କନକ ବ୍ୟୁରୋ: ବଲିଉଡର ଚକଚକିଆ ଦୁନିଆ ଉପରେ ଏବେ ପୁଣିଥରେ ଅଣ୍ଡରୱାର୍ଲ୍ଡର କଳା ବାଦଲ ଘୋଟି ଯାଇଛି । କ୍ରମାଗତ ଧମକ, ଗୁଳିକାଣ୍ଡ ଏବଂ ସାଂଘାତିକ ଘଟଣା ଯୋଗୁଁ ସିନେ ଜଗତ ଏବେ ଭୟର ଛାଇତଳେ । ଏସବୁ ପଛରେ ଗୋଟିଏ ନାମ ବାରମ୍ବାର ସାମ୍ନାକୁ ଆସୁଛି, ସେ ହେଉଛି ‘ଲରେନ୍ସ ବିଷ୍ଣୋଇ’ । ସୁପରଷ୍ଟାର ସଲମାନ ଖାନଙ୍କଠାରୁ ଆରମ୍ଭ ହୋଇଥିବା ଏହି ଧମକ ଏବେ ପ୍ରସିଦ୍ଧ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ପର୍ଯ୍ୟନ୍ତ ପହଞ୍ଚିଛି ।

Advertisment

ନିକଟରେ ରୋହିତ ସେଟ୍ଟୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ବାହାରେ ହୋଇଥିବା ଗୁଳିକାଣ୍ଡ ପାଇଁ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଗ୍ୟାଙ୍ଗ ଚେତାବନୀ ଦେଇ କହିଛି, "ଏହା କେବଳ ଏକ ଟ୍ରେଲର ଥିଲା । ଯଦି କଥା ନମାନିବ, ତେବେ ଗୁଳି ଘର ବାହାରେ ନୁହେଁ ବେଡରୁମ୍ ଭିତରେ ଚାଲିବ ।" ଏହି ପୋଷ୍ଟରେ ସିଧାସଳଖ ଭାବେ ସମଗ୍ର ବଲିଉଡକୁ ସଜାଗ ହେବା ପାଇଁ ଧମକ ଦିଆଯାଇଛି ।

ପ୍ରଶ୍ନ ଏହା ଯେ ଶେଷରେ ଲରେନ୍ସ ବିଷ୍ଣୋଇ ବଲିଉଡର ଶତ୍ରୁ କାହିଁକି ପାଲଟିଛି? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଏହି ଫେସବୁକ ପୋଷ୍ଟକୁ ବୁଝିବାକୁ ହେବ ।

ଆହୁରି ପଢ଼ନ୍ତୁ...  ବିଶ୍ୱକପ୍‌ର ସେହି ବିଜୟୀ ବୀର: କେହି ସାଜିଲେ ସୁପରଷ୍ଟାର, କାହାର କ୍ୟାରିୟର ହୋଇଗଲା ବର୍ବାଦ

୯୦ ଦଶକରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ଯେମିତି ଦୁବାଇରେ ବସି ବଲିଉଡକୁ ନିୟନ୍ତ୍ରଣ କରୁଥିଲା, ଲରେନ୍ସ ବିଷ୍ଣୋଇ ମଧ୍ୟ ସେହିଭଳି ରାସ୍ତା ଆପଣାଉଥିବା ମନେହେଉଛି । ପ୍ରଭାବଶାଳୀ ବ୍ୟକ୍ତି ଓ ସେଲିବ୍ରିଟିଙ୍କୁ ଟାର୍ଗେଟ କରି ସେ ନିଜର ଦବଦବା ବଢ଼ାଇବା ସହ କୋଟି କୋଟି ଟଙ୍କାର ଦାଦାବଟି ଆଦାୟ କରିବାକୁ ଚାହୁଛି ।

କେବଳ ସଲମାନ କିମ୍ବା ରୋହିତ ସେଟ୍ଟୀ ନୁହଁନ୍ତି, ଏହି ତାଲିକାରେ କମେଡିଆନ କପିଲ ଶର୍ମା, ଅଭିନେତ୍ରୀ ଦିଶା ପାଟାନୀ, ସିଙ୍ଗର ବି ପ୍ରାକ ଏବଂ ଭୋଜପୁରୀ ଷ୍ଟାର ପବନ ସିଂଙ୍କ ନାମ ମଧ୍ୟ ସାମିଲ ଅଛି । କାନାଡାରେ ଥିବା କପିଲ ଶର୍ମାଙ୍କ କ୍ୟାଫେ ଉପରେ ତିନି ଥର ଗୁଳିମାଡ଼ ହୋଇସାରିଛି । ସେହିପରି ଦିଶା ପାଟାନୀଙ୍କ ବରେଲୀ ସ୍ଥିତ ଘର ଉପରେ ମଧ୍ୟ ଆକ୍ରମଣ ହୋଇଛି । ପବନ ସିଂଙ୍କୁ ସଲମାନ ଖାନଙ୍କ ଶୋ’ 'ବିଗ୍ ବସ୍'ରେ ନଯିବା ପାଇଁ ଧମକ ଦିଆଯାଇଛି ।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସାରା ଦେଶରେ ନିଜର ଆତଙ୍କ ସୃଷ୍ଟି କରିଛି । ସାଧାରଣତଃ ଯେଉଁମାନେ ସଲମାନ ଖାନଙ୍କ ନିକଟତର କିମ୍ବା ଯେଉଁମାନଙ୍କ ପାଖରୁ ମୋଟା ଅଙ୍କର ଟଙ୍କା ମିଳିବାର ସମ୍ଭାବନା ଥାଏ, ସେମାନଙ୍କୁ ହିଁ ଏହି ଗ୍ୟାଙ୍ଗ ଟାର୍ଗେଟ କରୁଛି ।

ଏହି ଘଟଣାବଳୀରୁ ସ୍ପଷ୍ଟ ହେଉଛି ଯେ, ବଲିଉଡ ଏବେ ଏକ ବଡ଼ ସଙ୍କଟ ଦେଇ ଗତି କରୁଛି । ଯଦିଓ ପୁଲିସ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ତତ୍ପରତା ପ୍ରକାଶ କରୁଛନ୍ତି, ତଥାପି ବିଷ୍ଣୋଇ ଗ୍ୟାଙ୍ଗର ବଢୁଥିବା ସାହସ ସିନେମା ଜଗତର କଳାକାର ଓ ନିର୍ମାତାଙ୍କ ନିଦ ହଜାଇ ଦେଇଛି । ସମୟ ଆସିଛି, ଏହି ଅଦୃଶ୍ୟ ଆତଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେବାର ।