କନକ ବ୍ୟୁରୋ: ପୂର୍ବତନ ବିଶ୍ବବିଜେତା ସୁଟର୍‌ ରୁଦ୍ରାଂକ୍ଷ ପାଟିଲ ଚଳିତ ଏସୀୟ ରାଇଫଲ/ପିସ୍ତଲ ପ୍ରତିଯୋଗିତାରେ ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ତାଙ୍କ ପଛକୁ ଅଲିମ୍ପିଆନ୍‌ ଅର୍ଜୁନ ବାବୁତା ରହି ‌ରୌପ୍ୟ ପଦକ ଜିତିଥିଲେ । ଫଳରେ ଏହି ଇଭେଣ୍ଟ୍‌ରେ ୧-୨ ସଫଳତା ପାଇଛି । ଦୁଇ ଭାରତୀୟଙ୍କ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍‌‌ରେ ରୁଦ୍ରାଂକ୍ଷ (୨୫୧.୯ ପଏଣ୍ଟ୍‌) ସାଥୀ ଖେଳାଳି ବବୁତା (୨୫୦.୭)ଙ୍କୁ ପଛରେ ପକାଇ ବିଜେତା ହୋଇଥିଲେ । ଏହି ଦୁଇଙ୍କ ସହ ବିଶାଳ ସିଂହ ଦଳଗତରେ ୧୮୮୪.୭ ପଏଣ୍ଟ୍‌ ସହ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ । ରୁଦ୍ରାଂକ୍ଷଙ୍କ ଏହା ବ୍ୟକ୍ତିଗତ ବର୍ଗରେ ପ୍ରଥମ ମହାଦେଶୀୟ ସ୍ବର୍ଣ୍ଣ । ପୂର୍ବରୁ ସେ ୨୦୨୪ରେ ଜାକର୍ତାରେ ମିଶ୍ରିତ ଯୁଗଳ ବର୍ଗରେ ପୋଡିୟମ୍‌ର ଶୀର୍ଷ ସ୍ଥାନ ଅଧିକାର କରିଥିଲେ । 

Advertisment

ଏହା ବି ପଢ଼ନ୍ତୁ: ‌ବାଦ୍‌ ପଡ଼ିବେ ହର୍ଷିତ; ସାମିଲ ହେବେ ସିରାଜ

କନିଷ୍ଠ ପୁରୁଷ ୧୦ ମିଟର ରାଇଫଲ୍‌ରେ ଭାରତୀୟ ଖେଳାଳି ପଦକ ପୋଛି ନେଇଛନ୍ତି । ହିମାଂଶୁ (୨୫୦.୦) ସ୍ବର୍ଣ୍ଣ, ଆନ୍‌ଶ ଦାବାସ (୨୪୭.୯) ରୌପ୍ୟ ଓ ସୁରେଶ ପ୍ରଣବ (୨୨୬.୮) କାଂସ୍ୟ ପାଇଥିଲେ । ଦଳଗତରେ ହିମାଂଶୁ, ପ୍ରଣବ ଓ ଅଭିନବ ସ’ଙ୍କୁ ନେଇ ଗଠିତ ଭାରତୀୟ କନିଷ୍ଠ ଦଳ ୧୮୮୭.୮ ପଏଣ୍ଟ ସହ କାଜାଖସ୍ତାନ (୧୮୫୧.୩)କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତିଥିଲା ।