କନକ ବ୍ୟୁରୋ : ଇଆହତ କାରଣରୁ ଟିମ୍ ଇଣ୍ଡିଆର ODI ଅଧିନାୟକ ଶୁଭମନ ଗିଲଙ୍କ ପଡ଼ିଆକୁ ଫେରିବା ବିଳମ୍ବିତ ହୋଇଛି । ଗିଲ୍ ସିକ୍କିମ ବିପକ୍ଷରେ ବିଜୟ ହଜାରେ ଟ୍ରଫି ମ୍ୟାଚ୍ ପାଇଁ ଫେରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ସେ ଏଥିରେ ଅଂଶଗ୍ରହଣ କରିପାରି ନଥିଲେ । ରିପୋର୍ଟ ଅନୁଯାୟୀ ପଞ୍ଜାବ ପାଇଁ ଖେଳିବାକୁ ପ୍ରସ୍ତୁତ ହେଉଥିବା ଶୁଭମନ ମ୍ୟାଚ୍ ପୂର୍ବରୁ ହିଁ ଅସୁସ୍ଥ ହୋଇପଡ଼ିଲେ ଯାହା ତାଙ୍କୁ ବାହାରେ ବସିବାକୁ ବାଧ୍ୟ କରିଥିଲା । ସଂଯୋଗବଶତଃ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ODI ସିରିଜ୍ ପାଇଁ ଚୟନ ହେବା ଦିନ ହିଁ ଗିଲଙ୍କ ଅସୁସ୍ଥତାର ଖବର ଆସିଥିଲା । ଏହା ପ୍ରଶ୍ନ ଉଠାଉଛି ଯେ ସେ ସିରିଜ୍ ପାଇଁ ଫିଟ୍ ହେବେ କି ନାହିଁ । ଜାନୁଆରୀ ୩ ତାରିଖ ଶନିବାରରେ ବିଜୟ ହଜାରେ ଟ୍ରଫିରେ ପଞ୍ଜାବ ଏବଂ ସିକ୍କିମ ମଧ୍ୟରେ ମୁକାବିଲା ହେବାର ଥିଲା । ଏହି ମ୍ୟାଚ୍ ଦ୍ବାରା ଗିଲଙ୍କ ପ୍ରତ୍ୟାବର୍ତ୍ତନ ହୋଇଥା’ନ୍ତା । ଗିଲ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ODI ସିରିଜ ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ଦୁଇଟି ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ଥିଲା । ଏହାର ପ୍ରଥମ ମ୍ୟାଚ୍ ସିକ୍କିମ ବିପକ୍ଷରେ ଥିଲା କିନ୍ତୁ ମ୍ୟାଚ୍ ପୂର୍ବରୁ ଖାଦ୍ୟ ଖାଇବା ପରେ ଶୁଭମନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ସୂତ୍ରକୁ ଉଦ୍ଧୃତ କରି ସ୍ପୋର୍ଟଷ୍ଟାର ରିପୋର୍ଟରେ କୁହାଯାଇଛି ଯେ ଗିଲ ଫୁଡ୍ ପଏଜନିଂରେ ପୀଡ଼ିତ ଥିଲେ ଯାହା ଫଳରେ ତାଙ୍କୁ ମ୍ୟାଚରୁ ବାଦ୍ ଦିଆଯାଇଥିଲା ।

Advertisment

ଅଧିକ ପଢ଼ନ୍ତୁ : କିଙ୍ଗ୍ କୋହଲି ଅନ୍ ଫାୟାର୍ .. ପ୍ରଶ୍ନ ନୁହେଁ ଆଉ କେତେ ବର୍ଷ ଖେଳିବେ? ପ୍ରଶ୍ନ , କିଏ ତାଙ୍କୁ ଖେଳିବାରୁ ଅଟକାଇବ?

Subhman
Subhman Photograph: (Google)

ଖାସ୍ ଏହି ମ୍ୟାଚ୍ ପାଇଁ ଶୁଭମନ ଶୁକ୍ରବାର ବିଳମ୍ବିତ ରାତିରେ ଚଣ୍ଡିଗଡ଼ରୁ ଜୟପୁରରେ ପହଞ୍ଚିଥିଲେ । ବର୍ତ୍ତମାନ ତାଙ୍କୁ ଜାନୁଆରୀ ୬ ତାରିଖରେ ଗୋଆ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଏହି ମ୍ୟାଚ୍ ପାଇଁ ଗିଲ୍ ସହିତ ଆସିଥିବା ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଦଳର ଅଂଶ ଥିଲେ ଏବଂ ପ୍ରଥମ ଦୁଇ ଓଭରରେ ଗୋଟିଏ ୱିକେଟ୍ ନେଇଥିଲେ । କ୍ରିକେଟରଙ୍କ ଅସୁସ୍ଥତାର ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି କାରଣ ଶନିବାର ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଚୟନ ହେବାକୁ ଯାଉଛି । ସେ ଦିନିକିଆ ସିରିଜ୍ ଖେଳିବା ପାଇଁ ଫିଟ୍ ହେବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି । ଗତବର୍ଷ ଅକ୍ଟୋବରରେ ଗିଲଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା କିନ୍ତୁ ସେବେଠାରୁ ସେ ତାଙ୍କର ପ୍ରଥମ ଅଷ୍ଟ୍ରେଲିଆ ଗସ୍ତରେ କେବଳ ତିନୋଟି ମ୍ୟାଚ୍ ହିଁ ଖେଳିଛନ୍ତି । ଟେଷ୍ଟ ସିରିଜ୍ ସମୟରେ ଆହତ ହୋଇଥିବାରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଖେଳିପାରି ନଥିଲେ ।

