କନକ ବ୍ୟୁରୋ; ରାଜ୍ୟରେ କଣ ଚାଲିଛି? କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ ଦୁଇ ଜଣ ସ୍କୁଲ ଛାତ୍ର ମଦ ପିଇ ବଜାରରେ ଅଚେତ ହୋଇପଡ଼ିବା ଭିଡିଓ ଭାଇରାଲ ପରେ ପ୍ରକାଶ ପାଇଛି ଉଦବେଗ । ସରସ୍ୱତୀ ପୂଜା ଭଳି ପବିତ୍ର ଦିନରେ ହଷ୍ଟେଲରୁ ଖସିଯାଇ ପିଲାଙ୍କର ଏଭଳି ବିଶୃଙ୍ଖଳିତ କାର୍ଯ୍ୟ ଯେତିକି ଚିନ୍ତା ବଢ଼ାଇଛି, ସ୍କୁଲ ୟୁନିଫର୍ମ ପିନ୍ଧା ନାବାଳକଙ୍କୁ ମଦ ବିକିବା ବା ମଦ ପିଆଇବା ଘଟଣା ବି, ଆମ ସମାଜର ଗତି କୁଆଡ଼େ ବୋଲି ପ୍ରଶ୍ନ ଉଠାଇଛି । 
 
ଏପଟେ ସ୍କୁଲରେ ଚାଲିଥିଲା ବିଦ୍ୟାଦାତ୍ରୀଙ୍କ ଆରାଧନା । ସେପଟେ ଟାଙ୍କେ ମଦ ପିଇ ବଜାରରେ ଗଡ଼ୁଥିଲେ ୨ ବିଦ୍ୟାର୍ଥୀ । ଏପଟେ ଭୋଗରାଗ ଲଗାଇ ପୁଷ୍ପାଞ୍ଜଳି ଦେଉଥିଲେ ଛାତ୍ରଛାତ୍ରୀ, ସେପଟେ ନିଶାରେ ଚୁର୍ ହୋଇ ତୁହାକୁ ତୁହା ବାନ୍ତି କରୁଥିଲେ ୨ଟି ନବମ ଶ୍ରେଣୀ ପିଲା । ଏ ଦୃଶ୍ୟ ଯେତିକି ଲଜ୍ଜାଜନକ, ଏ ଘଟଣା ସେତିକି ଚିନ୍ତା ଜନକ । କନ୍ଧମାଳ ଜିଲ୍ଲା ଟିକାବାଲି ପୋଷ୍ଟ ଅଫିସ ନିକଟରେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ୨ଟି ପିଲାଙ୍କୁ ମାତାଲ ଅବସ୍ଥାରେ ଦେଖି ଆଚମ୍ୱିତ ଥିଲେ ସ୍ଥାନୀୟ ଲୋକେ । ଜଣାପଡ଼ିଥିଲା ସେମାନେ ଟିକାବାଲି ସରକାରୀ ହାଇସ୍କୁଲର ଛାତ୍ର । ଅଚେତ ଅବସ୍ଥାରେ ଉଭୟ ଛାତ୍ରଙ୍କୁ ଉଦ୍ଧାର କରି ଅଟୋରେ ଡାକ୍ତରଖାନା ନେବା ସହିତ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖବର ଦିଆଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ଉଭୟ ଛାତ୍ର ଅତ୍ୟଧିକ ମଦ ପିଇଥିବା ଜଣାପଡ଼ିଥିଲା । 

Advertisment

ଅଧିକ ପଢନ୍ତୁ; ଜୁବିନ୍ ଗର୍ଗ ନିଶାଗ୍ରସ୍ତ ଥିଲେ, କିନ୍ତୁ ତାଙ୍କୁ ପ୍ରଚୁର ମଦ୍ୟପାନ କରାଇବାକୁ ବାଧ୍ୟ କରାଯାଇଥିଲା: ଆସାମ ପୁଲିସ

ଆଦିବାସୀ ଉନ୍ନୟନ ବିଭାଗ ଦ୍ଵାରା ଅନୁଦାନପ୍ରାପ୍ତ ହଷ୍ଟେଲରେ ରହନ୍ତି ଏହି ୨ ଛାତ୍ର । ହେଲେ ପ୍ରଶ୍ନ ଉଠୁଛି, ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଜାଣତରେ ସେମାନେ ବାହରକୁ ଗଲେ କେମିତି? ସ୍କୁଲ ୟୁନିଫର୍ମ ପିନ୍ଧିଥିବା ନାବାଳକଙ୍କୁ ମଦ ଦେଲା କିଏ? ବିଦ୍ୟାଳୟ ପରିସରଠାରୁ ୧୦୦ ମିଟର ଭିତରେ ନିଶାଦ୍ରବ୍ୟ ବିକ୍ରି ନିଷେଧ ଥିବାବେଳେ, ଏହି ପିଲାମାନଙ୍କ ପାଖକୁ ନିଶା ପହଞ୍ଚିଲା କେଉଁଠୁ? ସେମାନେ ଲୁଚି ପଳାଇଥିଲେ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ । ଏଥିସହ 'ଦଣ୍ଡମୁକ୍ତ ଅଞ୍ଚଳ ଯୋଗୁ ପିଲା ବିଶୃଙ୍ଖଳିତ ହେଲେ ବି ତାଗିଦ କରିପାରୁନୁ' ବୋଲି ସଫେଇ ରଖିଛନ୍ତି । ସେପଟେ ଘଟଣା ସଂପର୍କରେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ବାରମ୍ବାର ବିଭିନ୍ନ ସ୍କୁଲରୁ ବିଶୃଂଖଳାର ଚିତ୍ର ସାମନାକୁ ଆସୁଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ । ଉଭୟ ଛାତ୍ର ଏବେ ସୁସ୍ଥ ଥିବା ବେଳେ, ସେମାନଙ୍କ ପରିବାର ଲୋକଙ୍କୁ ଡକାଇ ଘରକୁ ପଠାଯାଇଥିବା ସୂଚନା ମିଳିଛି ।