କନକ ବ୍ୟୁରୋ :ଦିନକୁ ଦିନ ବୃଦ୍ଧି ପାଉଛି ପାଣିରେ ବୁଡ଼ି ମୃତ୍ୟୁ ଘଟଣା । ଚଳିତ ବର୍ଷ କଟକରେ କାଠଯୋଡ଼ି ଓ ମହାନଦୀରେ ବୁଡ଼ି ପ୍ରାଣ ହରାଇଲେଣି ୩୦ରୁ ଅଧିକ । ସଚେତନତାର ଅଭାବ ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଏ ଘଟଣା ବଢୁଥିବା ବେଳେ ଆଜି କଟକ କାଠଯୋଡ଼ିରେ ପୁଣି ଘଟିଛି ସମାନ ଘଟଣା । ଗାଧୋଇବା ବେଳେ ନଦୀରେ ଭାସି ଯାଇଛନ୍ତି ଦୁଇ ନାବାଳକ ।

Advertisment

ଆଜି ସମୟ ଭୋର୍ ପ୍ରାୟ ୬ଟା , ସ୍ଥାନ କଟକ ଖାନନଗର ସ୍ଥିତ କାଠଯୋଡ଼ି ନଦୀପଠା । ପଞ୍ଚକ ପ୍ରଥମ ଦିନରେ କୀର୍ତ୍ତନ ପୂର୍ବରୁ ନଦୀରେ ବୁଡ଼ ପକାଇବାକୁ ଆସିଥିଲେ ଭଗତପୁର ସାହିର କିଛି ଲୋକେ । ଏମାନଙ୍କ ସାଙ୍ଗରେ କିଛି ନାବାଳକ ମଧ୍ୟ ବୁଡ଼ ପକାଇବାକୁ ଆସିଥିଲେ । ଆଉ ନଦୀରେ ଗାଧୋଇବା ବେଳେ ଚାହୁଁଚାହୁଁ ଭାସିଯାଇଥିଲେ ଦୁଇ ନାବାଳକ । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ । ତଥାପି ମିଳିନି କାହାରି ପତ୍ତା ।

ଅଧିକ ପଢ଼ନ୍ତୁ--୬୨ ବର୍ଷରେ ପାଦ ଦେଲେ ନୀତା ଅମ୍ବାନୀ...

ଖାଲି ଆଜିର ଏ ଘଟଣା ନୁହେଁ, ଦିନ କୁ ଦିନ କଟକରେ ବଢ଼ିଚାଲିଛି ପାଣିରେ ବୁଡ଼ି ମୃତ୍ୟୁ ଘଟଣା । ଗତ ୯ ବର୍ଷରେ କଟକର ବିଭିନ୍ନ ନଦୀରେ ବୁଡ଼ି ୪୯୮ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । କାହାକୁ ନଦୀର ସ୍ରୋତ ଟାଣି ନେଉଛି ତ ଆଉ କିଏ ନଦୀକୁ ଡେଇଁ ଆତ୍ମହତ୍ୟା କରୁଛି । ମହାନଦୀ ଏବଂ କାଠଯୋଡ଼ିର ବିଭିନ୍ନ ଘାଟରେ ସଚେତନତା ଫଳକ ଲଗାଯିବା ସହ ଲୋକଙ୍କୁ ମଧ୍ୟ ସଚେତନ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।