କନକ ବ୍ୟୁରୋ : ଅସୁରକ୍ଷିତ ହୋଇପଡ଼ିଲାଣି ରାଜଧାନୀ ଭୁବନେଶ୍ବର । ଘରୁ ବାହାରିବାକୁ ଲାଗୁଛି ଡର। ବିଚ୍‌ ରାସ୍ତାରେ ବୁଲୁଛି ଖଣ୍ଡା। ଯାହାକୁ ପାରୁଛନ୍ତି ହାଣୁଛନ୍ତି ଦୁର୍ବୃତ୍ତ। ରାଜଧାନୀର ଛାତି ଉପରେ ଅପରାଧୀ ବେଧଡ଼କ ଭାବେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିବା ବେଳେ ପୁଲିସ ଯେପରି ନାଚାର ହୋଇ ବସିଛି।

Advertisment

ଜଣେ ମିଠା ଦୋକାନୀଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ ହୋଇଛି। ୩ ଦୁର୍ବୃତ୍ତ ବାଇକରେ ଆସି ମିଠା ବ୍ୟବସାୟୀ ଦିଲ୍ଲୀପ ବେହେରାଙ୍କୁ ହାଣିଛନ୍ତି। ଏଥିସହ ଦୋକାନରେ ପଶି ଭଙ୍ଗାରୁଜା କରିଛନ୍ତି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମିଠା ଦୋକାନୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସାମାନ୍ୟ ବଚସାକୁ ନେଇ ଏ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଆକ୍ରମଣ ପରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି। ପୁଲିସ ଘଟଣାର ଛାନଭିନ୍ ଚଳାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ଟେର୍ ପାଇପାରିନି। 

ଅଧିକ ପଢ଼ନ୍ତୁ :ଭୁବନେଶ୍ବର ସ୍ମାର୍ଟ ସିଟିରେ ପାର୍କିଂ ଟେନସନ୍‌,  ରାସ୍ତାକଡ଼ ପାର୍କିଂ ବଢ଼ାଉଛି ଟ୍ରାଫିକ ଯନ୍ତ୍ରଣା

କେବଳ କାଲିର ଏ ଘଟଣା ନୁହେଁ, ଭୁବନେଶ୍ବରରେ କିଛିଦିନ ହେଲା ବଢ଼ିଚାଲିଛି ଅପରାଧ। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଘଟାଉଛନ୍ତି ଜଘଣ୍ୟ କାଣ୍ଡ। ଗତ ଫେବ୍ରୁଆରି ୨୮ ତାରିଖରେ ରାଜଧାନୀରେ ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ନିର୍ମମ ଭାବେ ଛୁରି ଭୁସି ହତ୍ୟା କରିଥିଲେ ଦାଦା ଓ ଦୁଇ ପୁତୁରା। ହୋଲି ଦିନ ଭରତପୁର ଫୁଲେଶ୍ବର ବସ୍ତିରେ ସ୍ତ୍ରୀକୁ ଛୁରୀ ଭୁଶି ହତ୍ୟା କରିଥିଲା ସ୍ବାମୀ। କିଛିଦିନ ତଳେ ପାତ୍ରପଡ଼ା ଅଞ୍ଚଳରେ ୮ଜଣ ଦୁର୍ବୃତ୍ତ ବାଇକରେ ଆସି ଏକ ଦୋକାନରେ ପଶିଥିଲେ। ଆଗରେ ଯାହାକୁ ପାଇଲେ ଖଣ୍ଡା ଓ କାତିରେ ହାଣି ଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ସେହିଦିନ ସକାଳୁ ଜଣେ ପୁଲିସ ଅଧିକାରୀଙ୍କ ମା’ଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଫେରାର ହେବାର ହୋଇଯାଇଥିଲେ ଦୁର୍ବୃତ୍ତ। 

 କେବଳ ହତ୍ୟାକାଣ୍ଡ ନୁହେଁ, ଖଣ୍ଡା ଭୁଜାଲିରେ ଲୋକଙ୍କୁ ହାଣି ଲହୁଲୁହାଣ କରିବା, ଛିନତାଇ, ଚୋରି, ଡକାୟତି, ବୋମା ତିଆରି ଭଳି ଅପରାଧ ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି। ଆଉ ଏଥିରେ ରୋକ୍ ଲଗାଇବା ପୁଲିସ ପାଇଁ ସାଜିଛି ବଡ଼ ଚ୍ୟାଲେଞ୍ଜ।