କନକ ବ୍ୟୁରୋ : ଗୋପାଳନ ଏକ ଲାଭଦାୟକ ଚାଷ ହୋଇପାରେ, ବିଶେଷକରି ଓଡ଼ିଶାରେ। ଯଦି ସଠିକ୍ ଯୋଜନା, ଉନ୍ନତ ପ୍ରଜାତି ଓ ସରକାରୀ ସହାୟତା ପ୍ରଦାନ କରାଯାଏ। କେବଳ ଦୁଗ୍ଧରୁ ନୁହେଁ, ଗୋବର ଖତ, ଗୋମୂତ୍ର, ବାଛୁରି ବିକ୍ରି ଓ ଅନ୍ୟାନ୍ୟ ଉପ-ଉତ୍ପାଦରୁ ମଧ୍ୟ ଆୟ କରିଥାନ୍ତି ନିବେଶକାରୀ। ଠିକ୍ ଏହିଭଳି ଗୋପାଳନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ କର୍ମନିଯୁକ୍ତି ଦେଇ ଉଦାହରଣ ପାଲଟିଛନ୍ତି ଜଣେ ବ୍ୟକ୍ତି। ସେ ହେଉଛନ୍ତି ଭଦ୍ରକ ଚାନ୍ଦବାଲି ବ୍ଲକ ଜାଗୁଳା ପଞ୍ଚାୟତର ଉଦ୍ୟମୀ ଯୁବକ ମୃଣ୍ମୟ ଜେନା। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗୀ ଯୋଜନାରେ ଉପକୃତ ହେବା ପାଇଁ ମୃଣ୍ମୟ ଆବେଦନ କରିଥିଲେ ମଧ୍ୟ ଏଯାଏ ତାଙ୍କୁ ସରକାରୀ ସହାୟତା ମିଳିନାହିଁ। ନିରାଶ ନହୋଇ ଦୃଢ଼ ଇଚ୍ଛା ଶକ୍ତି ବଳରେ ସେ ନିଜସ୍ୱ ଉଦ୍ୟମରେ ସଫଳତା ପାଇପାରିଛନ୍ତି। ୧୦ଟି ଗାଈ ଏବଂ ଆନୁଷଙ୍ଗିକ ସରଞ୍ଜାମ, ଗୁହାଳ, ଗୋ-ଖାଦ୍ୟ ଆଦିରେ ମୃଣ୍ମୟ ପ୍ରାୟ ୧୦ଲକ୍ଷ ଟଙ୍କା ବ୍ୟୟ କରିଥିବା କୁହନ୍ତି। ଦୈନିକ ସେ ୯୦ ରୁ ୧୦୦ ଲିଟର ପର୍ୟ୍ୟନ୍ତ ଦୁଗ୍ଧ ଉତ୍ପାଦନ କରୁଛନ୍ତି, ଯାହାର ବଜାର ମୂଲ୍ୟ ହାରାହାରି ୪ହଜାର ଟଙ୍କା ହେବ। ଏହି ଅନୁପାତରେ ଦୁଗ୍ଧ ଉତ୍ପାଦନରୁ ମାସକୁ ପ୍ରାୟ ୧ଲକ୍ଷ ୨୦ହଜାର ଟଙ୍କା ରୋଜଗାର କରୁଛନ୍ତି।
ଅଧିକ ପଢ଼ନ୍ତୁ : ଗୋପାଳନରୁ ପରିବାର ପ୍ରତିପୋଷଣ, ଦିନକୁ ୬୦ରୁ ୭୦ ଲିଟର କ୍ଷୀର ସଂଗ୍ରହ
ଗୋପାଳନରୁ ବାହାରୁଥିବା ବର୍ଜ୍ୟ ବସ୍ତୁକୁ ମଧ୍ୟ ମୃଣ୍ମୟ ଚାଷକାର୍ଯ୍ୟରେ ଉପଯୋଗ କରିଛନ୍ତି। ପନିପରିବା ଚାଷ, ଧାନ, ବିଦେଶୀ ବରକୋଳି, ଗୁଆ, ନଡ଼ିଆ, ପାନ ବରଜ, ମାଛ ଚାଷ ଏବଂ କୁକୁଡ଼ା ଚାଷରୁ ଲାଭବାନ ହୋଇପାରିଛନ୍ତି ଏହି ଯୁବଚାଷୀ। ଧାମରା ବଜାରରେ ମୃଣ୍ମୟଙ୍କରଏକ ଫୁଲ ଦୋକାନ ସହିତ କୁକୁଡ଼ା ମାଂସ ଦୋକାନ ମଧ୍ୟ ରହିଛି। ଯେଉଁଥିରେ ସେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ କର୍ମନିଯୁକ୍ତି ଦେଇଛନ୍ତି। ନିଜ ବାଡ଼ି ବଗିଚାରୁ ଆମଦାନୀ କରୁଥିବା ଫୁଲକୁ ଗାଡ଼ି ସାଜସଜା, ମନ୍ଦିର ସାଜସଜ୍ଜା ଏବଂ ବିକ୍ରିକରୁଥିବା ବେଳେ ମାଛ କୁକୁଡ଼ା ଅଣ୍ଡା ବିକ୍ରି କରି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ମୁଣ୍ମୟ ଜେନାଙ୍କୁ ଏସବୁ କାର୍ଯ୍ୟରେ ତାଙ୍କ ପରିବାର ଲୋକମାନେ ମଧ୍ୟ ସହଯୋଗ କରିଥାନ୍ତି। ଆଜି କାଲିର ଯୁବପିଢ଼ି ଉଚ୍ଚଶିକ୍ଷା ଲାଭ କରି ଚାକିରି ପଛରେ ଧାଇଁ ବିଫଳ ହେବାପରେ ଭାଙ୍ଗିପଡ଼ୁଥିବା ଦେଖିବାକୁ ମିଳେ। ଏଭଳି ଯୁବକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଉଦ୍ୟମୀ ଯୁବକ ମୃଣ୍ମୟ ଜେନା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/08/soumya-2026-2026-02-08-22-31-58.jpg)