କନକ ବ୍ୟୁରୋ : ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ସ୍ଥିତି ଅଣାୟତ୍ତ ପରେ ପିଲାମାନଙ୍କୁ ଘରକୁ ନେଇଯାଇଛନ୍ତି ଅଭିଭାବକ । ସ୍କୁଲରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୮୦ରୁ ଅଧିକ ଥିବାବେଳେ ବେସରକାରୀ ଭାବେ ସଂଖ୍ୟା କିନ୍ତୁ ଶହେ ଉପରେ । ସେପଟେ ମୟୂରଭଞ୍ଜ ଜିଲ୍ଲା ଖୁରୁଣ୍ଟିଆ ଗାଁରେ ମାସେ ଭିତରେ ୧୫ ଜଣ ଜଣ୍ଡିସରେ ଆକ୍ରାନ୍ତ ପରେ ବୁଲି ବୁଲି ସଚେତନ କରୁଛନ୍ତି ଆଶା ଦିଦି ।

Advertisment

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ସ୍ଥିତି ବେକାବୁ ହୋଇଥିବାବେଳେ ମୟୂରଭଞ୍ଜରୁ ଆସିଛି ଚିନ୍ତାଜନକ ଖବର । ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଜଣ୍ଡିସ୍ ଭୟ । ମୟୂରଭଞ୍ଜ ଜିଲ୍ଲା ଖୁରୁଣ୍ଟିଆ ଗାଁରେ ମାସେ ଭିତରେ ୧୫ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଗାଁରେ ବସୁଧା ଯୋଜନା ଯୋଗେ ମିଳୁଥିବା ଟ୍ୟାପ୍ ପାଣି କିଛି ସ୍ଥାନରେ ଗୋଳିଆ ଆସୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାପରେ ଗାଁରେ ଆଶାଦିଦି ବୁଲିବୁଲି ଲୋକଙ୍କୁ ପାଣି ଫୁଟାଇ ପିଇବାକୁ ସଚେତନ କରୁଛନ୍ତି ।

ଅଧିକ ପଢ଼ନ୍ତୁ : ଖୋର୍ଦ୍ଧାରେ ଜଣ୍ଡିସ୍ ଭୟ, ଜବାହର ନବୋଦୟ ବିଦ୍ୟାଳୟକୁ ମାଡିଗଲା କାମଳ ରୋଗ

ଖୋର୍ଦ୍ଧା ନବୋଦୟ ସ୍କୁଲରେ ଜଣ୍ଡିସ୍ ବ୍ୟାପିବା ପରେ ପିଲାମାନଙ୍କୁ ଘରକୁ ନେଇଯାଇଛନ୍ତି ଅଭିଭାବକ । ୧୪ ତାରିଖ ପର୍ଯ୍ୟନ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସରକାରୀ ଭାବେ ବିଦ୍ୟାଳୟରେ ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ରହିଛି । କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ୧୦୦ ଉପରେ ବୋଲି କୁହାଯାଉଛି । କେମିତି ବ୍ୟାପିଲା ଜଣ୍ଡିସ୍, ତାର କାରଣ ଖୋଜିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଏବଂ ୱାଟ୍‌କୋର ୨ଟି ଟିମ୍ ନବୋଦୟ ସ୍କୁଲ ଯାଇ ପାଣି ନମୁନା ସଂଗ୍ରହ କରିଥିଲେ । ୧୨ଟି ଉତ୍ସରୁ ପାଣି ନମୁନା ନେଇଥିଲେ ଏବଂ ୨୪ ଘଣ୍ଟା ଭିତରେ ରିପୋର୍ଟ ସାର୍ବଜନୀନ କରାଯିବ ବୋଲି କହିଥିଲେ । କିନ୍ତୁ ଏଯାଏ ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ । ତେବେ ୨ଟି ଟାଙ୍କିର ପାଣି ଅତି ଅପରିଷ୍କାର ହୋଇଥିବାରୁ ଜଣ୍ଡିସ୍ ବ୍ୟାପିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳୁଛି । କେବଳ ଏହି ଦୁଇଟି ସ୍ଥାନ ନୁହେଁ ରାଜଧାନୀର ବିଭିନ୍ନ ସ୍ଥାନରେ ବି ଟ୍ୟାପରୁ ଗୋଳିଆ ପାଣି ବାହାରୁଛି। ଯାହାକି ପିଇବା ଯୋଗ୍ୟ ନୁହେଁ ।