କନକ ବ୍ୟୁରୋ : ଜଣେ ୧୯ ବର୍ଷୀୟା ଝିଅ ଯାହାଙ୍କ ସ୍ବପ୍ନ ଥିଲା ନର୍ସ ହେବା କିନ୍ତୁ ପେସାରେ ଥିଲେ ଶିକ୍ଷୟିତ୍ରୀ । ଗରିବ ପରିବାରର ବୋଝକୁ ଊଣା କରିବା ପାଇଁ କୁନି କୁନି ପିଲାଙ୍କୁ ପାଠ ପଢ଼ାଇ ସେ ଆଗକୁ ନର୍ସିଂ ତାଲିମ ନେବାକୁ ଚାହୁଥିଲେ । କିନ୍ତୁ ଝିଅଟିର ସ୍ବପ୍ନକୁ ଚୁରମାର୍ କରିଦେଲେ ସମାଜରେ ମୁଖାପିନ୍ଧି ବୁଲୁଥିବା ରାକ୍ଷସ । ଝିଅଟିକୁ ଗଣଦୁଷ୍କର୍ମ କରି ମୁହଁରେ ଏସିଡ୍ ପକାଇ କିଡନି,ଯୌନାଙ୍ଗ ସବୁ କାଟି ପକାଇଲେ ସଇତାନ । ଛଟପଟ ହୋଇ ପ୍ରାଣ ହରାଇବାର ୨ ଦିନ ପରେ ପରିବାର ଏବଂ ପୁଲିସ ପୀଡ଼ିତାଙ୍କୁ ଗୋଟିଏ ବିଲରେ ମରିପଡ଼ିଥିବାର ଦେଖିବାକୁ ପାଇଲେ । ପୀଡ଼ିତାଙ୍କ ବାପା କାନ୍ଦି କାନ୍ଦି କହିଲେ ଆମେ ପୁଲିସକୁ ଜଣାଇଥିଲୁ କିନ୍ତୁ ପୁଲିସବାବୁ କହିଲେ ଝିଅ କାହା ସଙ୍ଗେ ଚାଲିଯାଇଥିବ ଆପଣ ଅପେକ୍ଷା କରନ୍ତୁ ୨,୩ ଦିନ ଭିତରେ ଘରକୁ ଚାଲିଆସିବ। କିନ୍ତୁ ଝିଅ ତ ମିଳିଲାନି ଝିଅର ମୃତଦେହ ମିଳିଲା ବୀଭତ୍ସ ଅବସ୍ଥାରେ । ପ୍ରତିବାଦ ହେଲା .. ଆନ୍ଦୋଳନ ହେଲା କିନ୍ତୁ ଝିଅକୁ ନ୍ୟାୟ ମିଳିବ କି ନାହିଁ ଏବେ ବି ସନ୍ଦେହରେ ପରିବାର । କାରଣ ଗରିବ ପରିବାର ସବୁବେଳେ ଅବହେଳିତ , ଏଭଳି ସ୍ଥିତିରେ ପୀଡ଼ିତା ପରିବାରଙ୍କୁ ନ୍ୟାୟ ଦେବା ପାଇଁ ଆଗକୁ ଆସିଛନ୍ତି ହରିୟାଣାର ଗ୍ୟାଙ୍ଗଷ୍ଟର । ଗ୍ୟାଙ୍ଗଷ୍ଟରମାନଙ୍କ ଧମକପୂର୍ଣ୍ଣ ଏଣ୍ଟ୍ରି ଆଇନଶୃଙ୍ଖଳା ଉପରେ ଗମ୍ଭୀର ପ୍ରଶ୍ନ ଛିଡ଼ା କରିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସୋସିଆଲ ମିଡିଆରେ ଏକ ଧମକପୂର୍ଣ୍ଣ ପୋଷ୍ଟ ଜାରି କରାଯାଇଛି । ପୋଷ୍ଟରେ ଚେତାବନୀ ଦିଆଯାଇଛି ଯେ ଯଦି ହରିୟାଣା ପୁଲିସ ଏହି ମାମଲାରେ ନ୍ୟାୟ ପ୍ରଦାନ ନକରେ, ତେବେ ସେମାନଙ୍କ ଗ୍ୟାଙ୍ଗ ନିଜେ ଅଭିଯୁକ୍ତକୁ ମାରିଦେବ । ପୋଷ୍ଟରେ ବିଷ୍ଣୋଇ ଏବଂ ତାଙ୍କ କାନାଡା ସ୍ଥିତ ସହଯୋଗୀ ଗୋଲ୍ଡି ଢିଲ୍ଲନଙ୍କ ନାମ ରହିଛି । ଢିଲ୍ଲନ କେବଳ ମନୀଷା (ପୀଡ଼ିତାଙ୍କ ଛଦ୍ମନାମ) ହତ୍ୟାକାଣ୍ଡ ଉପରେ ବୟାନ ଦେଇନାହାନ୍ତି ବରଂ କାନାଡାର ବ୍ରାମ୍ପଟନରେ ହୋଇଥିବା ସୋନୁ ଛଟା ହତ୍ୟାକାଣ୍ଡର ଦାୟିତ୍ୱ ମଧ୍ୟ ନେଇଛନ୍ତି । ସେ ଦାବି କରିଛନ୍ତି ଯେ ସୋନୁ ସାଂସଦ ଧାନୁଆଙ୍କ ନିକଟତମ ବ୍ୟକ୍ତିଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିଲେ ଏବଂ ଲରେନ୍ସଙ୍କ ନାମରେ ବଟି ଆଦାୟ କରୁଥିଲେ ।

Advertisment
Assault
Assault Photograph: (google)

ଗ୍ୟାଙ୍ଗଷ୍ଟରମାନଙ୍କ ଏହି ଧମକ ହରିୟାଣାରେ ଆଇନ ଶୃଙ୍ଖଳାର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଗୋଟିଏ ପଟେ ଲରେନ୍ସ ବିଷ୍ଣୋଇ ଜେଲରେ ବନ୍ଦୀ ଥିବାବେଳେ ଅନ୍ୟପଟେ ତାଙ୍କ ସହଯୋଗୀମାନେ ବିଦେଶରୁ ସକ୍ରିୟ ଅଛନ୍ତି । ଏହାଦ୍ୱାରା ରାଜ୍ୟରେ ଗ୍ୟାଙ୍ଗୱାର ବଢ଼ିବା ଏବଂ ଅପରାଧ ଜଗତରେ ଆହୁରି ରକ୍ତପାତ ହେବାର ଆଶଙ୍କା କରାଯାଉଛି । ଅନ୍ୟପଟେ ମନୀଷାଙ୍କ ହତ୍ୟା ପରେ ଗ୍ରାମବାସୀ ଏବଂ ପରିବାର ଲୋକେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଥିଲେ ଏବଂ ଶୀଘ୍ର ନ୍ୟାୟ ଦେବାକୁ ଦାବି କରିଥିଲେ । ଲୋକମାନେ ଅଭିଯୋଗ କରିଥିଲେ ଯେ ପୁଲିସ ତଦନ୍ତରେ ବିଳମ୍ବ କରୁଛି ଏବଂ ନିରପେକ୍ଷ ତଦନ୍ତ ପାଇଁ ମାମଲା କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତାନ୍ତର କରାଯିବା ଉଚିତ । ଏହି ଦାବିକୁ ଦୃଷ୍ଟିରେ ରଖି ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ବୁଧବାର ଦିନ ଘୋଷଣା କରିଥିଲେ ଯେ ଏହି ମାମଲା ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯିବ । ସେ କହିଥିଲେ ଯେ ରାଜ୍ୟ ସରକାର ଓ ପୁଲିସ ସମ୍ପୂର୍ଣ୍ଣ ଗମ୍ଭୀରତା ଏବଂ ସ୍ୱଚ୍ଛତାର ସହିତ କାମ କରୁଛନ୍ତି । ପୀଡ଼ିତାଙ୍କ ପରିବାରକୁ ଯେକୌଣସି ମୂଲ୍ୟରେ ନ୍ୟାୟ ଦିଆଯିବ । ମୁଖ୍ୟମନ୍ତ୍ରୀ ସୈନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ମୁଁ ନିଜେ ଏହି ମାମଲାର ରିପୋର୍ଟଗୁଡ଼ିକର ତଦାରଖ କରୁଛି । ମନୀଷାଙ୍କୁ ନ୍ୟାୟ ଦେବା ଆମର ପ୍ରାଥମିକତା ।

