କନକ ବ୍ୟୁରୋ : ବାଲି ପାଇଁ ମାଫିଆ ରାଜ । ଦିନ ଦିପହରରେ ବାଲି ଲୁଟ୍‌ । ଆଦିବାସୀ ଅଞ୍ଚଳରେ ବାଲି ଚୋରାଚାଲାଣ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଞ୍ଚଳରେ ଚାଲିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ । ନା ରୋକିପାରୁଛି ଖଣି ବିଭାଗ ନା ଧରୁଛି ପୋଲିସ । ଏହାରି ଭିତରେ ରାଜସ୍ବ ବିଭାଗର ରାସ୍ତାକୁ ଆୟତ୍ତ କରି ଦିନ ଦି-ପହରରେ ଲୁଟି ଚାଲିଛନ୍ତି ନଦୀଗର୍ଭରୁ ବାଲି । ଖାଲି ସେତିକି ନୁହଁ ବିନା ପରମିଟ ଓ ନିୟମକୁ ଫୁ କରି ଦିନରାତି ଲୁଟି ଚାଲିଛନ୍ତି ବାଲି । ମାଥିଲି ବ୍ଲକ ଅନ୍ତର୍ଗତ ଧଙ୍ଗିଆପୁଟ ନଦୀ ବେଆଇନ ବାଲିଘାଟରୁ ଦେଖିବା କନକ ନ୍ୟୁଜର ଏହି ଏସକ୍ଲୁସିପ୍ ରିପୋର୍ଟ । 

Advertisment

ଏହା ବି ପଢ଼ନ୍ତୁ:ପୁରୀରେ ପ୍ରସ୍ତୁତ ୩୦୦ ଶଯ୍ୟା ବିଶିଷ୍ଟ ନୂଆ ମେଡିକାଲ ବିଲ୍‌ଡିଂ, ରହିବ ୩୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ଆଇସିୟୁ

ନଈ ପେଟକୁ କୋରି ପକାଉଛନ୍ତି । ସହଯୋଗ କରୁଛି କି ଖଣି ବିଭାଗ! ପ୍ରଶାସନ ଆଖି ଆଗରେ ଚାଲିଛି ମାଫିଆ ରାଜ । ରାତି ନୁହେଁ ଏଠି ଦିନରେ ବି ହୁଏ ବାଲି ଚୋରି! ବାଲି ବୋହିବା ପାଇଁ ପାହାଡ଼ ଚିରି ତିଆରି ହୋଇଛି ରାସ୍ତା । କିଏ ଟ୍ରାକ୍ଟରରେ ବୋହି ନେଉଛି ତ ଆଉ କିଏ ଟିପ୍ପରରେ । ଜେସିବିରେ ଖୋଳି ହାଇଓ୍ବାରେ ଭର୍ତ୍ତି କରି ନିଇତି ଚୋରାଚାଲାଣ ହେଉଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ ନଈର ଦୃଶ୍ୟ କନକ ନ୍ୟୁଜ୍‌ରେ କଏଦ ହୋଇଛି । ମାଫିଆ ନଦୀ ପଠାରେ ଅସ୍ଥାୟୀ ଟେଣ୍ଟ ପକାଇ ରହୁଥିବା ମଧ୍ୟ ଦେଖିବାକୁ ମିଳିଛି । 

ଏ ଗୋଟିଏ ନଈ ନୁହଁ ବରଂ ମାଥିଲି ବ୍ଲକର ଅନ୍ୟାନ୍ୟ ନଦୀରୁ ବେଆଇନ୍‌ ବାଲି ବୋହି ନେଉଛନ୍ତି ଚୋରା ଚାଲାଣକାରୀ । ହଜାର ହଜାର ଗାଡ଼ି ଦୈନିକ ବାଲି ଲୁଟୁଛନ୍ତି । ସ୍ଥାନୀୟ ଅଞ୍ଚଳର କିଛି ସ୍ବାର୍ଥନ୍ବେଷୀ ବ୍ୟକ୍ତିଙ୍କୁ ଅକ୍ତିଆ କରି ଖଣିଜ ସମ୍ପଦ ଲୁଟିବାରେ ମାତିଛନ୍ତି । ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିଛନ୍ତି, ତଥାପି ଖଣି ବିଭାଗ ଜାଣିପାରୁନି ? ନା, ପ୍ରଶାସନର ସଲାସୁତରାରେ ସବୁ ଚାଲିଛି? ଏବେ ଏମିତି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଖୋଜା ପଡ଼ିଛି ।  ଏହି ବ୍ଲକରେ କେବଳ ବାଲି ନୁହେଁ, ପଥର, କ୍ୱାର୍ଟଜ୍ ପରି ଅନେକ ଲଘୁ ଖଣିଜ ଚୋରିର ଅଭିଯୋଗ ଆସିଥାଏ । ଏହାଦ୍ୱାରା  ନଦୀ କ୍ଷୟ, ପରିବେଶ ନଷ୍ଟ ଓ ସ୍ଥାନୀୟ ଲୋକଙ୍କ ଜୀବିକା ପ୍ରଭାବିତ ହେଉଛି ।