କନକ ବ୍ୟୁରୋ : ସରକାରୀ ରାସ୍ତା ମଝିରେ ବସିଲା ବାଡ଼ । ରାସ୍ତା ମଝିରେ ବାଡ଼ ବସାଇ ନିର୍ମାଣ କାର୍ଯ୍ୟରେ  ସମସ୍ୟା ସୃଷ୍ଟି କରୁଛନ୍ତି ଜଣେ ଯୁବକ । ଏହାକୁ ବିରୋଧ କରି ପଞ୍ଚାୟତ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ବାଲେଶ୍ୱର ଭୋଗରାଇ ବ୍ଲକ ଜଗନ୍ନାଥପୁର ଛକରୁ ରଣକୋଠା ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣରେ ଦେଖାଦେଇଛି ବଡ଼ ସମସ୍ୟା ।

Advertisment

ଫୁଲବଣୀ ଖାସ ଗାଁର ସୁମତୀ ସିଂହ  ଏବଂ ତାଙ୍କର ତିନି ପୁଅ ରାସ୍ତା ମଝିରେ ବାଡ ବସାଇ ଉନ୍ନୟନ କାର୍ୟ୍ୟକୁ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି । ଏ ସମ୍ପର୍କରେ ଭୋଗରାଇ ତହସିଲଦାର, ଉପଖଣ୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ସମସ୍ତଙ୍କୁ ଅବଗତ କରିଥିଲେ ମଧ୍ୟ  କୌଣସି ସୁଫଳ ମିଳିନାହିଁ । ଫଳରେ ସ୍ଥାନୀୟ ସରପଞ୍ଚ ଏକ ସାମ୍ବାଦିକ ସମ୍ମିଳନୀ କରି ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ।

ଅଧିକ ପଢନ୍ତୁ : ସରୁନି ରାସ୍ତା ଯନ୍ତ୍ରଣା ; ଅଭିଯୋଗ ପରେ ବି ଶୁଣୁନାହାନ୍ତି ଅଧିକାରୀ

ଯଦି ସମସ୍ୟାର ସମାଧାନ ନ ହୁଏ, ତାହାଲେ ସମୂହ ପଞ୍ଚାୟତବାସୀ ରାସ୍ତା ଅବରୋଧ କରିବା ସହିତ ଜନ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ୨୦୦୪ ମସିହାରୁ ଜଗନ୍ନାଥପୁର-ରଣକୋଠା ରାସ୍ତା ଓସାର ହୋଇ ପିଚୁ ରାସ୍ତାରେ ପରିଣତ ହୋଇଥିଲା । ପରବର୍ତ୍ତୀ ସମୟରେ ରାସ୍ତାର ଗୁରୁତ୍ବକୁ ଉପଲବ୍ଧି କରି ସରକାର ସେହି ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରି ଅର୍ଥ ମଞ୍ଜୁର କରିଥିଲେ । ପ୍ରାୟ ସବୁଆଡେ କାମ ସରିଲାଣି । କିନ୍ତୁ ଭୋଗରାଇର ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦଙ୍କ ଘର ପାଖରୁ କ୍ଲବ ଘର ପର୍ଯ୍ୟନ୍ତ ରାସ୍ତା, ଏହି ସମସ୍ୟା ପାଇଁ ହୋଇ ପାରିନି ।