Lawrence-Bishnoi
Lawrence-Bishnoi Photograph: (google)

ସୂଚନା ଅନୁସାରେ ମନୀଷା ଅଗଷ୍ଟ ୧୧ ତାରିଖ ଦିନ ସ୍କୁଲ ପରେ ନର୍ସିଂ କଲେଜରେ ଆଡମିଶନ ସମ୍ବନ୍ଧୀୟ ପଚରାଉଚରା କରିବାକୁ ଯାଇଥିଲେ, ଯାହା ପରେ ସେ ନିଖୋଜ ହୋଇଯାଇଥିଲେ । ଦୁଇ ଦିନ ପରେ ୧୩ ଅଗଷ୍ଟ (ବୁଧବାର) ଦିନ ତାଙ୍କ ମୃତଦେହ ଭିୱାନୀର ଏକ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ଦେଖାଦେଇଥିଲା । ପରିବାର ଲୋକଙ୍କ କହିବାନୁସାରେ ଏହା ହତ୍ୟା । କିନ୍ତୁ ଘଟଣାକୁ ଚପାଇଦେବା ପାଇଁ ଡାକ୍ତର , ପୁଲିସ ସବୁ କହିଲେ ଯେ ଏହା ଆତ୍ମହତ୍ୟା , ଝିଅ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ପରେ ପିଜିଆଇ ରୋହତକରେ ପୋଷ୍ଟମର୍ଟମ କରାଗଲା । ସେଠାକାର ରିପୋର୍ଟରେ ମଧ୍ୟ ବିଷ ଖାଇ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଲା । ପିଜିଆଇ ରୋହତକର ଡାକ୍ତର କୁନ୍ଦନ ସିଂହ କହିଥିଲେ ଯେ ମନୀଷାଙ୍କ ସହିତ କୌଣସି ଦୁଷ୍କର୍ମ ହୋଇନାହିଁ । ଆଣ୍ଠୁରେ ଦୁଇଟି ଛୋଟ ଛୋଟ ଦାଗ ମିଳିଛି । ଶରୀରର ଅଂଶଗୁଡ଼ିକର ଯାଞ୍ଚ କରାଯାଇଛି ଏବଂ ବେକକୁ ଜନ୍ତୁ କାଟିଛି । ସେ କହିଥିଲେ ଯେ ତୀକ୍ଷ୍ଣ ଅସ୍ତ୍ରରେ କାଟିଲେ ଅଲଗା ପ୍ରକାରର ଦାଗ ହୋଇଥାଏ । ଏହା ସତ୍ତ୍ୱେ ମନୀଷାଙ୍କ ପରିବାର ଏହି କଥାକୁ ମାନିବାକୁ ପ୍ରସ୍ତୁତ ନଥିଲେ । ପରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ମନୀଷାଙ୍କ ପୋଷ୍ଟମର୍ଟମ କରାଗଲା । ଏବେ ଏଠାକାର ରିପୋର୍ଟ ମଧ୍ୟ ସେହି କଥା କହୁଛି ଯାହା ପୂର୍ବ ରିପୋର୍ଟଗୁଡ଼ିକରେ ସାମ୍ନାକୁ ଆସିଥିଲା ।