Rising Sea Levels Photograph: (Kanak News)
କନକ ବ୍ୟୁରୋ : ସମୁଦ୍ର ଆଁରେ ୬ ଜିଲ୍ଲାର ଉପକୂଳବର୍ତ୍ତି ଗାଁ । କେନ୍ଦ୍ରାପଡ଼ାର ୨୬, ଗଞ୍ଜାମର ୧୪, ପୁରୀ ଜିଲ୍ଲାର ୬ ଗାଁର ଅନେକାଂଶ ସମୁଦ୍ରରେ ବିଲୀନ ହୋଇଯାଇଛି । ଏହି ସବୁ ଗାଁ ଗୁଡ଼ିକ ୧୯୯୦ ରୁ ୨୦୧୮ ମଧ୍ୟରେ ସମୁଦ୍ର ମାଡ଼ି ଆସିବା ଦ୍ୱାରା ପ୍ରଭାବିତ ହୋଇଛି । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ରାଜନଗର ବ୍ଲକର ସାତଭାୟା, କାହ୍ନୁପୁରୁ, ବରାହିପୁର, ମଗର କଣ୍ଡା, ଓ ରବୀନ୍ଦ୍ର ପାଲି ଲୋକଙ୍କୁ ବଗ ପାଟିଆରେ ଥଇଥାନ କରାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵରର ୧୪୦.୭୩ ହେକ୍ଟର ଜମି ସମୁଦ୍ର ମାଡ଼ି ଆସିବା ଦ୍ୱାରା ଅବକ୍ଷୟ ହୋଇଛି । ସମୁଦ୍ରକୁ ରୋକିବା ଲାଗି ଅଧିକରୁ ଅଧିକ ହେନ୍ତାଳ ବଣ ସୃଷ୍ଟି କରାଯାଉଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ଅଧିକ ପଢ଼ନ୍ତୁ : ବିକ୍ରି ହେଉଛି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ, ସରକାରୀ ସ୍ତରରେ ଦଲିଲ କରି ଜଙ୍ଗଲ ଓ ସମୁଦ୍ରକୁ କିଣୁଛନ୍ତି ରାଜ୍ୟ ବାହାର କମ୍ପାନି
ସେପଟେ ଗହୀରମଥାରେ ସାମୁଦ୍ରିକ ଜମି କିଣାବିକା ମାମଲାରେ ପ୍ରଶାସନର ତତ୍ପରତା । କନକ ନ୍ୟୁଜରେ ବାରମ୍ୱାର ଖବର ପ୍ରସାରଣ ପରେ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଆରମ୍ଭ କଲେ ରାଜନଗର ତହସିଲଦାର । ସମୁଦ୍ରଗର୍ଭକୁ ଚାଲିଯାଇଥିବା ଜମିକୁ ସରକାରୀ ଖାତାକୁ ଅଣାଯିବ ବୋଲି ସେ କହିଥିଲେ ବି, ଘଟଣା ପଛର ଗୁମରକୁ ନେଇ ଅସମାହିତ ରହିଛି ଅନେକ ପ୍ରଶ୍ନ ।
ରାଜନଗରର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ଜମି ବିକ୍ରି ଘଟଣାର ଆରମ୍ଭ ହେଲା ଖୋଳତାଡ଼ । କନକ ନ୍ୟୁଜରେ ଏହି ମହା ଦୁର୍ନୀତି ସମ୍ପର୍କରେ ଲଗାତାର ଖବର ପ୍ରସାରଣ ପରେ ଆକ୍ସନ୍ ମୋଡରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ତଦନ୍ତ ପରିସରଭୁକ୍ତ ହେଲା ସମୁଦ୍ରର ଏକର ଏକର ଜମିକୁ ବେଆଇନ ଭାବେ ବିଭିନ୍ନ କମ୍ପାନୀ କିଣିବା ମାମଲା । ପ୍ରାଥମିକ ତଦନ୍ତ ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି ରାଜନଗର ତହସିଲଦାର । କେଉଁ ପରିସ୍ଥିତିରେ ନିଷିଦ୍ଧାଞ୍ଚଳରେ ଥିବା ଜମି ଗୁଡ଼ିକ ବଡ଼ ବଡ଼ କମ୍ପାନି ହାତକୁ ଟେକି ଦିଆଗଲା ? ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ରାଜନଗର ତହସିଲ ପକ୍ଷରୁ ଏହାର ଖୋଳତାଡ଼ ଜୋରଦାର କରାଯାଇଛି । ଏଥିସହ ସମୁଦ୍ର ଗର୍ଭକୁ ଚାଲିଯାଇଥିବା ବ୍ୟକ୍ତିଗତ ଜମି ଗୁଡ଼ିକୁ ସରକାରୀ ଖାତାକୁ ଅଣାଯିବ ବୋଲି ତହସିଲଦାର କହିଛନ୍ତି ।
Follow Us