କନକ ବ୍ୟୁରୋ: ରାୟଗଡା ଜିଲ୍ଲାରେ ଏବେବି ଗମନାଗମନର ସୁବିଧା ନାହିଁ । ରାସ୍ତାଟିଏ ନଥିବାରୁ ଲୋକେ ବହୁତ ହଇରାଣ ହେଉଛନ୍ତି । ଏହି ଖବର ଆମେ କନକ ନ୍ୟୁଜ୍ ବାରମ୍ବାର ପ୍ରସାରଣ କରିଆସିଛୁ । ରାସ୍ତା ନଥିବାରୁ ଲୋକେ କିପରି ହଇରାଣ ହୁଅନ୍ତି ତାହା ଆପଣମାନେ ଦେଖିଛନ୍ତି । ଏଥର ବିଧାନସଭାର ବଜେଟ୍ ଅଧିବେଶନରେ ରାୟଗଡ଼ା ବିଧାୟକ ପଚାରିଥିବା ଲିଖିତ ପ୍ରଶ୍ନ ଏବଂ ମନ୍ତ୍ରୀଙ୍କ ଲିଖିତ ଉତ୍ତର ଗାଁ ଗହଳିର ରାସ୍ତା ସ୍ଥିତି କେତେ ଦୟନୀୟ ତାହା ଦର୍ଶାଉଛି ।
ଏହା ବି ପଢ଼ନ୍ତୁ: ନଈ ପେଟକୁ କୋରି ପକାଉଛନ୍ତି, ସହଯୋଗ କରୁଛି କି ଖଣି ବିଭାଗ !
ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଗାଁ ଗହଳିକୁ ହୋଇପାରିଲା ନାହିଁ ଯାତାୟାତ ସୁବିଧା । ସବୁ ଗାଁକୁ ଛୁଇଁପାରିନି ରାସ୍ତା । ପୁରୁଣ ହୋଇପାରୁନି ମୌଳିକ ଆବଶ୍ୟକତା । ପହଞ୍ଚି ପାରେନି ଆମ୍ବୁଲାନ୍ସ, ଖଟିଆରେ ବୁହାହୁଅନ୍ତି ରୋଗୀ ଓ ଗର୍ଭବତୀ । ପାଣି ପାଇଁ ଚାଲିବାକୁ ପଡ଼େ ମାଇଲ ମାଇଲ ବାଟ, ଶିକ୍ଷା ପାଇଁ ସଂଘର୍ଷ କରେ ଶୈଶବ, ଗାଁ ମଝିରୁ ଦାନ୍ତ ନିକୁଟି ପରିହାସ କରେ ପାହାଡ଼ି ପାଦଚଲା ରାସ୍ତା । ଭତ୍ତା, ରାସନ ଚାଉଳ ପାଇଁ ବର୍ଷବର୍ଷ ଧରି ଯନ୍ତ୍ରଣା ଭୋଗନ୍ତି ହିତାଧିକାରୀ । ଆମେ ଦେଖୁଛେ ରାୟଗଡ଼ା ଜିଲ୍ଲାର ସେମିତି କିଛି ଅବହେଳିତ ଗାଁର ଦୃଶ୍ୟ ।
ଇଏ ହେଉଛି ରାୟଗଡ଼ା ସଦର ବ୍ଲକ ତାଡ଼ାମା ପଞ୍ଚାୟତର ହିର୍ସାମୁହିଁ, ଉଲକି, ଉଜାଗୁଡା ଓ ପଦକାପାଡ଼ୁ ଗାଁର ଦୃଶ୍ୟ । ପାହାଡ଼ ପାଦଦେଶରେ ଓ ଦୁର୍ଗମ ଅଞ୍ଚଳକୁ ଯୋଡ଼ି ପାରିନାହିଁ ରାସ୍ତାଟିଏ । ଡାକ୍ତରଖାନା ହେଉ ବା ଭତା କି ରାଶନ ଚାଉଳ । ସବୁକିଛି ପାଇଁ ଅବଡ଼ାଖାବଡ଼ା ରାସ୍ତାରେ ୧୮ କିଲୋମିଟର ଚାଲି ତାଡ଼ମା ପଞ୍ଚାୟତକୁ ଯିବାକୁ ପଡ଼େ । ଆମେ ବିକଶିତ ଓଡ଼ିଶା, ବିକଶିତ ଭାରତ କଥା ହେଉଥିବା ବେଳେ ଏମିତି କିଛି ଗାଁର ସରକାରଙ୍କ ବିକାଶର ପ୍ରକୃତ ଚେହେରାକୁ ପଦାରେ ପକାଇଛି ।
ବିଧାନସଭାରେ ରାୟଗଡ଼ା ବିଧାୟକ କାଡ୍ରାକା ଆପଲାସ୍ୱାମୀଙ୍କ ଲିଖିତ ପ୍ରଶ୍ନରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତ୍ତର ଉପାନ୍ତ ଗାଁର ଅସଲ ଚେହେରାକୁ ସାମ୍ନାକୁ ଆଣିଛି । ମନ୍ତ୍ରୀ କହିଛନ୍ତି, ରାୟଗଡ଼ାର ୧୬୮ଟି ଗାଁକୁ କଚ୍ଚାରାସ୍ତା ଏବଂ ୨୯୯ଟି ଗାଁକୁ ନାହିଁ ପକ୍କାରାସ୍ତା । ଜିଲ୍ଲାର ୩୮୯ଟି ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ରେ ଅନ୍ତର୍ଭୁକ୍ତ କରାଯାଇଛି । ଆସନ୍ତା ୨୦୩୦ ସୁଦ୍ଧା ପକ୍କାରାସ୍ତା ସଂଯୋଗୀକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ମନ୍ତ୍ରୀଙ୍କ ଏହି ଉତ୍ତର ଗାଁ ବିକାଶରେ ବାଟ ଯେ, କେତେ ବଡ଼ ବାଧକ ତାହା ସ୍ପଷ୍ଟ କରିଛି ।
ବାଇଟ-୩- ସପ୍ତଗିରି ଶଙ୍କର ଉଲ୍ଲାକା, ସାଂସଦ, କୋରାପୁଟ ଲୋକସଭା
ଜିଲ୍ଲାରେ ଡିଏମ୍ଏଫ୍ ପାଣ୍ଠି ସମେତ ଅନ୍ୟ ବିଭାଗର କୋଟି କୋଟି ଟଙ୍କାର ଅନୁଦାନ ସତ୍ତ୍ୱେ ଜିଲ୍ଲାର ଏତେ ଗାଁକୁ ରାସ୍ତା ହୋଇପାରିନି କାହିଁକି ? ବିଭିନ୍ନ ସଡ଼କ ଯୋଜନାରେ ସାମିଲ ହେବାରେ ସମସ୍ୟା କେଉଁଠି ? ରାସ୍ତା ପାଇଁ ଉପାନ୍ତ ଅଞ୍ଚଳବାସୀ ଅପେକ୍ଷା କରିବେ ଆଉ କେତେ ବର୍ଷ ? ବର୍ତ୍ତମାନର ଏଆଇ ଯୁଗରେ ଭଲ ରାସ୍ତାଟିଏ ନଥିବା ଦୁର୍ଭାଗ୍ୟ ନୁହେଁ ତ ଆଉ କ’ଣ ?
Follow Us