କନକ ବ୍ୟୁରୋ : ଯୁବ ଭାରତୀୟ ଦ୍ରୁତ ବୋଲର ହର୍ଷିତ ରାଣା ଶନିବାରଠୁ ଆରମ୍ଭ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ବାଦ୍‌ ପଡ଼ିବା ଆଶଙ୍କା ଜାତ ହୋଇଛି । ତାଙ୍କ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ସିରାଜ ଦଳରେ ସାମିଲ ହୋଇପାରନ୍ତି । ସିରାଜ ୱାଙ୍ଖ୍‌ଡ଼େରେ ‌ଖେଳାଯିବାକୁ ଥିବା ୟୁଏସ୍‌ଏ ବିପକ୍ଷ ଭାରତର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଦଳରେ ଯୋଗଦେବାର ଅଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ୱାର୍ମ-ଅପ୍‌ ମ୍ୟାଚ୍‌ରେ ବୋଲିଂ କରୁଥିଲା ବେଳେ ହର୍ଷିତଙ୍କ ଆଣ୍ଠୁରେ ଯନ୍ତ୍ରଣା ହୋଇଥିଲା । ଫଳରେ ବୋଲିଂ ବେଳେ ଦୁଇ ଥର ରନ୍‌ଅପ୍‌ରେ ଅଟକି ଥିଲେ ଏବଂ ପରେ ନିଜ ଆଣ୍ଠୁକୁ ଧରି ପଡ଼ିଆ ବାହାରକୁ ଚାଲିଯାଇଥିଲେ । ଏହି ମ୍ୟାଚ୍‌ରେ ସେ ଗୋଟିଏ ଓଭର ବୋଲିଂ କରି ୧୬ ରନ୍‌ ବ୍ୟୟ କରିଥିଲେ। ଏପର୍ଯ୍ୟନ୍ତ ସେ ସୁସ୍ଥ ହୋଇ ନାହାନ୍ତି । କିନ୍ତୁ ତାଙ୍କ ବାଦ୍‌ ପଡ଼ିବା ନେଇ ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଥିଲେ ଯେ ‘‘ହର୍ଷିତ ରାଣା ଏ ପର୍ଯ୍ୟନ୍ତ ଦଳରୁ ବାଦ୍‌ ପଡ଼ି ନାହାନ୍ତି। ଫିଜିଓ ତାଙ୍କର ମୂଲ୍ୟାଙ୍କନ କରୁଛନ୍ତି। କିନ୍ତୁ କିଛି ଭଲ ନାହିଁ।’’

Advertisment