କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ତୈଳ ଯୋଗାଣକୁ ନେଇ ଭାରତର ଚିନ୍ତା ବଢ଼ୁଥିବାବେଳେ, ରୁଷ ପୁଣି ଥରେ ଭାରତକୁ ଆଶ୍ୱାସନା ଦେଇଛି। ଯଦି ଭାରତ ତେଲ ଓ ଗ୍ୟାସ ଯୋଗାଣ ଅଭାବର ସମ୍ମୁଖୀନ ହୁଏ, ତେବେ ଭାରତର ମୋଟ ଶକ୍ତି ଚାହିଦା ପୂରଣ କରିବ ବୋଲି ରୁଷ କହିଛି। ରୁଷିଆନ ଫେଡେରେସନର ଦୂତାବାସର ଜଣେ ଅଧିକାରୀଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ଆମେ ଭାରତର ଶକ୍ତି ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ। ଆମେ ଭାରତ ପାଇଁ ସବୁବେଳେ ତେଲ ଯୋଗାଣ ଖୋଲା ରଖିଛୁ। ଶକ୍ତି ଯୋଗାଣ ବାଧାପ୍ରାପ୍ତ ହେବା ସତ୍ତ୍ୱେ ରୁଷ ଭାରତର ଚାହିଦା ପୂରଣ କରିବ।
ଅଧିକ ପଢ଼ନ୍ତୁ: ୟୁଏଇରେ ଫସିଛନ୍ତି ଭାରତୀୟ, ଫେରେଇଆଣିବାକୁ ଗଲା ସ୍ପାଇସଜେଟର ୧୩ ସ୍ୱତନ୍ତ୍ର ବିମାନ
ଉଲ୍ଲେଖଯୋଗ୍ୟ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସୋମବାର କହିଥିଲେ ଯେ ଭାରତରେ ପର୍ୟ୍ୟାପ୍ତ ଅଶୋଧିତ ତୈଳ ଭଣ୍ଡାର ଅଛି ଏବଂ ପେଟ୍ରୋଲ, ଡିଜେଲ ଓ ଏଟିଏଫ୍ ସମେତ ଅତ୍ୟାବଶ୍ୟକ ଇନ୍ଧନର ପର୍ୟ୍ୟାପ୍ତ ଷ୍ଟକ୍ ଅଛି। ଏହା ବଢ଼ୁଥିବା ଉତ୍ତେଜନା ସମୟରେ କ୍ଷଣିକ ଯୋଗାଣ ବାଧାକୁ ସମାଧାନ କରିବାରେ ସାହାଯ୍ୟ କରିବ। ତେବେ ଅତୀତରେ ମଧ୍ୟ ଅନେକ ଥର ଋଷ ଭାରତ ପାଇଁ ସହାୟକ ପ୍ରମାଣିତ ହୋଇଛି। ଗତ ବର୍ଷ ନୂଆଦିଲ୍ଲୀ ଗସ୍ତ ସମୟରେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତକୁ ଶକ୍ତି ଯୋଗାଣ ଜାରି ରଖିବାର ପ୍ରତିଶ୍ରୁତି ଦେଇଥିଲେ। ଭାରତ ଦୀର୍ଘ ଦିନ ଧରି ରୁଷରୁ ଶସ୍ତା ଅଶୋଧିତ ତେଲ ଆମଦାନୀ କରିଆସୁଛି। ଆମେରିକା ସହିତ ବାଣିଜ୍ୟ ଚୁକ୍ତି ହେବା ପରଠାରୁ, ଭାରତ ରୁଷରୁ ତୈଳ ଆମଦାନୀକୁ ଯଥେଷ୍ଟ ହ୍ରାସ କରିଛି।
Follow Us