ତେବେ ପିଲାବେଳୁ କ୍ରିକେଟ୍ ପ୍ରତି ଶୁଭମନଙ୍କ ଅହେତୁକ ଦୁର୍ବଳତା ଥିଲା । ଗିଲଙ୍କ ବାପା ମଧ୍ୟ ପୁଅକୁ କ୍ରିକେଟର୍ ବନାଇବାକୁ ଚାହୁଥିଲେ ଏବଂ ଏଥିପାଇଁ ପରିଶ୍ରମରେ ହେଳା ମଧ୍ୟ କରିନଥିଲେ । ବାପା ପେସାରେ କୃଷକ ଥିଲେ । ପୁଅର କ୍ରିକେଟ୍ ପ୍ରତି ଆଗ୍ରହ ଥିବା ଦେଖି ସେ ଶୁଭମନଙ୍କୁ କ୍ରିକେଟ୍ ଖେଳିବା ପାଇଁ ପ୍ରେରଣା ଯୋଗାଇ ଆସୁଥିଲେ । ପଞ୍ଜାବର ଫାଜିଲ୍କା ଅଞ୍ଚଳରେ ରହୁଥିବା ଗିଲଙ୍କ ପରିବାର ପୁଅର ଭବିଷ୍ୟତ ପାଇଁ ମୋହାଲୀ ଚାଲିଆସିଲେ । ୮ ବର୍ଷର ଶୁଭମନଙ୍କୁ ବାପା ମୋହାଲୀ କ୍ରିକେଟ୍ ଏକାଡେମୀରେ ଭର୍ତ୍ତି କରାଇଲେ । ପିଲାବେଳୁ ସମୟାନୁବର୍ତ୍ତିତା ଥିବା ଶୁଭମନ୍ ଭୋରରୁ ଏକାଡେମୀ ଆସି ୨ ଘଣ୍ଟା ବ୍ୟାଟିଂର ତାଲିମ ନେବା ପରେ ସ୍କୁଲ୍ ଯାଉଥିଲେ । ଯେହେତୁ କ୍ରିକେଟରେ କ୍ୟାରିୟର୍ ଗଢ଼ିବା ତାଙ୍କ ଲକ୍ଷ୍ୟ ଥିଲା ତେଣୁ ସେ ଦ୍ବାଦଶ ଯାଏଁ ହିଁ ପାଠ ପଢ଼ିଥିଲେ । ପୂର୍ବତନ ଦ୍ରୁତ ବୋଲର୍ କରସନ୍ ଘାବରୀ ଭଲ ବ୍ୟାଟିଂ କରୁଥିବା ଖେଳାଳିଙ୍କ ସନ୍ଧାନରେ ଥିଲେ । ସେତେବେଳେ ସେ BCCI ପକ୍ଷରୁ ଦ୍ରୁତ ବୋଲର ଚୟନ କରିବାର ଏକାଡେମୀର ପ୍ରଭାରୀ ଥିଲେ । ଭଲ ବୋଲର୍ ସହ ବ୍ୟାଟ୍ସମ୍ୟାନ୍ ଚୟନ କରିବା ପାଇଁ ସେ ମୋହାଲୀ ଏକାଡେମୀ ଆସିଥିଲେ । ଯେଉଁଠାରେ ପ୍ରଥମଥର ପାଇଁ ତାଙ୍କ ନଜର ଶୁଭମନଙ୍କ ଉପରେ ପଡ଼ିଥିଲା । ଏହାପରେ ସେ ଗିଲଙ୍କ ବାପାଙ୍କ ଅନୁମତି ନେଇ ପୁଅଙ୍କୁ ନେଟ୍ସରେ ଅଭ୍ୟାସ କରାଇଲେ । ଏହାପରେ ଆଉ କ’ଣ ବିଲେଇ କପାଳକୁ ସିକା ଛିଡ଼ିଲା ପରି ଗିଲଙ୍କ ଉଜ୍ଜ୍ବଳ ଭବିଷ୍ୟତର ଗାଡ଼ି ଏହିଠାରୁ ହିଁ ଏକ୍ସିଲେଟର୍ ମାରିବା ଆରମ୍ଭ କରିଥିଲା । ୧୧ ବର୍ଷ ବୟସରେ ନେଟ୍ସରେ ସେ ଅଣ୍ଡର୍ ୧୯ କ୍ରିକେଟ୍ ଟିମ୍ ସହ ଅଭ୍ୟାସ କରିବା ଆରମ୍ଭ କରିଥିଲେ । ଆଉ ଏମିତି ଜଣେ କୃଷକ ବାପାଙ୍କ ପୁଅ କ୍ରିକେଟ୍ ଦୁନିଆରେ ଅଜସ୍ର ସଫଳତା ହାସଲ କରିଥିଲେ ।