Rising Photograph: (Kanak news)
କନକ ବ୍ୟୁରୋ: ଚଳିତ ରାଇଜିଂ ଷ୍ଟାର୍ସ ମହିଳା ଏସିଆ କପ୍ରେ ଭାରତୀୟ ମହିଳା କ୍ରମାଗତ ବିଜୟ ହାସଲ କରିଛନ୍ତି। ୟୁଏଇ ନିକଟରୁ ପରାଜିତ ହୋଇ ଅଭିଯାନ ଆରମ୍ଭ କରିଥିବା ଭାରତ ‘ଏ’ ମହିଳା ରବିବାର ପାକିସ୍ତାନକୁ ପରାସ୍ତ କରିବା ପରେ ମଙ୍ଗଳବାର ନେପାଳକୁ ୭ ୱିକେଟ୍ରେ ହରାଇଛନ୍ତି। ଏଥି ସହିତ ଭାରତ ‘ଏ’ ମଧ୍ୟ ଗ୍ରୁପ୍ ‘ଏ’ ପଏଣ୍ଟ୍ ଟେବୁଲ୍ରେ ଶୀର୍ଷ ସ୍ଥାନ ଦଖଲ କରିଛି। ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହୋଇପାରି ନେପାଳ ୧୮ ଓଭରରେ ମାତ୍ର ୭୮ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଥିଲା। ସମଝାନା ଖାଡ୍କା ସର୍ବାଧିକ ୨୨ ରନ୍ (୧୬ ବଲ୍) କରିଥିଲେ।
ଆହୁରି ପଢ଼ନ୍ତୁ... ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଶତକ: ରାଇନା ଏକମାତ୍ର ଭାରତୀୟ
ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଖେଳାଳି ତନୂଜା କନୱର (୪-୦-୧୨-୪), ମିନୁ ମଣି (୪-୦-୮-୩), ରାଧା ଯାଦବ (୩-୧-୧୭-୨) ୱିକେଟ୍ ବାଣ୍ଟି ନେଇଥିଲେ। ନେପାଳର ୬ ଜଣ ବ୍ୟାଟର୍ ଦୁଇ ଅଙ୍କ ଛୁଇଁପାରିନଥିବାବେଳେ ୩ ଜଣ ଶୂନରେ ଆଉଟ୍ ହୋଇଥିଲେ। ଜବାବରେ ଭାରତୀୟ ଯୁବା ଦଳ ୭.୫ ଓଭରରେ ୩ ୱିକେଟ୍ ହରାଇ ୮୨ ରନ୍ ସଂଗ୍ରହ କରି ନେଇଥିଲା। ପଶ୍ଚାତ୍ଧାବନ ବେଳକୁ ଭାରତ ୧୯/୨ରେ ଅଡୁଆ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ଦିନେଶ ବୃନ୍ଦା (୧୮ ବଲ୍ରୁ ୩୯* ରନ୍) ଓ ତେଜାସ ହସାବନିସ୍ (୧୩ ବଲ୍ରୁ ୧୮ ରନ୍) ଦଳକୁ ସହଜ ବିଜୟ ଦେଇଥିଲେ। ଚମତ୍କାର ବୋଲିଂ ପାଇଁ ତନୂଜା କନୱର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ବିଜୟ ସହ ଭାରତର ସେମିଫାଇନାଲ୍ ପ୍ରବେଶ ନିଶ୍ଚିତ ହୋଇଛି।
Follow Us