କନକ ବ୍ୟୁରୋ: ମଣ୍ଡି ଯନ୍ତ୍ରଣା ସହିନପାରି ରାଜନଗରରେ ଚାଷୀ ମୃତ୍ୟୁ ହୋଇଥିବା ଅଭିଯୋଗ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଚାଷୀ ଅସନ୍ତୋଷ ଖବର । ଝାଳ ବୁହାଇ ଅମଳ କରି ବିକ୍ରି କରିବାକୁ ଅପେକ୍ଷା କରିଥିବାବେଳେ ଧାନ ଉଠୁନଥିବାରୁ ନିରୂପାୟ ହୋଇ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । 

Advertisment

ଏହା ବି ପଢ଼ନ୍ତୁ: ଶୈଳବାଳା କଲେଜକୁ କେବେ ମିଳିବ ୟୁନିଭର୍ସିଟି ମାନ୍ୟତା ; ଜିଦରେ ଅଟଳ ଛାତ୍ରୀ

ବିଧାନସଭାରେ ହଟ୍ଟଗୋଳ ଓ ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ଆଶା କରାଯାଉଥିଲା ମଣ୍ଡି ଯନ୍ତ୍ରଣା କମିବ। ମଣ୍ଡି ସମସ୍ୟାର ସମାଧାନ କରି ଚାଷୀ ଯନ୍ତ୍ରଣା କମାଇବାକୁ ଯୋଗାଣ ବିଭାଗ ପଦକ୍ଷେପ ନେବ। କିନ୍ତୁ ବାସ୍ତବ ସ୍ଥିତି ଜଳଜଳ କରି ଦିଶୁଛି । ରାଜ୍ୟର ଉତ୍ତର ଦକ୍ଷିଣରୁ ଆସିଥିବା ଦୁଇଟି ଦୃଶ୍ୟ ବୟାନ କେତେ ସୁଧୁରିଛି ମଣ୍ଡି ସମସ୍ୟା । ସରକାର ଓ ମିଲରଙ୍କ ମାନମାନି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । 

ଜଳେଶ୍ବର ବ୍ଲକ ରାଜପୁର ପଞ୍ଚାୟତ ରାମନଗର ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀ ରାଜଘାଟ-ଜଳେଶ୍ବର ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ପ୍ରତିବାଦ କରିଛନ୍ତି। ୪୬୪ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ମାତ୍ର ୯୭ ଜଣଙ୍କ ଧାନ କିଣାଯାଇଛି । ମାର୍ଚ୍ଚ ୩୧ ଧାନ କିଣାର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବାରୁ ତୁରନ୍ତ ଧାନ ଉଠାଇବାକୁ ଦାବି କରିଛନ୍ତି ଆନ୍ଦୋଳନକୁ ଓହ୍ଲାଇଥିବା ଚାଷୀ । ଏଥିସହ ଯେଉଁମାନଙ୍କ ଟୋକନ ଅବଧି ବଢ଼ାଇବାକୁ ଦାବି କରିଛନ୍ତି । 

ମାଲକାନଗିରି ର ବି ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତ ମାସେ ହେଲା ମଣ୍ଡିରୁ ଧାନ ଉଠି ନଥିବା ଅଭିଯୋଗ ଆଣି କୋରୁକୋଣ୍ଡାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ମାଲକାନଗିରି-ବାଲିମେଳା ଯାତାୟତ ପ୍ରଭାବିତ ହୋଇଛି । ଚଳିତ ବର୍ଷ ଧାନ କିଣା ଆରମ୍ଭରୁ ଲାଗି ରହିଛି ସମସ୍ୟା । ସ୍ବାଭାବିକ ହୋଇପାରୁନି ମଣ୍ଡି । କେତେବେଳେ ମିଲରଙ୍କ ମନମାନି ତ ଆଉ କେତେବେଳେ ଟୋକନ ସମସ୍ୟାରେ ଯନ୍ତ୍ରଣା ଭୋଗୁଛନ୍ତି ଅନ୍ନଦାତା ।