କନକ ବ୍ୟୁରୋ : ବିଗିଡୁଛି ବାୟୁର ମାନ । ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା । ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତିନି ସହର ରହିଛି । ଏପଟେ ପ୍ରଦୂଷଣରେ ନୂଆଦିଲ୍ଲୀକୁ ଟପିଛି ଭୁବନେଶ୍ୱର । ଦିନକୁ ଦିନ ବାୟୁର ଗୁଣବତ୍ତା ବା ଏକ୍ୟୁଆଇ ଖରାପ ହେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ।
ଦେଶର ସବୁଠୁ ଅଧିକ ପ୍ରଦୂଷିତ ୪ ସହର ତାଲିକାରେ ଓଡ଼ିଶାର ୩ ସହର । ଆଜି ଅପରାହ୍ନ ୪ଟାରେ ପ୍ରକାଶିତ ବୁଲେଟିନ୍ ଅନୁସାରେ, ୩୩୨ ଏକ୍ୟୁଆଇ ସହ ତାଳଚେର ଭାରତର ସର୍ବାଧିକ ପ୍ରଦୂଷିତ ସହର । ଦ୍ୱିତୀୟ ସ୍ଥାନରେ ରହିଛି ବାରିପଦା, ଯାହାର ଏକ୍ୟୁଆଇ ରହିଛି ୩୨୪ । ସେହିପରି ଅନୁଗୁଳରେ ବାୟୁର ଗୁଣବତ୍ତା ୩୨୧ ଥିବାବେଳେ ତୃତୀୟ ସ୍ଥାନରେ ରହିଛି । ଏପଟେ ଗତ ସପ୍ତାହେ ହେଲାଣି, କ୍ରମାଗତ ଭାବେ ରାଜଧାନୀ ଭୁବନେଶ୍ୱରରେ ଏକ୍ୟୁଆଇ ୩୦୦ ଉପରେ ରହୁଛି । ଆଜି ସକାଳେ ଭୁବନେଶ୍ୱରରେ ବାୟୁର ଗୁଣବତ୍ତା ମାନ ୩୦୩ ଥିବା ବେଳେ ଅପରାହ୍ନରେ ରହିଛି ୨୯୪ । କଟକରେ ବି ପ୍ରଦୂଷଣର ମାତ୍ରା ଚିନ୍ତାଜନକ ।
ଅଧିକ ପଢ଼ନ୍ତୁ : ଚିନ୍ତା ବଢାଇଲାଣି ଅନୁଗୁଳର ବାୟୁ ପ୍ରଦୂଷଣ ; ହୋଇପାରୁନି ସମାଧାନ
ପ୍ରତିବର୍ଷ ଶୀତଦିନେ ନୂଆଦିଲ୍ଲୀରେ ପ୍ରଦୂଷଣ ସର୍ବାଧିକ ଥାଏ । କିନ୍ତୁ ଏବର୍ଷ ରାଜଧାନୀ ଭୁବନେଶ୍ୱରରେ ପ୍ରଦୂଷଣ, ଚିନ୍ତା ବଢାଇଛି । ବିଶେଷ କରି ଘନ କୁହୁଡ଼ି, ନିର୍ମାଣ କାର୍ଯ୍ୟ ଏବଂ ଅଧିକ ଯାନବାହନ ଚଳାଚଳ ଯୋଗୁଁ ପ୍ରଦୂଷଣ ମାତ୍ରା ଅଧିକ ରହୁଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ । ସେପଟେ କିନ୍ତୁ କୌଣସି ଆଲାର୍ମିଙ୍ଗ ସ୍ଥିତି ନାହିଁ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି ।
ଆସନ୍ତା ୭ ତାରିଖ ଯାଏଁ ଘନ କୁହୁଡି ନେଇ ସତର୍କତା ଜାରି କହିଛି ପାଣିପାଗ କେନ୍ଦ୍ର । ତେଣୁ ପ୍ରଦୂଷଣର ମାତ୍ରା ଆହୁରି ବଢିପାରେ । ସେପଟେ ପ୍ରଦୂଷଣ ବଢ଼ିଲା, କଟକଣା ଲାଗିଲା । ତାଳଚେର ପୌରପାଳିକାରେ ଅତି ଖରାପ ପ୍ରଦୂଷଣ ଲାଗି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା କଟକଣା । ୭ ଦିନ ପାଇଁ ଲାଗୁ ହେଲା କଟକଣା । ସନ୍ଧ୍ୟା ୬ଟାରୁ ସକାଳ ୧୦ ଟା ଯାଏଁ ବନ୍ଦ ରହିବ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ । ପୌରପାଳିକା ଭିତରେ ହୋଇପାରିବନି ଉଚ୍ଛେଦ । ତାଳଚେର ପୌରପାଳିକା ଅଞ୍ଚଳରେ ମିଳିତ ଭାବେ ଦିନକୁ ୩ ଥର ପାଣି ସିଞ୍ଚିବେ ପୌରପାଳିକା, MCL ଓ NHAI କର୍ତ୍ତୃପକ୍ଷ । ତାଳଚେର ସହର ଭିତରେ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ । ବର୍ଜ୍ୟବସ୍ତୁ ଜାଳିବା ଉପରେ କଟକଣା ସହ ଢ଼ାବାରେ କୋଇଲା ଆଞ୍ଚ ନ ଲଗାଇବା ପାଇଁ କଡ଼ା ନିର୍ଦ୍ଦେଶ । ଜରିପାଲ ନ ଘୋଡ଼ାଇ NH -୧୪୯ ରେ ଚାଲିବନି କୌଣସି ଟ୍ରକ୍ । ନିର୍ଦ୍ଦେଶର କଡ଼ାକଡ଼ି ଅନୂପାଳନ ସୁନିଶ୍ଚିତ କରାଇବେ ପୁଲିସ, RTO, ପୌରପାଳିକା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/03/air-pollution-2026-01-03-19-35-23.jpg)