କନକ ବ୍ୟୁରୋ : ବାସ୍ ଆଉ କେଇ ଘଣ୍ଟାର ଅପେକ୍ଷା । ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ପ୍ରସ୍ତୁତି ଶେଷ । କେବଳ ଆଉ କେତେ ଘଣ୍ଠାର ଅପେକ୍ଷା । ଘଣ୍ଟାରେ ୧୨ଟା ବାଜିବା ମାତ୍ରକେ ଆରମ୍ଭ ହୋଇଯିବ ନୂଆବର୍ଷ । ନୂଆ ସକାଳକୁ ଅଧିକ ସ୍ମରଣୀୟ କରିବା ପାଇଁ ଦେବାଳୟ ମୁହାଁ ଶ୍ରଦ୍ଧାଳୁ । ସେପଟେ ସରକାରୀ କାର୍ଯ୍ୟାଳୟରେ ନୂଆ ବର୍ଷ ପାଳନ ବନ୍ଦ ପରେ ଚିନ୍ତାରେ ଫୁଲ ବ୍ୟବସାୟୀ ।ବିଶ୍ବର ପ୍ରଥମ ଦେଶ ଭାବେ ବର୍ଷ ୨୦୨୬କୁ ସ୍ବାଗତ କରିଛି ନ୍ୟୁଜିଲାଣ୍ଡ । ଏପଟେ ଭାରତରେ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ନୂଆବର୍ଷର ଆଗମନକୁ ଅପେକ୍ଷା । ଜିରୋନାଇଟ୍ ପାଇଁ ସବୁଠି ଉତ୍ସବର ପରିବେଶ । 

Advertisment

ମହାପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷ ଆରମ୍ଭ ପାଇଁ ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ । ପୁରୀରେ ଜମିଲାଣି ଭକ୍ତଙ୍କ ଭିଡ଼ । ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ନିଆଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ୬୦ ପ୍ଲାଟୁନ ଫୋର୍ସ, ୩ କମାଣ୍ଡାଣ୍ଟ ରାଙ୍କ୍ ଅଧିକାରୀ, ୧୩ ଅତିରିକ୍ତ ଏସପି, ୪୩ ଡିଏସପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କ ଅଧିକାରୀଙ୍କ ସମେତ ମୁତୟନ ରହିବେ ୮୭ ଇନ୍ସପେକ୍ଟର । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ସେପଟେ ଜିରୋ ନାଇଟ ସେଲିବ୍ରେସନ ପାଇଁ ବେଳାଭୂମିଠୁ ଆରମ୍ଭ କରି ହୋଟେଲ ଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । 

ଅଧିକ ପଢ଼ନ୍ତୁ---ନୂଆବର୍ଷକୁ ସ୍ୱାଗତ ଲାଗି ଚାଲିଛି ସ୍ୱତନ୍ତ୍ର କେକ୍ ପ୍ରସ୍ତୁତି, କେକ୍ କାଟି ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସବୁଠି ଉତ୍ସାହ

ନୂଆବର୍ଷ ପାଇଁ ଫୁଲର ମେଲିଛି ଫୁଲର ପସରା । ଭଳି ଭଳି ଫୁଲ ଆଣି  ଭଲ ବ୍ୟବସାୟ ଆଶା କରିଥିଲେ ।  ହେଲେ, ସରକାରୀ କାର୍ଯ୍ୟାଳୟରେ ଇଂରାଜୀ ନୂଆବର୍ଷ ପାଳନ ଉପରେ କଟକଣା ପରେ ଚିନ୍ତାରେ ଫୁଲ ବ୍ୟବସାୟୀ । ଟ୍ବିନ୍ ସିଟିରେ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଜିରୋନାଇଟ୍ ସେଲିବ୍ରେସନ ଉପରେ ଜୋର ଦେଇଛି କମିସନରେଟ ପୁଲିସ । ଟ୍ବିନସିଟିରେ ନୂଆବର୍ଷ ପାଳନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ସୁନିଶ୍ଚିତ କରିବାକୁ କଟକ-ଭୁବନେଶ୍ୱରରେ ୧୮ ପ୍ଲାଟୁନ ଫୋର୍ସ, ୨୯ ଯାଗାରେ ୱାଚ ଟିମ ସହ ସହରର ବିଭିନ୍ନ ସ୍ଥାନରେ ନାକା ଲାଗିବ ।