କନକ ବ୍ୟୁରୋ : କେରାପୁଟ ବ୍ଲକ୍ ମାନବାର ପଞ୍ଚାୟତରେ ପାଣି ସମସ୍ୟାକୁ ନେଇ ଦେଖିବାକୁ ମିଳିଛି ମହିଳାଙ୍କ ନିଆରା ପ୍ରତିବାଦ । ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଗରା ବାଲଟି ଧରି ଅଭିଯୋଗ ପ୍ରକୋଷ୍ଠକୁ ମାଡ଼ିଆସି ସରକାରୀ ଅଧିକାରୀଙ୍କ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଶହ ଶହ ମହିଳା ।

Advertisment

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । କୋରାପୁଟରୁ ଖଲ୍ଲିକୋଟ, କଣ୍ଟାବାଞ୍ଜିରୁ ଉଦଳା । ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ତାତି, ତାଳଦେଇ ସବୁଠି ଦେଖିବାକୁ ମିଳିଲାଣି ଉତ୍କଟ ଜଳକଷ୍ଟର ଚିତ୍ର । କେଉଁଠି ନଳକୂପ ଅଚଳ ପଡ଼ିଛି ତ ଆଉ କେଉଁଠି ଓଭରହେଡ ଟାଙ୍କି ଥିଲେ ବି ଲୋକଙ୍କ ଦୁଆରେ ଲାଗିଥିବା ଟ୍ୟାପରେ ଆସୁନି ପାଣି । ଆଉ ଏହାକୁ ନେଇ ତେଜିଲାଣି ପ୍ରତିବାଦର ସ୍ୱର ।

ଅଧିକ ପଢ଼ନ୍ତୁ : ରାସ୍ତାରେ ଜଗିଛି ଯମ; ଆଖି ଆଗରେ ଚାଲିଯାଉଛି ଆତ୍ମୀୟଙ୍କ ଜୀବନ

ଗଞ୍ଜାମ ଖଲ୍ଲିକୋଟ ବ୍ଲକ କେନ୍ଦୁପାଟ ଗାଁରେ ଜଳସମସ୍ୟା କଥା ନହିବା ଭଲ । ନାଁକୁ ମାତ୍ର ୬ଟି ନଳକୂପ ରହିଥିବା ବେଳେ ଏଥିରୁ ବାହାରୁଥିବା ଲୁଣି ପାଣି ପିଇବା ଯୋଗ୍ୟ ନୁହେଁ । ପ୍ରତିବର୍ଷ ସମସ୍ୟା ନେଇ ସ୍ୱର ଉଠୁଥିଲେ ବି ୩୦୦ ପରିବାରର ଅଭିଯୋଗ ଶୁଣୁଛି କିଏ ? ଉଦଳା ବ୍ଲକ ପାଟ୍ଟଶାଣିପୁର ପଞ୍ଚାୟତ ଅମ୍ବିକାଦେଇପୁର ରିଆଳଦା ଗ୍ରାମବାସୀଙ୍କ ଜଳ ଯାତନାର ଚିତ୍ର । ପ୍ରତିଦିନ ସକାଳେ ହେଲେ ଏଠାରେ ପାଣିପାଇଁ ଚାଲେ ପ୍ରତିଯୋଗିତା ବିଲ ମଝିରେ ଥିବା କୂଅ ପାଣି ପିଇ ଜୀବନ ଜିଉଁଛନ୍ତି ଅଞ୍ଚଳବାସୀ ।

ବଲାଙ୍ଗୀର ତୁରେକେଲା ବ୍ଲକ କାର୍ଯ୍ୟଳୟରୁ ୧୫ କିମି ଦୂରରେ ଅଛି ବଡଡକଲାଗାଁ । ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ୭୦ ହଜାର ଲିଟର କ୍ଷମତା ବିଶିଷ୍ଟ ଓଭରହେଡ ପାଣିଟାଙ୍କି । ପ୍ରତିଟି ସାହିକୁ ସଂଯୋଗ କରାଯାଇଛି ପାଇପ, ସମସ୍ତଙ୍କ ଦୂଆରେ ଲାଗିଛି ଟ୍ୟାପ୍ । ତେବେ ପାଣି କେବେ ଆସିବ ଅପେକ୍ଷାରେ ଗ୍ରାମବାସୀ ।

ବସୁଧା ଭଳି ଗଣ୍ଡା ଗଣ୍ଡା ଯୋଜନା ପ୍ରଣୟନ କରି ଗାଁ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେଉଥିବା ଡିଣ୍ଡିମ ପିଟୁଛନ୍ତି ସରକାର । ୨୦୨୭ ସୁଦ୍ଧା ସମସ୍ତ ପରିବାରକୁ ପାଇପ୍ ଯୋଗେ ଜଳ ଯୋଗାଇ ଦେବା ପାଇଁ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏତେ ସବୁ ପରେ ବି ଗ୍ରୀଷ୍ମ ଆରମ୍ଭରୁ ଜଳଯନ୍ତ୍ରଣା ବାସ୍ତବ ଚିତ୍ରକୁ ପଦାରେ ପକାଇଛି ।