କ୍ରାଇମବ୍ରାଞ୍ଚ ରାଜ୍ୟର ସୀମା ଡେଇଁ ପାରିବ ନାହିଁ। ଏଣୁ ସିବିଆଇ ତଦନ୍ତ ସ୍ବାଗତ ଯୋଗ୍ୟ ବୋଲି ଗଣେଶ୍ୱର ବେହେରା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/23/28-2025-10-23-19-48-51.jpg)