କନକ ବ୍ୟୁରୋ : କୋର୍ଟକୁ ବୋମା ଧମକ ପରେ କୋର୍ଟ ପରିସରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଅଧିକ ସାଢ଼େ ୩ପ୍ଲାଟୁନ ସଶସ୍ତ୍ର ବାହିନୀ ମୁତୟନ କରାଯାଇଛି । ଉଭୟ ହାଇକୋର୍ଟ ଏବଂ ଜିଲ୍ଲା ଜଜ୍‌ କୋର୍ଟରେ ଲାଗିଲା ଅଧିକ ମେଟାଲ ଡିଟେକ୍ଟର ।  ବୋମା ଧମକ ପରେ ବଢ଼ିଲା ହାଇକୋର୍ଟ ସୁରକ୍ଷା। କୋର୍ଟ ବିଲଡିଂ ପ୍ରବେଶ ପଥରେ ଲାଗିଲା ତିନୋଟି ମେଟାଲ ଡିଟେକ୍ଟର । ବ୍ୟାଗ୍‌ ନେଇ କୋର୍ଟକୁ ଯିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଭିତରେ ବ୍ୟାଗ୍‌ ଯାଞ୍ଚ କରିବା ପାଇଁ ଲାଗିଛି ଲଗେଜ୍‌ ସ୍କାନର । ସେପଟଏ ଜିଲ୍ଲା ଜଜକୋର୍ଟରେ ସୁରକ୍ଷା ବଳ ସହ ଦୁଇ ଦୁଇଟି ମେଟାଲ ଡିଟେକ୍ଟର ଲଗାଯାଇଛି । କୋର୍ଟ ପରିସରରେ ଏବଂ ବାହାରେ ପୁଲିସର ବରିଷ୍ଠ ଅଧିକାରୀ ଯାଞ୍ଚ କରୁଛନ୍ତି । ତଥାପି ଏତିକି ସୁରକ୍ଷା ଯଥେଷ୍ଠ ନୁହେଁ ବୋଲି ହାଇକୋର୍ଟ ବାର୍ ସମ୍ପାଦକ ଏବଂ ବରିଷ୍ଠ ଆଇନଜୀବୀମାନେ ମତ ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ : ବମ୍ ସ୍କ୍ୱାଡ ଯାଞ୍ଚ ପରେ ସ୍ୱାଭାବିକ ହେଲା କୋର୍ଟ କାର୍ଯ୍ୟ; ଆଇନ ମନ୍ତ୍ରୀ କହିଲେ, ମିଛ ବୋମା ଧମକ

ଯେହେତୁ ହାଇକୋର୍ଟ ଭିତରକୁ ପ୍ରବେଶ ପାଇଁ ଅନେକ ଗଳାବାଟ ରହିଛି ତେଣୁ ଏସବୁ ଉପରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି । ଆଇନଜୀବୀ ବେଶରେ କେହି ବି ପ୍ରବେଶ କରିପାରନ୍ତି । ତେଣୁ  ଆଗକୁ ପ୍ରକ୍ସିମିଟି ଆଇ-କାର୍ଡ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରହିଛି । ଏହି କାର୍ଡରେ ହାଇକୋର୍ଟ ସିକ୍ୟୁରିଟି ଅଫିସରଙ୍କ ଦସ୍ତଖତ ରହିବ । ସେହିଭଳି ମାନବ ବୋମା ଯାଞ୍ଚ କରିବା ଲାଗି ବମ୍‌ ସ୍କ୍ୱାଡ୍‌ ମୁତୟନ ରହିବେ । ଗତକାଲି ଇ-ମେଲ୍ ଧମକ ପରେ ପୁଲିସ ଡିଜିଙ୍କୁ ହାଇକୋର୍ଟ ପକ୍ଷରୁ ଏହି ସବୁ ପ୍ରସ୍ତାବ ଦିଆଯାଇଛି । ସୁରକ୍ଷା କଡାକଡ଼ି କରାଯିବ ବୋଲି ଡିଜିପି ପ୍ରତିଶ୍ରୁତି ଦେିଛନ୍ତି । ଇ-ମେଲ୍ ଧମକ ପରେ ସୁରକ୍ଷା ତ ବଢିଲା । ହେଲେ ଇମେଲ ପଠାଇଥିବା ଲୋକ ପାଖରେ ତଦନ୍ତକାରୀ ଟିମ୍ କେବେ ପହଞ୍ଚିବ ତାକୁ  ନେଇ ଉଠିଲା ପ୍ରଶ୍ନ ।