New Panjika Photograph: (Kanak News)
କନକ ବ୍ୟୁରୋ : ଦୋଳ ପୂର୍ଣ୍ଣିମାରେ ପ୍ରଚଳନ ହେବ ଓଡ଼ିଆ ପାଞ୍ଜି । କେମିତି କଟିବ ଚଳିତ ବର୍ଷ ? ରାଜ୍ୟ ଓ ଦେଶରେ ରାଜନୈତିକ ଓ ଆର୍ଥିକ ସ୍ଥିତି କିପରି ରହିବ ? ପ୍ରାକୃତିକ ଦୁର୍ବିପାକ ସାଧାରଣ ଲୋକଙ୍କୁ କେତେ ପ୍ରଭାବିତ କରିବ, ଏସବୁ ନେଇ ଭବିଷ୍ୟବାଣୀ କରିଛି ଓଡ଼ିଶାର ବିଭିନ୍ନ ପାଞ୍ଜି ।
ଦୋଳ ପୂର୍ଣ୍ଣିମାରେ ପ୍ରଚଳନ ହେବ ନୂଆ ପାଞ୍ଜି । ଦେଶ ଓ ରାଜ୍ୟରେ ବର୍ଷଯାକ କ’ଣ ହୋଇପାରେ ତାହା ପାଞ୍ଜିରେ ଉଲ୍ଲେଖ ରହିଛି । ଖଡ଼ୀରତ୍ନ ପାଞ୍ଜି ଅନୁସାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇପାରେ । ଭୂକମ୍ପ, ରାସ୍ତା ଦୁର୍ଘଟଣାର ଯୋଗ ରହିଛି। ଅଦିନିଆ ବର୍ଷା ଯୋଗୁ ଚାଷକାମ ବ୍ୟାଘାତ ହେବା ସମ୍ଭାବନା ରହିଛି । ହେଲେ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ଭଲ ସ୍ଥିତିରେ ରହିବ । ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ଅଗ୍ରଗତି ରହିଛି । ସେହିପରି ଖଡ଼ୀରତ୍ନ ପାଞ୍ଜି କହୁଛି, ଦେଶରେ ନକ୍ସଲ ବିଲୋପ ପାଇଁ ବଡ଼ ଘୋଷଣା ହୋଇପାରେ । ବର୍ଷର ମଧ୍ୟଭାଗରେ ବର୍ଷାଭୟ ସହ ଭୂକମ୍ପ, ଅଗ୍ନିଭୟ ସହ ରାସ୍ତା ଦୁର୍ଘଟଣା ଯୋଗ ରହିଛି ।
ଅଧିକ ପଢ଼ନ୍ତୁ : ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ; ସକାଳ ୬ଟା ୨୦ରୁ ହାଣ୍ଡିଛାଡ଼
ଭାଗ୍ୟଦୀପ ଖଡ଼ୀରତ୍ନ ପଞ୍ଜିକାର ତଥ୍ୟ କିନ୍ତୁ ଅଲଗା । ପାଞ୍ଜି କହୁଛି, ରାଜ୍ୟରେ ଶାସନ କ୍ଷେତ୍ରରେ ସ୍ଥାଣୁତା ଦେଖାଦେବ । ମାନ୍ଦାବସ୍ଥା ଦେଖାଦେବ । କୃଷିକ୍ଷେତ୍ରରେ ବିଶେଷ ଉନ୍ନତି ହେବ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇପାରେ । ଦରବୃଦ୍ଧି ଯୋଗୁଁ ଲୋକ ହନ୍ତସନ୍ତ ହେବେ । ସେହିପରି ଦେଶର ରାଜନୀତିରେ ବିରୋଧୀ ଦଳର ପ୍ରଭାବ ବଢିବ । ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଉନ୍ନତି ହେବ । ନିତ୍ୟବ୍ୟବହାର୍ଯ୍ୟ, ତୈଳ, ଶସ୍ୟ ଦରଦାମ୍ ବଢ଼ିବ । ତୃତୀୟ ଗୃହଯୁଦ୍ଧ ଆଶଙ୍କା ରହିଛି । ଭାରତ ବିଶ୍ବରେ ଶକ୍ତିଶାଳୀ ଦେଶ ହେବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ଔଷଧ ଆସିବ ।
କୋହେନୂର ପାଞ୍ଜିର ତଥ୍ୟ ଉପରେ, ରାଜ୍ୟରେ ଶସ୍ୟ ଉତ୍ପାଦନ କମିବ । ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ। ବଡ଼ ନେତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ହେବ । ଅନେକ ଦୁର୍ଘଟଣା ସହ ଅଗ୍ନିକାଣ୍ଡ ଘଟିବ । ଶିଳ୍ପ ବାଣିଜ୍ୟ ବିକାଶ ପାଇଁ ଭଲ ସମୟ ରହିଛି । କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିବ ରାଜ୍ୟ । ସେହିପରି ଦେଶ ଦେଶ ମଧ୍ୟରେ ସମ୍ପର୍କରେ ବୃଦ୍ଧି ଘଟିବ । ପଡ଼ୋଶୀ ଶତ୍ରୁ ସହ ଆତ୍ମଘାତୀ ଆକ୍ରମଣ ଦେଖାଦେଇପାରେ । ଜନହିତକର କାର୍ଯ୍ୟ ପାଇଁ ପ୍ରଶଂସା ପାଇବେ କେନ୍ଦ୍ର ସରକାର ।
ରାଧାରମଣ ପ୍ରେସ୍ ଖଡ଼ୀରତ୍ନ କହୁଛି, ରାଜ୍ୟରେ ପ୍ରଚଣ୍ଡ ଖରା ଓ ବର୍ଷା ପାଇଁ ଚାଷ କମିବ । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିବ । ଓଡ଼ିଶାରେ ଶାସନ କ୍ଷେତ୍ରରେ ବାରମ୍ବାର ପରିବର୍ତ୍ତନ ହେବ । ହିଂସା ସହ ଅନ୍ୟ ଅପରାଧ ମଧ୍ୟ ବଢିବ । ପ୍ରାକୃତିକ ବିପର୍ଯ୍ୟୟ ସହ ସର୍ପାଘାତ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଧର୍ମଗ୍ରନ୍ଥ ପାଞ୍ଜି ମଧ୍ୟ ସମାନ କଥା କହୁଛି, ଓଡ଼ିଶାରେ ଅଦିନିଆ ମେଘର ପରିମାଣ ବଢ଼ିବ । ଭୂକମ୍ପ, ସଡ଼କ ଦୁର୍ଘଟଣା ଯୋଗ ରହିଛି । ଦେଶରେ ବର୍ଷା ସହ ଅଗ୍ନିଭୟ ଦେଖାଦେବ ।
Follow Us