କନକ ବ୍ୟୁରୋ: ବ୍ରହ୍ମପୁରର ଶାଳିଆ ପୋଖରୀ ଦୀର୍ଘଦିନ ଧରି ପରିତ୍ୟକ୍ତ ହୋଇପଡ଼ିରହିଛି । ପୁନରୁଦ୍ଧାର କରାଯାଉନାହିଁ । ଭାଙ୍ଗିଯାଇଥିବା ହୁଡ଼ାକୁ ସ୍ଥାନୀୟ ଲୋକ ନିଜ ଖର୍ଚ୍ଚରେ ନିର୍ମାଣ କରିଛନ୍ତି। କିନ୍ତୁ ଅନ୍ୟ ସମସ୍ୟା ଯୋଗୁ ଏହା କାମରେ ଲାଗୁନି। ପୋଖରୀଟି ୪ଟି ଓ୍ବାର୍ଡକୁ ଲାଗିଥିବାରୁ କେଉଁ କର୍ପୋରେଟରଙ୍କୁ ଲୋକ ଅଭିଯୋଗ କରିବେ, ସେନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ।
ପୁରୁଣା ବ୍ରହ୍ମପୁରର ଶାଳିଆ ପୋଖରୀ ଉପରେ ୨ ହଜାରରୁ ଅଧିକ ଲୋକ ନିର୍ଭର କରୁଥିଲେ । ଏବେ କିନ୍ତୁ କାମରେ ଲାଗୁନି। ଦୀର୍ଘବର୍ଷ ହେଲା ପୁନରୁଦ୍ଧାର କରାଯାଉ ନଥିବାରୁ ପରିତ୍ୟକ୍ତ ହୋଇ ପଡ଼ିରହିଛି। ଏହି ପୋଖରୀ ପରିଷ୍କାର ଥିବା ବେଳେ ଲୋକ ସ୍ନାନ ଓ ଅନ୍ୟ କାମ ପାଇଁ ବ୍ୟବହାର କରୁଥିଲେ। ଏବେ ଦଳ ଭର୍ତ୍ତି ହୋଇ ପାଣି ଅପରିଷ୍କାର ହୋଇଯାଇଛି । ଶାଳିଆ ପୋଖରୀ ବ୍ରହ୍ମପୁର ମହାନଗର ନିଗମର ୪ଟି ଓ୍ବାର୍ଡକୁ ଲାଗି ରହିଥିବାରୁ କୌଣସି କର୍ପୋରେଟର ଦୃଷ୍ଟି ଦେଉ ନଥିବା ଲୋକ ଅଭିଯୋଗ କରିଛନ୍ତି ।
ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଇଏମସି ପଦକ୍ଷେପ ନ ନେବାରୁ ସ୍ଥାନୀୟ ଲୋକମାନେ ହାତରୁ ଟଙ୍କା ଖର୍ଚ୍ଚ କରି ପୋଖରୀର ହୁଡ଼ା ନିର୍ମାଣ କରିଛନ୍ତି । କିନ୍ତୁ ପୁନରୁଦ୍ଧାର ପାଇଁ ଅନ୍ୟ କାମ ହୋଇପାରୁନି। ତେବେ ବ୍ରହ୍ମପୁର ମେୟର କହିଛନ୍ତି, ଏଥିପାଇଁ ଟେଣ୍ଡର ସରିଛି । କିଛି ପ୍ରଭାବଶାଳୀ ଲୋକ ପୋଖରୀ ନିକଟରେ ଜବରଦଖଲ କରିଥିବାରୁ କାମ ହୋଇପାରୁନି। ଶୀଘ୍ର ଜବରଦଖଲ ହଟାଯାଇ ଶାଳିଆ ପୋଖରୀର ପୁନରୁଦ୍ଧାର ସହିତ ପାରିପାର୍ଶ୍ବିକ କାମ କରାଯିବ ବୋଲି ମେୟର ସଂଘମିତ୍ରା ଦଳେଇ କହିଛନ୍ତି।
ମେୟରଙ୍କ ପ୍ରତିଶ୍ରୁତି ଅନୁସାରେ ଶୀଘ୍ର ଶାଳିଆ ପୋଖରୀର ପୁନରୁଦ୍ଧାର କରା ନଗଲେ ସ୍ଥାନୀୟ ଲୋକ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି।