Veerapan Photograph: (Kanak News)
କନକ ବ୍ୟୁରୋ: ଭାରତର ଇତିହାସରେ ଏମିତି କିଛି ନାଁ ଅଛି, ଯାହା ଶୁଣିଲେ ଆଜି ବି ଲୋକଙ୍କ ମନରେ ଛନକା ପଶିଯାଏ । ସେମିତି ଏକ ଦୁର୍ଦ୍ଦାନ୍ତ ନାଁ ହେଉଛି କୁସ ମୁନିସ୍ୱାମୀ ବୀରପ୍ପନ, ଯାହାକୁ ଦୁନିଆ 'ବୀରାପ୍ପନ' ବୋଲି ଜାଣେ । ବୀରାପ୍ପନ କେବଳ ଜଣେ ସାଧାରଣ ଅପରାଧୀ ନଥିଲା, ବରଂ ସେ ଥିଲା ଦକ୍ଷିଣ ଭାରତର ଘଞ୍ଚ ଜଙ୍ଗଲର 'ଅଘୋଷିତ ସମ୍ରାଟ' ।
କୁଖ୍ୟାତ ଚନ୍ଦନ କାଠ ଚୋରା ଚାଲାଣକାରୀ ଏବଂ ଦସ୍ୟୁ ବୀରପ୍ପନର ନାଁ ଶୁଣିଲେ ଦିନେ ଦକ୍ଷିଣ ଭାରତର ଜଙ୍ଗଲ ଥରୁଥିଲା । ପ୍ରାୟ ଦୁଇ ଦଶନ୍ଧି ଧରି କର୍ଣ୍ଣାଟକ, ତାମିଲନାଡୁ ଏବଂ କେରଳର ଘଞ୍ଚ ଜଙ୍ଗଲରେ ସେ ନିଜର ଏକଛତ୍ରବାଦୀ ଶାସନ ଚଲାଇଥିଲା । ବୀରପ୍ପନ କେବଳ ଜଣେ ଅପରାଧୀ ନଥିଲା, ବରଂ ସରକାର ଓ ପୋଲିସ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥିଲା।
ବୀରପ୍ପନର ପୂରା ନାମ ଥିଲା କୁସ ମୁନିସ୍ୱାମୀ ବୀରପ୍ପନ । ମାତ୍ର ୧୮ ବର୍ଷ ବୟସରୁ ସେ ଅପରାଧ ଦୁନିଆରେ ପାଦ ଦେଇଥିଲା । କୁହାଯାଏ ଯେ, ସେ ପ୍ରାୟ ୨୦୦୦ରୁ ଅଧିକ ହାତୀ ଶିକାର କରି ଦାନ୍ତ ଚୋରି କରିଥିଲା ଏବଂ ହଜାର ହଜାର ଟନ୍ ଚନ୍ଦନ କାଠ ସ୍ମଗଲିଂ କରିଥିଲା । ତାର କ୍ରୁରତା ଏତେ ଥିଲା ଯେ, ସେ ପ୍ରାୟ ୧୮୪ ଜଣଙ୍କୁ ହତ୍ୟା କରିଥିଲା, ଯେଉଁଥିରେ ଅଧିକାଂଶ ପୁଲିସ ଏବଂ ବନ ଅଧିକାରୀ ଥିଲେ।
ବୀରପ୍ପନର ସବୁଠାରୁ ବଡ଼ ପରିଚୟ ଥିଲା ତାର ଲମ୍ବା ଘଞ୍ଚ ନିଶ ଏବଂ ସେ ପିନ୍ଧୁଥିବା ସବୁଜ ରଙ୍ଗର ଜଙ୍ଗଲୀ ପୋଷାକ । ସେ ଜଙ୍ଗଲର କୋଣ ଅନୁକୋଣ ଜାଣିଥିଲା, ଯେଉଁଥିପାଇଁ ହଜାର ହଜାର ପୁଲିସ ଫୋର୍ସ ତାକୁ ଧରିବାରେ ବାରମ୍ବାର ବିଫଳ ହେଉଥିଲେ ।
ଆହୁରି ପଢ଼ନ୍ତୁ... କ୍ୟାରିୟରର ଚମତ୍କାର ଆରମ୍ଭ, ସଉକ ପାଇଁ ଉଜୁଡ଼ିଲା ସବୁକିଛି: ସଚିନଙ୍କୁ ବି ପଛରେ ପକାଇଥିଲେ କାମ୍ବଲି!
୨୦୦୦ ମସିହାରେ କନ୍ନଡ ସୁପରଷ୍ଟାର ଡକ୍ଟର ରାଜକୁମାରଙ୍କୁ ଅପହରଣ କରି ସେ ସାରା ଦେଶକୁ ଚକିତ କରିଦେଇଥିଲା । ରାଜକୁମାରଙ୍କୁ ମୁକ୍ତ କରିବା ପାଇଁ ସରକାରଙ୍କୁ ଅନେକ ସର୍ତ୍ତ ମାନିବାକୁ ପଡ଼ିଥିଲା । ଏହାପୂର୍ବରୁ ସେ ପୂର୍ବତନ ମନ୍ତ୍ରୀ ଏଚ୍. ନାଗପ୍ପାଙ୍କୁ ମଧ୍ୟ ଅପହରଣ କରି ହତ୍ୟା କରିଥିଲା ।
ବୀରପ୍ପନକୁ ଧରିବା ପାଇଁ ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଶେଷରେ ୧୮ ଅକ୍ଟୋବର ୨୦୦୪ରେ ତାମିଲନାଡୁ ସ୍ପେଶାଲ ଟାସ୍କ ଫୋର୍ସ 'ଅପରେସନ କୋକୁନ' ମାଧ୍ୟମରେ ତାକୁ ଏକ ଏନକାଉଣ୍ଟରରେ ମାରିବାରେ ସଫଳ ହୋଇଥିଲା । ବିଜୟ କୁମାରଙ୍କ ନେତୃତ୍ୱରେ ପୁଲିସ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ବୀରପ୍ପନକୁ ଜଙ୍ଗଲରୁ ବାହାରକୁ ଆଣିବାରେ ସଫଳ ହୋଇଥିଲା ।
କିଛି ସ୍ଥାନୀୟ ଗରିବ ଲୋକଙ୍କ ପାଇଁ ସେ 'ରବିନ ହୁଡ୍' ଭଳି ଥିଲା, କିନ୍ତୁ ଜଣେ ହତ୍ୟାକାରୀ ଓ ସ୍ମଗଲର ଭାବେ ସେ ଭାରତୀୟ ଅପରାଧ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ହୋଇ ରହିବ। ତା’ର ମୃତ୍ୟୁ ସହିତ ଦକ୍ଷିଣ ଭାରତର ଜଙ୍ଗଲରୁ ଏକ ଭୟଙ୍କର ଯୁଗର ଅନ୍ତ ଘଟିଥିଲା ।
Follow Us