farmer protest Photograph: (kanak news)
କନକ ବ୍ୟୁରୋ: ଦର ବଢ଼ିଗଲେ, ସରକାରଙ୍କ ଚେତାଇବା ପାଇଁ ସେହି ସାମଗ୍ରୀକୁ କମ୍ ଦାମରେ ବିକ୍ରି କରି ପ୍ରତିବାଦ କରିଥାନ୍ତି ବିଭିନ୍ନ ରାଜନୈତିକ ଦଳ। ହେଲେ ଅମଳ ପରେ ଧାନ ବିକି ନପାରିବାରୁ କିଲୋ ପିଛା ମାତ୍ର ୧୦ଟଙ୍କାରେ ବିକି ପ୍ରତିବାଦ ଜଣାଇଛନ୍ତି ସମ୍ବଲପୁର ଚାଷୀ । ଅନ୍ୟପଟେ ଆନ୍ଦୋଳନ ପରେ ଆଜି ପୁଣି କିଛି ଚାଷୀଙ୍କୁ ଟୋକନ୍ ଦେଇଛନ୍ତି ସରକାର ।
ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ହାଟ ବସିଛି। ରାସ୍ତା କଡ଼ ହାଟରେ କଷ୍ଟ ଉପାର୍ଜିତ ଧାନ ବିକ୍ରି କରୁଛନ୍ତି ଚାଷୀ। ପୁଣି ଧାନ କେଜି ମାତ୍ର ୧୦ ଟଙ୍କା। ପଥଚାରି ଚାଷୀଙ୍କଠାରୁ ଧାନ କିଣୁଛନ୍ତି। ଏପଟେ ଜୋରଦାର ନାରାବାଜି ଚାଲିଛି। ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି ଚାଷୀ। ଟୋକନ ନମିଳିବା ଫଳରେ ଅଭାବୀ ବିକ୍ରିର ସମ୍ମୁଖିନ ହେଉଥିବା ଚାଷୀ ଏମିତି ନିଆରା ଢଙ୍ଗରେ ସରକାରଙ୍କୁ ଶୁଣାଇଛନ୍ତି ତାଙ୍କ ବେଦନା। ପ୍ରତିବାଦ କରି ରାଜରାସ୍ତାରେ ନିଜର ଦୁଃଖ ଢାଳିଛନ୍ତି। ସମସ୍ୟାର ସମାଧାନ ନହେଲେ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି କୃଷକ ନେତା। ପ୍ରତିବାଦରେ ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ସାମିଲ ହେବାର କିଛି ସମୟ ପରେ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ପହଞ୍ଚିଥିଲେ। ବିଧାୟକଙ୍କ ଉପସ୍ଥିତିରେ ସରକାର ବିରୋଧରେ ନାରା ଦେଇଥିଲେ ଚାଷୀ ଓ ବିଜେଡି କର୍ମୀ।
ଆହୁରି ପଢ଼ନ୍ତୁ : ବଦଳିବ କି ଗଞ୍ଜାମ ଗଣିତ? ଜେଲ୍ରେ ଜିଲ୍ଲା ବିଜେଡି ସଭାପତି
ବିଧାୟକ ଚାଷୀଙ୍କୁ ଭେଟିବା ପରେ ଜିଲ୍ଲାପାଳଙ୍କ ସହ ଟୋକନ ସମସ୍ୟା ନେଇ ଆଲୋଚନା କରିଥିଲେ। ଯେଉଁ ଚାଷୀଙ୍କର ଦ୍ବିତୀୟ ଟୋକନ ଆସିନାହିଁ ଖୁବଶୀଘ୍ର ଆସିବ ଏବଂ ବାକି ଟୋକନ ମଧ୍ୟ ଠିକ୍ ସମୟରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏସବୁ ଭିତରେ ଆଜି ସମ୍ବଲପୁରର ଆଉ ୧୧ ହଜାର ଚାଷୀଙ୍କୁ ମିଳିଛି ଟୋକନ। ତେବେ ଚାଷୀଙ୍କ ଆନ୍ଦୋଳନ ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ସମବାୟ ମନ୍ତ୍ରୀ। ତେବେ ସମ୍ବଲପୁର, ବରଗଡ଼, ସୋନପୁର, କଳାହାଣ୍ଡି ସବୁଠି ସମାନ ଅବସ୍ଥା। ଟୋକନ ସମସ୍ୟାକୁ ନେଇ ଦହଗଞ୍ଜ ଚାଷୀ ।
Follow Us