କନକ ବ୍ୟୁରୋ: ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ନାମାଙ୍କନ ଦାଖଲ କରିବାର ସମୟ ଶେଷ ହୋଇସାରିଛି । ହେଲେ ଏବେ ବି ସିଟ୍ ସେୟାରିଂକୁ ନେଇ ମହାମେଣ୍ଟରେ କଥା ଅସ୍ପଷ୍ଟ ରହିଛି । ଯେଉଁ କାରଣରୁ କିଛି ସିଟରେ ମହାମେଣ୍ଟର ପ୍ରାର୍ଥୀମାନଙ୍କ ଭିତରେ ଲଢ଼େଇ ହେବା ନେଇ ଚର୍ଚ୍ଚା ହେଉଛି । ଏମିତି କି କିଛି ସିଟରେ କଂଗ୍ରେସ ସହିତ ଆରଜେଡି ମଧ୍ୟ ନିଜର ପ୍ରାର୍ଥୀ ଦେଇଛନ୍ତି, ଯାହାକି ବିହାର ରାଜନୀତିକୁ ଆହୁରି ଅଧିକ ରୋଚକ କରିଛି ।
ମହାମେଣ୍ଟରେ ସବୁକିଛି ଠିକ୍ ଠାକ୍ ଚାଲିଛି ବୋଲି କୁହାଯାଉଛି । ହେଲେ ଏବେ ବି କିଛି ସିଟରେ କିଏ ପ୍ରାର୍ଥୀ ହେବ ସେନେଇ ବିରୋଧୀ ଶିବିରରେ କଥା ଛିଣ୍ଡିପାରୁନି । ମିଳିଥିବା ସୂଚନା ମୁତାବକ, ଲାଲଗଞ୍ଜ, ବୈଶାଳୀ, ରାଜାପକର, ବଧବାଡ଼ା, ରୋସଡ଼ା, ବିହାର ଶରୀଫ ଏଭଂ ଗୌଡାବୌରାମ ଭଳି ସିଟରେ ମହାମେଣ୍ଟର ପ୍ରାର୍ଥୀମାନଙ୍କ ଭିତରେ ହିଁ ଲଢ଼େଇ ହୋଇପାରେ । ଗୌଡବୌରାମ ସିଟରେ ଆରଜେଡି ସହିତ କଂଗ୍ରେସ ମଧ୍ୟ ନିଜ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି । ପୂର୍ବରୁ କୁହାଯାଉଥିଲା ଏହି ସିଟରେ ଭିଆଇପି ନିଜର ପ୍ରାର୍ଥୀ ଦେବ, ହେଲେ ନିର୍ବାଚନ ଆୟୋଗ କିନ୍ତୁ କଂଗ୍ରେସ ସହିତ ଆରଜେଡିର ପ୍ରାର୍ଥୀଙ୍କ ନାମାଙ୍କନକୁ ଗ୍ରହଣ କରିନେଇଛନ୍ତି । ତେଣୁ ଯଦି ଅକ୍ଟୋବର ୨୦ ତାରିଖ ପୂର୍ବରୁ କୌଣସି ପ୍ରାର୍ଥୀ ନିଜର ନାମାଙ୍କନ ପ୍ରତ୍ୟାହାର ନ କରନ୍ତି, ତେବେ ଏହି ସିଟରେ ଆରଜେଡି-କଂଗ୍ରେସ ଲଢ଼େଇ ଦେଖିବାକୁ ମିଳିବ ।
ମୋଦୀ-ଶାହଙ୍କ ଖାସ୍, ଯୁବ ଚେହେରା, ହୀରା ବେପାରୀ ; ଜାଣନ୍ତୁ, ଗୁଜରାଟର ନୂଆ ଉପ-ମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଘବୀ କିଏ?
ସେହିପରି ବୈଶାଳୀରୁ ଆରଜେଡି ପୂର୍ବତନ ଜେଡିୟୁ ନେତା ଅଜୟ କୁଶବାହାଙ୍କୁ ଟିକେଟ୍ ଦେଇଛି, ଆଉ ଏହି ଆସନ ପାଇଁ କଂଗ୍ରେସ ସଞ୍ଜୀବ ସିଂହଙ୍କୁ ପ୍ରାର୍ଥୀ କରିଛି । ଯାହାକି ଏବେ ମହାମେଣ୍ଟରେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଏହାସହିତ ରାଜାପାକର ଏବଂ ବଧବାଡା ସିଟରେ କଂଗ୍ରେସ ଏବଂ ସିପିଆଇ ନିଜ ନିଜର ପ୍ରାର୍ଥୀ ଦେଇଛନ୍ତି । ଯାହାକି ଏଥର ମହାମେଣ୍ଟର ଅଡୁଆକୁ ଆହୁରି ଅଧିକ କରିଛି । ଖାଲି ସେତିକି ନୁହେଁ, ଏମିତି ଅନେକ ସିଟ୍ ଅଛି ଯେଉଁଠି ମହାମେଣ୍ଟର ସହଯୋଗୀ ଦଳ ମାନେ ପରସ୍ପର ବିରୋଧରେ ପ୍ରାର୍ଥୀ ଠିଆ କରିଛନ୍ତି ।
ଏନଡିଏକୁ ଫାଇଦା!
ଯେତେବେଳେ ମହାମେଣ୍ଟର ଦଳମାନେ ନିଜ ନିଜ ଭିତରେ ପ୍ରାର୍ଥୀ ଦେଇ, ନିଜ ନିଜ ଭିତରେ ଲଢ଼େଇ କରିବା ଆରମ୍ଭ କରିଛନ୍ତି । ସେତେବେଳେ ଏହା ଏନଡିଏକୁ ଫାଇଦା ଦେଇଛି । ଏନଡିଏ ଏବେ ୨୪୩ ସିଟରେ ନିଜର ପ୍ରାର୍ଥୀ ଦେଇସାରିଛି । ଏନଡିଏର ସହଯୋଗୀ ଦଳମାନଙ୍କ ଭିତରେ ସିଟ୍ ସେୟାରିଂକୁ ନେଇ କଥା ମଧ୍ୟ ଛିଣ୍ଡିସାରିଛି । ହେଲେ ବିରୋଧୀ ମେଣ୍ଟର ଅବ୍ୟବସ୍ଥା ଏନଡିଏକୁ ଦେଇଛି ଫାଇଦା ।