କନକ ବ୍ୟୁରୋ: ଦୀର୍ଘ ୧୦ ବର୍ଷ ପରେ ଆରମ୍ଭ ହୋଇଥିବା ଢେଙ୍କାନାଳ ମହୋତ୍ସବ ଆଜି ଶେଷ ହେବ । ଜିଲ୍ଲାର କଳା ସଂସ୍କୃତି ସ୍ଥାପତ୍ୟର ପରିପ୍ରକାଶ ଦିଗରେ ମହୋତ୍ସବର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । ହେଲେ ମହୋତ୍ସବ ସାରା ବିଜେପି ନେତା ମନ୍ତ୍ରୀଙ୍କ ପୋଷ୍ଟର ବ୍ୟାନର ଛାଇ ହୋଇଯାଇଛି । ଯାହାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ । ଢେଙ୍କାନାଳ ମହୋତ୍ସବରେ ପୋଷ୍ଟର ରାଜନୀତି !

Advertisment

ଅଧିକ ପଢନ୍ତୁ:  ଶ୍ରୀମନ୍ଦିରର ପ୍ରଥମ ନିର୍ମାତା ଥିଲେ ‘ପଲ୍ଲ’! ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ନୃସିଂହ ମନ୍ଦିରରେ ପୂଜା ପାଉଥିଲେ ମହାପ୍ରଭୁ

କୌଣସି ସ୍ଥାନରେ ଲାଗିନି ବାଜି ରାଉତଙ୍କ ଫଟୋ
ମହିଶାପାଟ ବାଇପାସ୍ ଛକ ପଲିଶ୍ରୀ ମେଳା ପଡ଼ିଆରେ ଚାଲିଛି ଢେଙ୍କାନାଳ ମହୋତ୍ସବ । ଏକ ଦଶନ୍ଧି ଧରି ବନ୍ଦ ରହିଥିବା ମହୋତ୍ସବକୁ ଜିଲ୍ଲା ପ୍ରଶାସନ ଆୟୋଜନ ତ’ କରିଛି, ମାତ୍ର ଏହା ଜିଲ୍ଲା ମହୋତ୍ସବ ନା ଦଳୀୟ ଉତ୍ସବ ତାହା ବୁଝିବା କଷ୍ଟକର ହୋଇପଡ଼ିଛି। ସହୀଦ ବାଜିରାଉତଙ୍କ ଶତବାର୍ଷିକୀ ଉପଲକ୍ଷେ ମହୋତ୍ସବକୁ ଉତ୍ସର୍ଗୀକୃତ କରାଯାଇଛି । ହେଲେ ଶହୀଦଙ୍କ ଫଟୋ କେଉଁ ଗୋଟେ ଜାଗାରେ ନାହିଁ। ଯୁଆଡ଼େ ଦେଖିବ ଶାସକ ଦଳର ମାଳମାଳ ପୋଷ୍ଟର୍‌ । ବାଜି ଚଉକ ଠାରୁ ମହୋତ୍ସବ ପଡ଼ିଆ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟ ପଟ ବିଜୁଳି ଖୁଣ୍ଟରେ ଶାସକ ଦଳର ଅନେକ ନେତା ଓ ମନ୍ତ୍ରୀଙ୍କ ଫଟୋ ଫ୍ରେମ ଲାଗିଛି  । 

ଗତ ଜାନୁୟାରୀ ୨୦ରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆଜି ଶେଷ ହେବ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏତେ ସଂଖ୍ୟକ ନେତାଙ୍କ ଫଟୋ କିଏ ଲଗାଇଲା ଏନେଇ ଦଳୀୟ କର୍ମୀ ଜାଣିନାହାନ୍ତି । ମହୋତ୍ସବ କମିଟି ସଦସ୍ୟଙ୍କ ମତାମତକୁ ଗୁରୁତ୍ବ ଦିଆଯାଇନାହିଁ! ବୋଲି ଅନେକ ସଦସ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। କିନ୍ତୁ ମନ୍ତ୍ରୀ କହୁଛନ୍ତି, ଲୋକ ବହୁତ ଖୁସି ଅଛନ୍ତି ।  ତେବେ ଢେଙ୍କାନାଳ ମହୋତ୍ସବକୁ ଏକ ପ୍ରକାର ଦଳୀୟ ଉତ୍ସବର ରଙ୍ଗ ଦିଆଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି ।