କନକ ବ୍ୟୁରୋ : ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କାୟା ମେଲାଉଛି କାମଳ । ଖୋର୍ଦ୍ଧା ନବୋଦୟ ପରେ ଢେଙ୍କାନାଳ ଗଁଦିଆର ଆଦର୍ଶ ବିଦ୍ୟାଳୟରେ ପିଲାଙ୍କୁ ଜଣ୍ଡିସ । ଜନସ୍ୱାସ୍ଥ୍ୟ ଟିମ୍ ସ୍କୁଲରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିଥିବା ବେଳେ, ଏହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୁରୀ କଣାସ ଓ ମୟୂରଭଞ୍ଜରେ ବି ଜଣ୍ଡିସ୍ ବ୍ୟାପୁଛି ।

ପ୍ରଥମେ ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ, ଏବେ ଢେଙ୍କାନାଳ ଗଁଦିଆ ଅଞ୍ଚଳର ଆଦର୍ଶ ବିଦ୍ୟାଳୟ । ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟର ୧୦ରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ଥିବା ଅଭିଯୋଗ ହେବା ପରେ ବଢ଼ିଛି ଚିନ୍ତା । ସ୍କୁଲରେ ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ ହୋଇଛି । ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ରକ୍ତ ନମୁନା ସଂଗ୍ରହ କରିଛି ବରପଦାର ଏକ ମେଡିକାଲ୍ ଟିମ୍ । ସିଡିଏମ୍‌ଓ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ସ୍କୁଲକୁ ଯାଇ ତଦନ୍ତ କରିଥିବା ବେଳେ, ୨ ଛାତ୍ରଙ୍କ ଠାରେ ଜଣ୍ଡିସ୍ ଲକ୍ଷଣ ଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ : ଉପକୂଳରୁ ଉପାନ୍ତ ବଢ଼ୁଛି ଜଣ୍ଡିସ; ଦୂଷିତ ପାଣି ବଢ଼ାଇଲାଣି ଚିନ୍ତା

ଅନ୍ୟପକ୍ଷରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସ୍କୁଲରେ ହଷ୍ଟେଲ ନଥିବାରୁ କିଛି ପିଲା ମେସ୍‌ରେ ରହୁଥିଲେ । ସେଠାରେ ପାଣି ପରୀକ୍ଷା ହେବ । RWSS ଟିମ୍‌କୁ ବିଶୁଦ୍ଧ ପାଣି ଯୋଗାଇବାକୁ କୁହାଯାଇଛି । ତେବେ ରାଜ୍ୟରେ କ୍ଲଷ୍ଟର୍‌ ପରି ଜଣ୍ଡିସ ହୋଇନାହିଁ ।

ପ୍ରାୟ ଶହେ ପିଲା ଓ ଶିକ୍ଷକ ଜଣ୍ଡିସରେ ଆକ୍ରାନ୍ତ ହେବା ପରେ, ଏବେ ବି ଛୁଟି ରହିଛି ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ । ୧୪ ପରେ ପାଠପଢ଼ା ଆରମ୍ଭ ହେବ । ଦୂଷିତ ପାଣି କିମ୍ୱା ବାହାର ଖାଦ୍ୟରୁ ଏହା ବ୍ୟାପିଥିବା ଆଶଙ୍କା କରାଯାଉଛି । ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସତର୍କ କରାଯିବା ସହ ଆବଶ୍ୟକ ପଡ଼ିଲେ ସ୍ୱାସ୍ଥ୍ୟ ବିଭାଗର ସହଯୋଗ ନିଆଯିବ ଏବଂ ସ୍କୁଲରେ ଆକ୍ୱାଗାର୍ଡ ଲାଗିବ ।

ପୁରୀ ଜିଲ୍ଲା କଣାସ ନୂଆଦୋକନ୍ଦା ଗାଁରେ ଦୟାନଦୀର ଦୂଷିତ ଜଳରୁ ଜଣ୍ଡିସ ବ୍ୟାପିବା ଏବଂ ମୟୂରଭଞ୍ଜ ଜିଲ୍ଲା ଖୁରୁଣ୍ଟିଆରେ ବସୁଧା ଯୋଜନାରେ ପାଇପ ପାଣି ଆସିବା ସତ୍ତ୍ୱେ କାମଳ କାୟା ମେଲାଇବା ଚିନ୍ତା ବଢ଼ାଇଛି ।

Advertisment