କନକ ବ୍ୟୁରୋ: ଥାନା ଅଛି, ଫାଣ୍ଡି ଅଛି, କିନ୍ତୁ ଆବଶ୍ୟକ ସଂଖ୍ୟାରେ ପୁଲିସ ବାବୁ ନାହାନ୍ତି । ନାହିଁରେ ନାହିଁରେ ଚାଲିଛି ରାଜ୍ୟର ଅନେକ ଥାନା । ପଶ୍ଚିମ ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ସବ ଇନ୍ସପେକ୍ଟର ପଦ ଖାଲି ପଡ଼ିଛି । ରାଜ୍ୟରେ ସବୁ ବିଭାଗରେ ହଜାର ହଜାର ପଦବୀ ଖାଲି ପଡ଼ିଥିବା ବେଳେ ପୁଲିସ ବିଭାଗରେ ସ୍ଥିତି ସାଂଘାତିକ। ଆଉ ଏହା ହିଁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ପ୍ରମୁଖ କାରଣ ବୋଲି ମତ ପ୍ରକାଶ ପାଇଛି ।
ପଶ୍ଚିମ ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ସବ୍ଇନ୍ସପେକ୍ଟର ପଦ ଖାଲି ପଡ଼ିଛି। ସମ୍ବଲପୁର ଜିଲ୍ଲାରେ ୨୫ଟି ଥାନା ଓ ୧୦ଟି ଫାଣ୍ଡି ଥିବା ବେଳେ, ୧୫୨ଟି ସବ୍ଇନ୍ସପେକ୍ଟର ବା ଏସ୍ଆଇ ପଦ ରହିଛି । ହେଲେ ଜିଲ୍ଲାରେ କେତେ ଜଣ ଏସ୍ଆଇ ଅଛନ୍ତି ଜାଣିଛନ୍ତି? ମାତ୍ର ୫୧ ଜଣ । ୧୦୧ ପଦ ଖାଲି ପଡ଼ିଛି । ଅର୍ଥାତ୍ ୩ ଭାଗରୁ ଭାଗେ ଏସ୍ଆଇଙ୍କୁ ନେଇ ଚାଲିଛି ସମ୍ବଲପୁରର ଆଇନଶୃଙ୍ଖଳା ବ୍ୟବସ୍ଥା । ସେହିପରି ଜିଲ୍ଲାରେ ୧୧୮ଟି ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ବା ଏଏସ୍ଆଇ ପଦ ଥିବା ବେଳେ ୩୨ଟି ଖାଲି ପଡ଼ିଛି । ବଲାଙ୍ଗିରରେ ବି ବିଷମ ସ୍ଥିତି । ବଲାଙ୍ଗୀର ଜିଲ୍ଲାରେ ୫୨ଟି ଏସ୍ଆଇ ଓ ୮ଟି ଏଏସ୍ଆଇ ପଦ ଖାଲି । ସେହିପରି ଝାରସୁଗୁଡ଼ାରେ ୪୬ଟି, ବରଗଡ଼ରେ ୩୭ଟି, ସୁବର୍ଣ୍ଣପୁର ଜିଲ୍ଲାରେ ୩୦ଟି ସବ୍ଇନ୍ସପେକ୍ଟର ପଦ ପୂରଣ କରାଯାଇନାହିଁ ।
ଏହା ବି ପଢ଼ନ୍ତୁ; ରାଜ୍ୟରେ କମୁନି ବାଲ୍ୟ ବିବାହ : ଅନ୍ଧାର ହେଉଛି ପିଲାଙ୍କ ଭବିଷ୍ୟତ, ପୁଅଙ୍କ ତୁଳନାରେ ଆଗରେ ଝିଅ
ଅପରାଧ ବଢ଼ୁଥିବା ବେଳେ କମୁଛି ପୁଲିସ ସଂଖ୍ୟା। ଗୋଟିଏ ଗୋଟିଏ ଥାନାରେ ୫ରୁ ୬ ଜଣ ଅଧିକାରୀ ଓ କର୍ମଚାରୀ ରହୁଛନ୍ତି। ଯାହାଫଳରେ ଆଇନଶୃଙ୍ଖଳା ସ୍ଥିତି ସାଂଘାତିକ ରୂପ ନେଉଥିବା ଅଭିଯୋଗ ହେଉଛି । କେଉଁଠି ଦିନ ଦ୍ବିପ୍ରହରେ ଖଣ୍ଡା ବୁଲୁଛି ତ ଆଉ କେଉଁଠି ବେଧଡ଼କ୍ ଚାଲୁଛି ନିଶା କାରବାର। ଏଥିସହ ବହୁ ଆପରାଧିକ ମାମଲାର ତଦନ୍ତ ବି ଶିଥିଳ ହେଉଛି । ତେଣୁ ଶୀଘ୍ର ଖାଲିଥିବା ପଦ ପୂରଣ କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ । ସମ୍ବଲପୁରରେ ୨୩ ଜଣ ସବ ଇନ୍ସପେକ୍ଟରଙ୍କ ପଦୋନ୍ନତି ହୋଇଛି । ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ହୋଇନଥିବାରୁ ଅଧିକାଂଶ ପଦ ଖାଲି ପଡ଼ିଛି । କନଷ୍ଟେବଳ ଓ ହାବିଲଦାର କ୍ଷେତ୍ରରେ ମଧ୍ୟ ପ୍ରାୟ ସମାନ ସ୍ଥିତି ।
Follow Us