କନକ ବ୍ୟୁରୋ : ଚୌଦ୍ୱାର ଜେଲରୁ କଏଦୀ ଫେରାର ପରେ ଆରମ୍ଭ ହୋଇଥିବା ଜେଲ ବିଭାଗର ବିବାଦ ଆହୁରି ବଢ଼ିଛି । ଚୌଦ୍ୱାର ଜେଲ ଅଧିକ୍ଷକଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି ପୂର୍ବତନ ଜେଲର । ସେପଟେ ପୁରା ଘଟଣା ଉପରେ ଗୃହବିଭାଗ ନଜର ରଖିଛି ଓ ଶୀଘ୍ର କାର୍ଯ୍ୟାନୁଷ୍ଠାନ  ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।  ଚୌଦ୍ୱାର ଜେଲରୁ ଫେରାର କଏଦୀ ପରଠୁ ନିଜ ଦୋଷ ଲୁଚାଇବାକୁ ଉଦ୍ୟମ କରୁଛନ୍ତି ଜେଲ ବିଭାଗର ଅଧିକାରୀ। ପ୍ରଥମେ ଜେଲ ଅଧିକ୍ଷକ ଓ ପୂର୍ବତନ ଜେଲର ପରସ୍ପର ବିରୋଧରେ ଏତଲା ଦେଲେ। ଆଉ ଏବେ ଓକିଲ ଜରିଆରେ ଅଧିକ୍ଷକ ସୁଜିତ ରାଉଳଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି ପୂର୍ବତନ ଜେଲର ସନ୍ତୋଷିନୀ ଦାସ। ନୋଟିସରେ ସେ ୩ଟି ସର୍ତ୍ତ ରଖିଛନ୍ତି । ୭ ଦିନ ଭିତରେ ଚୌଦ୍ୱାର ଥାନାରେ ଦେଇଥିବା ଏତଲା ପ୍ରତ୍ୟାହାର, ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଓ ଆଣିଥିବା ଅଭିଯୋଗ ମିଛ ବୋଲି ଲିଖିତ ଭାବେ ଦେବାକୁ ଦାବି କରିଛନ୍ତି । ନହେଲେ କୋର୍ଟରେ ମାନହାନୀ ମକଦ୍ଦମା କରିବେ ବୋଲି ଲିଗାଲ ନୋଟିସରେ ଉଲ୍ଲେଖ ରହିଛି । ସେପଟେ ଏହି ଘଟଣାକୁ ଗୁରୁତର ଭାବେ ନେଇ ଗୃହବିଭାଗ ପଦକ୍ଷେପ ନେଇଛି,  ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ  ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

Advertisment

ଅଧିକ ପଢ଼ନ୍ତୁ :  ଜଣାପଡ଼ିଲା ମହିଳା ୱାର୍ଡ ଦେଇ ଚମ୍ପଟ ମାରିଥିଲା ଝାଡ଼ଖଣ୍ଡ କଏଦୀ; ଚୌଦ୍ୱାର ମାମଲାରେ ଚୁପ୍‌ ଜେଲ୍‌ ବିଭାଗ

ଜେଲ ଅଧିକ୍ଷକ ଓ ପୂର୍ବତନ ଜେଲରଙ୍କ ବିବାଦ ଜେଲ ବିଭାଗର ଅଡ଼ୁଆ ବଢ଼ାଇଛି। ଜେଲର ବହୁ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ, ଜେଲ୍‌ ଅନ୍ତେବାସୀଙ୍କ ତଥ୍ୟ ଏବେ ପଦାରେ ପଡ଼ିଛି। ଯାହା ଜେଲ୍‌ର ସୁରକ୍ଷାକୁ ବିପଦ ମୁହଁକୁ ଠେଲି ଦେଇଛି। କିନ୍ତୁ ବିଡମ୍ବନାରୀ ବିଷୟ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଏଯାଏଁ ମୁହଁ ଖୋଲୁନାହାନ୍ତି ଜେଲ୍‌ ଡିଜି। ଅନ୍ୟପଟେ ଜେଲ ଅଧିକାରୀଙ୍କ ମଧ୍ୟରେ ପରସ୍ପର ଦୋଷାରୋପ ଓ ଜେଲର ଭିତିରି ତଥ୍ୟ ଭାଇରାଲ ହେବା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ପୁଲିସ ଅଧିକାରୀ। ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ  ନେବାକୁ ଦାବି କରିଛନ୍ତି ।  ଚୌଦ୍ବାର ସର୍କଲ ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଫେରାର ଘଟଣାକୁ ତିନି ମାସ ଟପିଲାଣି। ହେଲେ ସେମାନଙ୍କୁ ଧରିବାରେ ଏପର୍ୟ୍ୟନ୍ତ ସଫଳ ହୋଇନି ଓଡ଼ିଶା ପୁଲିସ। ଆଉ ଏପଟେ ଜେଲ କଳି ପଦାରେ ପଡିଛି। ପ୍ରଶ୍ନ ଉଠୁଛି, କାହିଁକି ମୁହଁ ଖୋଲୁନାହାନ୍ତି ଜେଲ୍‌ ଡିଜି? ମୁହଁ ଖୋଲିଲେ ଅଡ଼ୁଆରେ ପଡ଼ିବେ କି?