କନକ ବ୍ୟୁରୋ : ଢେଙ୍କାନାଳ ରଜା ଘର ଇତିହାସର ମୂକସାକ୍ଷୀ ଭଗ୍ନ ମହଲ ଯତନ ନଗର। ରାଣୀଙ୍କ ପାଇଁ ରାଜା ନିର୍ମାଣ କରିଥିଲେ ମହଲ। ପ୍ରଜାଙ୍କୁ ବେଠି ଖଟାଇ ବେତ କୋରଡ଼ା ମାଡ଼ ଦେଇ ତିଆରି କରାଯାଉଥିବା ଏହି ରାଜପ୍ରସାଦ ଅସମ୍ପୂର୍ଣ୍ଣ ହୋଇ ରହିଯାଇଥିଲା । ଏବେ ଉଡ଼ିଯାଇଛି ହେଲେ କନା ପଡ଼ି ରହିଛି କର୍ପୁର । ସରକାରଙ୍କ ବି ଏଥିପ୍ରତି ଦୃଷ୍ଟି ନାହିଁ ।ଗଡ଼ଜାତ ରାଜ୍ୟ ଢ଼େଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂଦେଓ ତାଙ୍କ ସାନ ଭାଈ ନୃସିଂହ ପ୍ରସାଦ ସିଂଦେଓଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ଵ ଭାର ଅର୍ପଣ କରି କିଛି ବର୍ଷ ପାଇଁ ଇଂଲଣ୍ଡ ଚାଲି ଯାଇଥିଲେ । ରାଜାନଥିବାରୁ ଉଦ୍ଧତ କ୍ରୁର ପଟାୟତ ସାହେବ୍ ନିଜ ପତ୍ନୀ ଯତନ କୁମାରୀଙ୍କ ପାଇଁ ଏକ ରାଜପ୍ରାସାଦ ନିର୍ମାଣ କରିବାକୁ ଯୋଜନା କଲେ। କଲିକତାର ଯନ୍ତ୍ରୀଙ୍କ ସହାୟତାରେ ରାଜମହଲ ନକ୍ସା ପ୍ରସ୍ତୁତ କରାଗଲା। କାଙ୍କଡ଼ପାଳ ମୌଜାରେ ଥିବା ୩୦୦ ଫୁଟ୍ ଉଚ୍ଚତାର ପାହାଡ଼ ଉପରେ ପତ୍ନୀଙ୍କ ନାଁରେ ମହଲ ନିର୍ମାଣ ଆରମ୍ଭ ହେଲା। ନିରୀହ ପ୍ରଜାଙ୍କୁ ଡରାଇ ଧମକାଇ ବହୁତ କମ ପାରିଶ୍ରମିକରେ ଚାବୁକ ମାଡ଼ ଦେଇ କାମ କରାଯାଉଥିଲା । ପାହାଡ଼ ଉପରକୁ କାଠ ପଥର, ପାଣି, ଚୂନ ବୋହିବାରେ ହାତୀ ଓ ଓଟଙ୍କୁ କାମରେ ଲଗାଯାଉଥିଲା । ଆଜି ସେହି ଭଗ୍ନ ମହଲ ଯନ୍ତ୍ରଣାର ମୂକସାକ୍ଷୀ ହୋଇ ଛିଡା ହୋଇଛି।
ଅଧିକ ପଢ଼ନ୍ତୁ :ଜିଲ୍ଲାସ୍ତରୀୟ ମହୋତ୍ସବ ନା ଦଳୀୟ ଉତ୍ସବ, ଢେଙ୍କାନାଳ ମହୋତ୍ସବରେ ପୋଷ୍ଟର୍ ରାଜନୀତି
ମଜବୁତ କଂକ୍ରିଟ ନିଅଁ ଉପରେ ମାଙ୍କଡ଼ା ପଥର ଓ ଇଟାରେ ପ୍ରସ୍ତୁତ କରାଯାଇଥିଲା ଏହି ରାଜ ଉଆସ । ୨ ମହଲା ବିଶିଷ୍ଟ ବିଶାଳ ମହଲରେ ୯୯ଟି ଦ୍ଵାର ରହିଥିଲା । ସମ୍ମୁଖ ଭାଗ ୬ଟି ସୁଉଚ୍ଚ ପଥର ଖୁମ୍ବ ଉପରେ ରହିଥିଲା । ଏବେ ମାତ୍ର ଗୋଟିଏ ଖୁମ୍ବ ରହିଛି କ୍ଷ ବାକି ୫ଟି ଭାଙ୍ଗିଗଲାଣି । କାନ୍ଥଗୁଡ଼ିକ ୨୦ ଇଞ୍ଚ୍ ଚଉଡ଼ା ର ମଜବୁତ ଥିବାରୁ ଏବେବି ଘର ଗୁଡ଼ିକ ଠିଆ ହେଇ ରହିଛି । କିନ୍ତୁ ୯୦ ପ୍ରତିଶତ ଛାତ ଭୁସୁଡ଼ିଗଲାନି । ଘରେ ଲାଗିଥିବା କବାଟ, ଆଲମିରାକୁ ଲୋକେ ତାଡି ନେଇଗଲେଣି । କୁହାଯାଏ ଯେ ଏହି ଯତନ ନଗର ମହଲରୁ ଢେଙ୍କାନାଳ ରାଜପ୍ରାସାଦକୁ ସିଡି କରିବାର ଯୋଜନା ଥିଲା । ମାତ୍ର ୧୯୩୮ ପ୍ରଜା ଆନ୍ଦୋଳନ ଯୋଗୁ ରାଜା ଶଙ୍କର ପ୍ରତାପ ସିଂଦେଓ ବିଦେଶରୁ ଫେରି ଭାଈ ନୃସିଂହ ପ୍ରସାଦ ସିଂଦେଓଙ୍କୁ ଦେଶାନ୍ତର କରିଦେଇଥିଲେ। ଫଳରେ ନିର୍ମାଣଧୀନ ରାଜପ୍ରାସାଦ ଅସମ୍ପୂର୍ଣ୍ଣ ହୋଇ ରହିଯାଇଥିଲା। ସ୍ଥାନୀୟ ବାସିନ୍ଦା କୁହନ୍ତି, ଯଦି ସରକାର ଏହି ଅଭିଶପ୍ତ ମହଲକୁ ପର୍ଯ୍ୟଟନ କ୍ଷେତ୍ର ପାଇଁ ପ୍ରୋତ୍ସାହିତ କରନ୍ତେ ଏଠାରେ ଅନେକ ପର୍ୟ୍ୟଟକ ସମାଗମ ହୁଅନ୍ତା।
Follow Us