କନକ ବ୍ୟୁରୋ : ଦୁର୍ଘଟଣା ନେଉଛି ଜୀବନ । ଘରୁ ବାହାରିବାକୁ ଲାଗୁଛି ଡ଼ର । ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାରେ ଯାଉଛି ଜୀବନ । ଗୋଟିଏ ଦିନରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏକାଧିକ ଆହତ ହୋଇ ମେଡିକାଲରେ ଚକିତ୍ସିତ ହେଉଛନ୍ତି ।

Advertisment

ସ୍ତ୍ରୀ ଓ ପୁଅକୁ ବାଇକ୍‌ରେ ବସାଇ ଖୁସିରେ ଘରୁ ବାହାରିଥିଲେ କେନ୍ଦୁଝର ଏମ୍‌ଡି ନୁର । ହେଲେ ସେ କ’ଣ ଜାଣିଥିଲେ ରାସ୍ତାରେ ଛକିଥିଲା ଯମ । ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ତେନ୍ତୁଳିଆ ନିକଟରେ ଟ୍ରକ୍‌ ପଛରେ ପିଟି ହେଲା ବାଇକ୍ । ଘଟଣାସ୍ଥଳରେ ହିଁ ଚାଲିଗଲା ବାପ-ପୁଅଙ୍କ ଜୀବନ । ଆଉ ଗୁରୁତର ଅବସ୍ଥାରେ ମା’ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

କେନ୍ଦୁଝର ପାଟଣା ଖଜୁରିଡିହାରରେ ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ତାତିଛନ୍ତି ଲୋକ । ଜଗନ୍ନାଥ ମହାନ୍ତ ନାମକ ଯୁବକ ରାସ୍ତାରେ ଛିଡ଼ା ହୋଇ ସାଙ୍ଗଙ୍କ ସହ କଥା ହେଉଥିବା ବେଳେ ଦ୍ରୁତ ବେଗରେ ଆସୁଥିବା ଏକ ବାଇକ୍‌ ତାଙ୍କୁ ଧକ୍କା ଦେବା ସହ କିଛି ବାଟ ଗୋଷାଡି ନେଇଥିଲା ।

ଅଧିକ ପଢ଼ନ୍ତୁ : ଟ୍ରକ୍‌ରେ ପିଟିହେଲା ବାଇକ୍; ଘଟଣାସ୍ଥଳରେ ବାପପୁଅ ମୃତ, ସ୍ତ୍ରୀ ଗୁରୁତର

ସମ୍ବଲପୁର କୁଚିଣ୍ଡାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । କଣ୍ଟେନର-ବାଇକ ମୁହାଁମୁହିଁ ଧକ୍କା ହେବାରୁ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ନିଆଁ ଲାଗିଯାଇଛି କଣ୍ଟେନର । ବାଇକରେ ତିନିଜଣ ଯୁବକ ଜମନକିରାରୁ ସମ୍ବଲପୁର ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ଧକ୍କା ହୋଇଥିଲା । ଏପଟେ ଖୋର୍ଦ୍ଧା- ଜଟଣୀ ରାସ୍ତାର ନାଇଜର ନିକଟକରେ ମଧ୍ୟ ଘଟିଛି ସଡ଼କ ଦୁର୍ଘଟଣା । ଅଟୋକୁ ଧକ୍କା ଦେଇଛି କାର। ଅଟୋ ଚାଳକ ସମେତ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଗୁରୁତରଙ୍କୁ ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି ।

କେବଳ ଏତିକି ନୁହଁ, ଗତକାଲି ରାତିର ଦୁର୍ଘଟଣା ଉଜାଡ଼ି ଦେଇଛି ପୂରା ପରିବାର । ବାହାଗର ଭୋଜି ପାଇଁ ସୋନପୁର ଘାଟିଜାମପାଲିର ଗାଁର ୪ ଜଣ ଦୁଇଟି ସ୍କୁଟରରେ ଯାଉଥିବା ବେଳେ ଏକ ଗାଡ଼ି ଧକ୍କା ଦେଇଥିଲା । ଦୁର୍ଘଟଣାରେ ୧୦ ବର୍ଷର ଶିଶୁ ସମେତ ଜଣେ ମହିଳା ଓ ଦୁଇ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଛି ।