କନକ ବ୍ୟୁରୋ : ଆସନ୍ତାକାଲି ଚନ୍ଦ୍ରଗ୍ରହଣ। ଦୋଳ ପୂର୍ଣ୍ଣିମା ଅବସରରେ ଲାଗୁଛି ଗ୍ରହଣ । ସକାଳ ୬ଟା ୨୦ରୁ ପାକତ୍ୟାଗ ରହିଥିବାବେଳେ ସନ୍ଧ୍ୟା ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ । ଏଥିପାଇଁ ସୂର୍ଯ୍ୟୋଦୟରୁ ଗ୍ରହଣ ଛାଡ଼ିବା ପର୍ଯ୍ୟନ୍ତ ପାକକର୍ମ ଓ ଦେବନୀତି ନିଷେଧ ।
ମଙ୍ଗଳବାର ଦୋଳପୂର୍ଣ୍ଣିମାରେ ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ । ଏହାର ୯ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୬ଟା ୨୦ ମିନିଟ୍ରୁ ହେବ ପାକତ୍ୟାଗ ବା ହାଣ୍ଡିଛାଡ଼ । ସନ୍ଧ୍ୟା ୬ଟା ୪୭ ମିନିଟ୍ରେ ହେବ ସର୍ବମୋକ୍ଷ । ସୂର୍ଯ୍ୟୋଦୟରୁ ଗ୍ରହଣ ଛାଡ଼ିବା ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ପାକତ୍ୟାଗ ସମୟରୁ ଗ୍ରହଣ ସ୍ପର୍ଶ ପର୍ଯ୍ୟନ୍ତ ଅନ୍ନ ଭୋଜନ ନିଷେଧ କରିବା ସହ ହାଲୁକା ଓ ଶୁଖିଲା ଖାଦ୍ୟ ଗ୍ରହଣ କରିବାକୁ ପାଞ୍ଜିରେ ପରାମର୍ଶ ଦିଆଯାଇଛି । ତେବେ ବୃଦ୍ଧ, ଶିଶୁ, ରୋଗୀ ଓ ଗର୍ଭବତୀଙ୍କ ପାଇଁ ଲାଗିବନି ଏହି କଟକଣା । ସନ୍ଧ୍ୟା ୬ଟା ୫୦ ମିନିଟ୍ ପରେ ସ୍ନାନ ସାରି ଦେବ ପୂଜା ଓ ଅନ୍ନଗ୍ରହଣ କରିହେବ ।
ଅଧିକ ପଢ଼ନ୍ତୁ : ଗତ ୨୮ରେ ଶ୍ରୀମନ୍ଦିରରେ ନୀତି ବିଳମ୍ବ ପ୍ରସଙ୍ଗ, ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର ମହାସୁଆର ନିଯୋଗ
ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଛି । ସେଥିପାଇଁ ଗ୍ରହଣ ଛାଡ଼ିବା ପରେ ଦୋଳନୀତି କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରହଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୀତିକାନ୍ତି ସଅଳ କରାଯାଇଛି । ଆଜି ରାତି ୩ଟା ୩୫ରୁ ଦ୍ୱାରଫିଟା ହୋଇ ରାତି ୧୧ଟାରେ ରାତ୍ର ପହୁଡ଼ ହେବ । ଆଜି ମେଣ୍ଢାପୋଡ଼ି ନୀତି ଦୋଳ ବେଦିରେ ଅନୁଷ୍ଠିତ ହେବ । ତେବେ ଗ୍ରହଣ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୋଳନୀତି ଏଥର ରାତିରେ ଅନୁଷ୍ଠିତ ହେବ । ରାତିସାରା ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ହେଲେ ଗ୍ରହଣ ପାଇଁ ଦିନରେ ଶ୍ରୀଜିଉଙ୍କ ଦର୍ଶନ ଓ ମହାପ୍ରସାଦ ସେବନରୁ ବଞ୍ଚିତ ହେବେ ଭକ୍ତ ।
ସେପଟେ ଜ୍ୟୋତିର୍ବିଦ କହିଛନ୍ତି ଏଥର ଚନ୍ଦ୍ରଗ୍ରହଣ ମେଷ, ବୃଷ, ମିଥୁନ, କର୍କଟ, ତୁଳା ଓ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଦାୟକ ରହିବ । ଆଉ ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ରାଶି ପାଇଁ ଗ୍ରହଣ ଅଶୁଭ ରହିବ ବୋଲି ଆକଳନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/02/lunar-eclipse-2026-03-02-20-57-51.jpg)