କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ କୋର୍ଟରେ ବୋମା ଖବରକୁ ନେଇ ଆଜି ବଡ଼ ହଲଚଲ ଦେଖାଦେଇଥିଲା । କଟକ, ସମ୍ବଲପୁର ଓ ଦେବଗଡ଼ କୋର୍ଟରେ ବୋମା ଥିବା ନେଇ ଆସିଥିବା ଧମକକୁ ସାରା ରାଜ୍ୟ ହୁଳସ୍ତୁଳ ହୋଇଯାଇଥିଲା । ଇମେଲ ଜରିଆରେ ଧମକ ମିଳିଥିଲା । ଏପରିକି ଶୀଘ୍ର କୋର୍ଟ ଖାଲି କରାଯିବାକୁ ବି କୁହାଯାଇଥିଲା । ତୁରନ୍ତ ସୁରକ୍ଷାକର୍ମୀ ଓ ବମ୍ ସ୍କ୍ୱାଡ କୋର୍ଟ ଗୁଡ଼ିକରେ ପହଞ୍ଚି ତନାଘନା ଜୋରଦାର କରିଥିଲେ । ହାଇକୋର୍ଟରେ ପହଞ୍ଚିଥିଲେ ଡିଜିପି । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ ।

Advertisment

ଏହି ସମୟରେ କୋର୍ଟ ଗୁଡ଼ିକୁ ଖାଲି କରାଯାଇ ତନ୍ନ ତନ୍ନ ଯାଞ୍ଚ କରାଯାଇଥିଲା । ରାଜ୍ୟରେ ୩ଟି କୋର୍ଟକୁ ବୋମା ଧମକ ପରେ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ତଦନ୍ତ କରି ଅପରାଧୀଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରସଙ୍ଗରେ ବଡ଼ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ । ସନ୍ଧ୍ୟାରେ ଉଚ୍ଚସ୍ତରୀୟ ବୈଠକ ବସିବ। ତେବେ ଯାଞ୍ଚ ଚାଲିଛି ଏବଂ ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ଡିଜିପି । ତେବେ ଏହା ମିଛ ଧମକ ଥିଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରାଥମିକ ଯାଞ୍ଚରୁ ଏହା ସ୍ପଷ୍ଟ ହୋଇଛି । ତେବେ ବ୍ୟସ୍ତ ବିବ୍ରତ ହେବାର ନାହିଁ । ଏହା ପଛରେ ଯିଏ ଅଛି ତାକୁ ଧରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଆଇନ ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ : ରାଜଧାନୀରେ ଫୁଟିଲା ବୋମା, ଛିଡ଼ିଲା ହାତ

ଆଜି ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ୍ ମାଧ୍ୟମରେ ଆସିଲା ଧମକ । ଏହି ଧମକ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । କଟକ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲା କୋର୍ଟକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅପରାହ୍ଣ ୨ଟା ୪୫ ସୁଦ୍ଧା କୋର୍ଟ ପରିସର ଖାଲି କରିବାକୁ ଧମକ ମିଳିଛି ।

ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲା କୋର୍ଟ ସମେତ ଓଡ଼ିଶା ହାଇକୋର୍ଟକୁ ମଧ୍ୟ ତୁରନ୍ତ ଖାଲି କରାଯାଇଛି । ଘଟଣାସ୍ଥଳରେ ବମ୍ ସ୍କ୍ୱାଡ୍, ସନ୍ଧାନୀ କୁକୁର ଓ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ପହଞ୍ଚି ତଲାସି ଅଭିଯାନ ଜାରି ରଖିଛନ୍ତି । ବର୍ତ୍ତମାନ ହାଇକୋର୍ଟ ପରିସର ଏକ ପ୍ରକାର ପୁଲିସ ଛାଉଣୀରେ ପରିଣତ ହୋଇଛି ।