OHRC Photograph: (KANAK NEWS)
କନକ ବ୍ୟୁରୋ : ସାତକୋଶିଆ ବାଘ ସଂରକ୍ଷଣ କ୍ଷେତ୍ରରେ ପୁନର୍ବାସ ପ୍ରକ୍ରିୟାକୁ ନେଇ ଓଡ଼ିଶା ମାନବାଧିକାର ଆୟୋଗ କ୍ଷୁବ୍ଧ ହୋଇଛନ୍ତି । ଆୟୋଗ ତାଙ୍କ ଆଦେଶରେ କହିଛନ୍ତି ଯେ, ପୁନର୍ବାସ ପ୍ରକ୍ରିୟାରେ ଆଇନଗତ ନିୟମ ଉଲ୍ଲଂଘନ ହୋଇଛି । ଗ୍ରାମସଭାର ସମ୍ମତି ନିଆଯାଇନାହିଁ ଏବଂ ହିତାଧିକାରୀ ଚୟନରେ ଅନିୟମିତତା ରହିଛି । ଏହାସହ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ଆୟୋଗ ସୁପାରିଶ କରିଛି । ସାତକୋଶିଆ ବାଘ ସଂରକ୍ଷଣ କ୍ଷେତ୍ରର ବଫର ଓ ଫ୍ରିଞ୍ଜ ଅଞ୍ଚଳର ଗାଁ ଗୁଡ଼ିକରୁ ହୋଇଥିବା ପୁନର୍ବାସ ପ୍ରକ୍ରିୟାରେ ଗୁରୁତର ତ୍ରୁଟି ଥିବା ଦର୍ଶାଇଛି ଓଡ଼ିଶା ମାନବାଧିକାର ଆୟୋଗ ।
ଆୟୋଗ କହିଛନ୍ତି, ବନ ଅଧିକାର ଆଇନ-୨୦୦୬ ଅନୁଯାୟୀ, ବ୍ୟକ୍ତିଗତ ଓ ସାମୂହିକ ବନ ଅଧିକାର ସମାଧାନ ପୂର୍ବରୁ ପୁନର୍ବାସ ଆରମ୍ଭ କରାଯାଇଥିଲା, ଯାହା ଆଇନଗତ ଭାବେ ତ୍ରୁଟିପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ଓଏଚଆରସି । ଅନେକ ସ୍ଥାନରେ ଗ୍ରାମସଭା ବୈଠକ ଠିକ୍ ଭାବେ ହୋଇନଥିଲା । ଯୋଗ୍ୟ ବାସିନ୍ଦାମାନେ ଅନୁପସ୍ଥିତ ଥିଲେ ଏବଂ ତରବରିଆ ଭାବେ ସଙ୍କଳ୍ପ ପାସ୍ କରାଯାଇଥିଲା । ଏପରି ସ୍ଥିତିରେ ମିଳିଥିବା ସମ୍ମତିକୁ ଆଇନଗତ ଭାବେ ବୈଧ ବୋଲି ଧରାଯାଇପାରିବ ନାହିଁ ବୋଲି କମିଶନ କହିଛନ୍ତି । ଏଥିସହ ଘର, ଜମି, ଗଛ ଓ ଜୀବିକା ସମ୍ପତ୍ତିର ବୈଜ୍ଞାନିକ ମୂଲ୍ୟାୟନ ଛଡ଼ା କ୍ଷତିପୂରଣ ଦିଆଯାଇଥିବାରୁ ବିସ୍ଥାପିତ ପରିବାରମାନେ ଗୁରୁତର କଷ୍ଟ ଭୋଗିଛନ୍ତି । ଏନଟିସିଏ ନିର୍ଦ୍ଦେଶାବଳୀ ଓ ପ୍ରୋଟୋକଲ୍ ମଧ୍ୟ ଠିକ୍ ଭାବେ ପାଳନ ହୋଇନଥିବା ଦର୍ଶାଇଛି ଆୟୋଗ । ଏହାକୁ ଆଧାର କରି ରାଜ୍ୟ ସରକାର ୪ ସପ୍ତାହ ମଧ୍ୟରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ କମିଶନ ସୁପାରିସ କରିଛନ୍ତି ।
ଅଧିକ ପଢ଼ନ୍ତୁ---ଚାକିରି ନାଁରେ ୧୩.୫ ଲକ୍ଷ ଠକେଇ: ୫ ବର୍ଷ ହେଲା ମାମଲା କିନ୍ତୁ ନିରବ ପୁଲିସ
ଏହି କମିଟି ସାତକୋଶିଆ ଅଞ୍ଚଳର ସମ୍ପୂର୍ଣ୍ଣ ପୁନର୍ବାସ ପ୍ରକ୍ରିୟା ଗ୍ରାମଭିତ୍ତିକ ଯାଞ୍ଚ କରିବ। ଆଇନଗତ ଉଲ୍ଲଂଘନ ଚିହ୍ନଟ କରିବ ଏବଂ ଆବଶ୍ୟକ ସଂଶୋଧନ ସୁପାରିଶ କରିବ। ଯେଉଁ ୬ ମାସ ତଦନ୍ତ ଚାଲିଥିବ, ସାତକୋଶିଆ ବଫର/ଫ୍ରିଞ୍ଜ ଅଞ୍ଚଳରୁ କୌଣସି ନୂଆ ପୁନର୍ବାସ ହେବ ନାହିଁ। ସାତକୋଶିଆ ପୁନର୍ବାସ ପ୍ରସଙ୍ଗରେ ମାନବାଧିକାର ଆୟୋଗର ଏହି ଆଦେଶ ରାଜ୍ୟ ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆଗାମୀ ଦିନରେ ସରକାର କେଉଁ ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ ।
Follow Us