କନକ ବ୍ୟୁରୋ: ଭାରତୀୟ ଟ୍ବେଣ୍ଟି-୨୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ସମ୍ପୂର୍ଣ୍ଣ ଫିଟ୍ ହୋଇଥିବା ଶ୍ରୀୟଙ୍କା ପାଟିଲ । ଚଳିତ ବର୍ଷ ଫେବ୍ରୁଆରି-ମାର୍ଚ୍ଚରେ ହେବାକୁଥିବା ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ତାଙ୍କୁ ଦଳରେ ସ୍ଥାନ ମିଳିଛି । ଶେଷ ଥର ଲାଗି ଶ୍ରୀୟଙ୍କା ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଖେଳିଥିଲେ । ଗତ ବର୍ଷ ସେ ଏକାଧିକ ଥର ଆହତ ଜନିତ ସମସ୍ୟାରେ ପଡ଼ିବାରୁ ଡବ୍ଲୁପିଏଲ୍ ସହ ଅନ୍ତର୍ଜାତୀୟ ମ୍ୟାଚ୍ ହାତଛଡ଼ା କରିଥିଲେ । ଚଳିତ ବର୍ଷ ସେ ସଂପ୍ରତି ଚାଲିଥିବା ଡବ୍ଲୁପିଏଲ୍କୁ ପ୍ରତ୍ୟାବର୍ତ୍ତନ କରି ଆର୍ସିବି ପକ୍ଷରୁ ଖେଳୁଛନ୍ତି । ଗତ ଶୁକ୍ରବାର ଗୁଜରାଟ ଜାଏଣ୍ଟ୍ସ ବିପକ୍ଷରେ ସେ ୫ ୱିକେଟ୍ ସଫଳତା ପାଇ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ଚୟନକର୍ତ୍ତାଙ୍କୁ ଆକର୍ଷଣ କରିଥିଲେ । ତାଙ୍କ ସହ ଦଳକୁ ମଧ୍ୟକ୍ରମ ବ୍ୟାଟର୍ ଭାରତୀ ପୁଲମାଳି ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଏହା ବି ପଢ଼ନ୍ତୁ: ୯ ବର୍ଷ ପରେ କଳିଙ୍ଗକୁ ଫେରିଲା ହକି ଇଣ୍ଡିଆ ଲିଗ୍ ; ଦର୍ଶକ ଦେଖିବେ ଦମ୍ଦାର ଟକ୍କର
୨୦୧୯ରେ କେବଳ ୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଫୁଲମାଳି ଗତ ଡବ୍ଲୁପିଏଲ୍ ଋତୁରେ ୬ ମ୍ୟାଚ୍ ଖେଳି ୧୭୨.୭୨ ଷ୍ଟ୍ରାଇକ୍ରେଟ୍ରେ ୧୩୩ ରନ୍ କରିଥିଲା ବେଳେ ଚଳିତ ଋତୁରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ମୁମ୍ବାଇ ବିପକ୍ଷରେ ୧୯ ବଲ୍ରୁ ୩୬ ଓ ଆର୍ସିବି ବିପକ୍ଷରେ ୨୦ ବଲ୍ରୁ ୩୯ ରନ୍ କରି ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲେ ଫୁଲମାଳି । ତେବେ ଗତ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଖେଳିଥିବା ହର୍ଲିନ ଦେଓଲ କେବଳ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇ ନ ଥିଲା ବେଳେ ଦିନିକିଆ ଦଳରେ ରହିଛନ୍ତି । ଜି. କମଳିନୀ ଓ କାଶ୍ଭୀ ଗୌତମ ଦିନିକିଆ ଦଳ ଜାଗା ପାଇଥିଲା ବେଳେ ବିଶ୍ବକପ୍ ବିଜେତା ଦଳରେ ଥାଇ ମଧ୍ୟ ଗୋଟିଏ ହେଲେ ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିବା ରାଧା ଯାଦବ ଓ ଅରୁନ୍ଧତୀ ରେଡ୍ଡୀ ବାଦ୍ ପଡ଼ିଛନ୍ତି । ତେବେ ଏକମାତ୍ର ଟେଷ୍ଟ୍ ଲାଗି ଭାରତୀୟ ଦଳ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ବିସିସିଆଇ କହିଛି। ୩ଟି ଯାକ ଟ୍ବେଣ୍ଟି-୨୦ ଫେବ୍ରୁଆରି ୧୪ରେ ସିଡ୍ନି, ୧୯ରେ ମନୁକା ଓଭାଲ ଓ ୨୧ରେ ଆଡିଲେଡ୍ରେ ଖେଳାଯିବ। ଏହାପରେ ୩ ଦିନିକିଆ ଯଥାକ୍ରମେ ଫେବ୍ରୁଆରି ୨୪ (ବ୍ରିସ୍ବେନ୍) ଏବଂ ଫେବ୍ରୁଆରି ୨୭ ଓ ମାର୍ଚ୍ଚ ୧ (ହୋବାର୍ଟ)ରେ ଖେଳାଯିବ । ଏହାପରେ ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ମାର୍ଚ୍ଚ ୬ରୁ ୯ ତାରିଖ ପର୍ଯ୍ୟନ୍ତ ପର୍ଥରେ ଖେଳି ଅଷ୍ଟ୍ରେଲିଆ ଗସ୍ତ ଶେଷ କରିବା ଭାରତୀୟ ମହିଳା ଦଳ ।
Follow Us