କନକ ବ୍ୟୁରୋ:   ଗଞ୍ଜାମ ଖୋର୍ଦ୍ଧା ସୀମାନ୍ତ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁ ନିକଟରେ ରହିଛି ବୃହତ ଶାଳିଆ ଡ୍ୟାମ୍‌ । ଚାଷୀଙ୍କ ଉଦ୍ଦେଶ୍ୟରେ ୧୯୬୨ ମସିହାରେ ଜଳାଶୟକୁ ଜଳଭଣ୍ଡାରରେ ପରିଣତ କରିଥିଲେ ତତ୍କାଳୀନ ସରକାର। ସେବେଠୁ ଏହା ସ୍ଥାନୀୟ ଚାଷୀଙ୍କର ଜୀବନ ରେଖା। କିନ୍ତୁ ଦୀର୍ଘ ବର୍ଷ ହେଲା ଶାଳିଆ ଡ୍ୟାମର ପୁନଃଉଦ୍ଧାର ନହେବାରୁ ଧୀରେଧୀରେ ପୋତି ହେବାକୁ ବସିଲାଣି। ଚାଷ ପାଇଁ ଆଉ ପାଣି ମିଳୁନି। ଡ୍ୟାମ୍‌ ଉପରେ ନିର୍ଭର କରୁଥିବା ଏକର ଏକର ଜମି ପଡ଼ିଆ ।

Advertisment

ଅଧିକ ପଢନ୍ତୁ :  ଏନ୍ତୁଡ଼ିଶାଳରେ ବାଟବଣା ଯୋଜନା ; ବ୍ଲକରେ ଲୋକଙ୍କୁ ମିଳୁନି ମୌଳିକ ସୁବିଧା

ସେପଟେ ଖୋର୍ଦ୍ଧାର ବାଲୁଗାଁ ଓ ଆଇଏନ୍‌ଏସ୍‌ ଚିଲିକାକୁ ଶାଳିଆ ଡ୍ୟାମ୍‌ରୁ ପିଇବା ପାଣି ଦିଆଯାଉଛି । ଏବେ ଆଉ ଏକ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କାମ ଚାଲିଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ବେଗୁନିଆପଡ଼ା ବ୍ଲକ୍  ଓ ଖୋର୍ଦ୍ଧାର ଟାଙ୍ଗୀ ଅଞ୍ଚଳକୁ ପିଇବା ପାଣି ଯୋଗାଣ ହେବ । ଯଦି ସମସ୍ତ ମେଗା ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ହେଲେ ଚାଷ ପାଇଁ ଜଳାଭାବ ଆହୁରି ଅଧିକ ବଢ଼ିଯାଇପାରେ । ଏମିତି ଆଶାଙ୍କା କରି ଆନ୍ଦୋଳନ ପାଇଁ ସଜବାଜ ହେଲେଣି ଚାଷୀ ।
 
ସହକାରୀ ଅଧିକ୍ଷୀଣ ଯନ୍ତ୍ରୀ ସୁରେନ୍ଦ୍ର ସାହୁ କହିଛନ୍ତି, ଶାଳିଆ ଡ୍ୟାମର ଚାରିପଟେ ପାହାଡ଼ିଆ ଅଞ୍ଚଳ ଥିବାରୁ ପାହାଡ଼ରୁ ମାଟି ମିଶା ପାଣି ଜଳଭଣ୍ଡାର ଭିତରକୁ ପଶୁଛି। ତେଣୁ ଡ୍ୟାମ ପୋତି ହେଉଥିବା ଆଶଙ୍କା କରାଯାଉଛି । ସର୍ଭେ କରି ପଙ୍କ ଉଦ୍ଧାର ପାଇଁ ସରକାରଙ୍କୁ ଚିଠି ଲେଖିଛନ୍ତି । ସେପଟେ କବିସୂର୍ଯ୍ୟନଗର ବିଧାୟକ ମଧ୍ୟ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।  ଦିନେ ଶାଳିଆ ଡ୍ୟାମ ଚାଷୀଙ୍କର ମେରୁଦଣ୍ଡ ଥିଲା, ଏବେ ବିଭିନ୍ନ କାରଣରୁ ଚାଷୀଙ୍କ ଜମିକୁ ପହଞ୍ଚିପାରୁନି। ତେଣୁ ସରକାର ଏହା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି ।