କନକ ବ୍ୟୁରୋ : ଅନୁଗୁଳରେ ଚିନ୍ତା ବଢ଼ାଇଛି ପ୍ରଦୂଷଣ । ବାୟୁ ପ୍ରଦୂଷଣ ପାଇଁ ଦେଶରେ ଅଲୋଡ଼ା ରେକର୍ଡ କରିଛି ଜିଲ୍ଲାର ତାଳଚେର । ୩୮୦ AQI ସହ ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହରର କୁଖ୍ୟାତି ଅର୍ଜିଥିବା ବେଳେ ୩୪୬ AQI ସହ ଅନୁଗୁଳ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର । କେବଳ ବାୟୁ ନୁହେଁ ଜଳ ପ୍ରଦୂଷଣରେ ବି ଅନୁଗୁଳ ଅନ୍ୟ ସବୁ ସହରକୁ ଟପିଛି । କଳାକାରଖାନାରୁ ନିର୍ଗତ ବିଷାକ୍ତ କେମିକାଲ ଯାଇ ମିଶୁଛି ଜିଲ୍ଲାର ବିଭିନ୍ନ ଜଳ ଉତ୍ସରେ । ଫଳ ସ୍ବରୂପ କେଉଁଠି ପାଣିରେ ମାଛ ମରି ଭାସୁଛନ୍ତି ତ ଆଉ କେଉଁଠି ପୋଖରୀ ପାଣି ଉପରେ ପଡ଼ିଛି ଇଞ୍ଚେ ବହଳର କେମିକାଲ ମିଶା ଧୂଳି ଆସ୍ତରଣ ।
ସେପଟେ ବାୟୁ ଓ ଜଳ ପ୍ରଦୂଷଣ ପରେ ଅନୁଗୁଳକୁ ଘାରିଲାଣି ପ୍ଲାଷ୍ଟିକ୍ ପ୍ରଦୂଷଣ ଚିନ୍ତା । ଦୋକାନ ବଜାରରେ ଖୁଲମ୍ ଖୁଲା ଚାଲିଛି ନିଷିଦ୍ଧ ପଲିଥିନ୍ ଓ ପ୍ଲାଷ୍ଟିକ୍ ବିକ୍ରି । ନା ପଦକ୍ଷେପ ନେଉଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ନା ସମାଧାନ କରୁଛି । ଆଜି ସକାଳେ ୩୦୦ରୁ ଅଧିକ AQI ସହ ବାୟୁ ମାନ ଅତି ଖରାପ ସ୍ତରରେ ଥିବା ଦେଶର ୫ ସହର ମଧ୍ୟରେ ରହିଛନ୍ତି ଓଡ଼ିଶାର ୪ ସହର । ଆଜି ମଧ୍ୟ ୩୫୫ AQI ସହ ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ୩୨୮ AQI ସହ ଅନୁଗୁଳ ଦ୍ୱିତୀୟ, ୩୨୨ AQI ସହ ବାରିପଦା ଦେଶର ତୃତୀୟ ପ୍ରଦୂଷିତ ସହର ରହିଛି ।
ଅଧିକ ପଢ଼ନ୍ତୁ---ଓସିଏସ୍ ବିଜ୍ଞପ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ବାହାରିବ ଓଏଏସ୍, ଓଆରଏସ୍ ପଦବୀ
ସେହିପରି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗନ୍ଥିଗାଡ଼ିଆ ଗାଁର ଗ୍ରାମ୍ୟ ପୋଖରୀ ପାଣି ଉପରେ ପଡ଼ିଛି ଇଞ୍ଚେ ବହଳର କେମିକାଲ ମିଶା ଧୂଳି ଆସ୍ତରଣ । ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଗତ କିଛି ମାସ ହେଲା ଗାଁ ନିକଟରେ ଥିବା ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ଲାଣ୍ଟ ପ୍ରତିଦିନ ବିଷାକ୍ତ ଗ୍ୟାସ ଛାଡୁଛି । ଦୁର୍ଗନ୍ଧରେ ଫାଟି ପଡ଼ୁଥିବା ଏହି ଗ୍ୟାସ ନାକ ଓ ଆଖିରେ ବାଜିଲେ ଜଳାପୋଡ଼ା ହେଉଛି । ଆଉ ସେହି ଗ୍ୟାସ ଏ ପୋଖରୀ ପାଣିକୁ ଦୂଷିତ କରୁଛି ।
ଖାଲି ସେତିକି ନୁହେଁ , ଅନୁଗୁଳ ସହରରେ ଖୁଲମ୍ ଖୁଲା ଚାଲିଛି ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ବେପାର । ବେଫିକର ହୋଇ ବେଆଇନ ଭାବେ ନିଷିଦ୍ଧ ପ୍ଲାଷ୍ଟିକ୍ ବିକ୍ରି କରୁଛନ୍ତି ବ୍ୟବସାୟୀ । ପ୍ଲାଷ୍ଟିକ୍ ସାମଗ୍ରୀ ବିକୁଥିବା ପ୍ରାୟ ବ୍ୟବସାୟ ପ୍ରତିଷ୍ଠାନରେ ଗଦା ହୋଇଛି ବସ୍ତା ବସ୍ତା ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ଗ୍ଲାସ, କପ୍, ଥର୍ମୋକୁଲ ଖଲି, ଦନା ଓ ପଲିଥିନ୍ ବ୍ୟାଗ୍ । ମୁଖ୍ୟତଃ ଅନୁଗୁଳ ସହରରେ ଏ ବେଆଇନ ପ୍ଲାଷ୍ଟିକ୍ ବିକ୍ରିରେ ରୋକ୍ ଲଗାଇବାକୁ ଏବେ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପୁଲିସ୍ ଓ ପୌରପାଳିକାର ମିଳିତ ଟିମ୍ ଦ୍ବାରା ବ୍ୟବସାୟ ପ୍ରତିଷ୍ଠାନରେ ଚାଲିଛି ଅତର୍କିତ ଚଢ଼ାଉ । ଜବତ ହେଉଛି ବେଆଇନ ଭାବେ ବିକ୍ରି ହେଉଥିବା କ୍ବିଣ୍ଟାଲ କ୍ବିଣ୍ଟାଲ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ।
ଅଧିକ ପଢ଼ନ୍ତୁ---ବାଂଲାଦେଶରେ ଗଲା ଚତୁର୍ଥ ହିନ୍ଦୁଙ୍କ ଜୀବନ: ଛୁରାମାଡ଼ ପରେ ନିଆଁ ଲଗାଇ ଦେଇଥିଲେ ହିଂସାକାରୀ
ଏହି କାରଣରୁ ବ୍ୟବସାୟୀଙ୍କ ଉପରେ ଲଦାଯାଉଛି ମୋଟା ଅଙ୍କର ତଣ୍ଡ , ହେଲେ ଫଳ ଶୂନ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ କହିବା କଥା, ୨୦୨୨ ଡିସେମ୍ବର ୩୧ରୁ ରାଜ୍ୟରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ବ୍ୟାନ ହୋଇଛି । ୧୨୦ରୁ କମ୍ ମାଇକ୍ରନର ପ୍ଲାଷ୍ଟିକ୍ ଓ ପଲିଥିନ୍ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଛି । ତେବେ ବହୁ ବ୍ୟବସାୟୀ ବେଆଇନ ଭାବେ ପ୍ରଦୂଷଣ ସୃଷ୍ଟିକାରୀ ଏସବୁ ପ୍ଲାଷ୍ଟିକ୍ ଓ ପଲିଥିନ ବିକ୍ରି କରୁଛନ୍ତି । ଲୋକେ ସଚେତନ ହୋଇ ଅଖା କିମ୍ବା କପଡ଼ା ବ୍ୟାଗ ବ୍ୟବହାର କରନ୍ତୁ । ସେହିପରି ବ୍ୟବସାୟୀମାନେ କେବଳ କମ୍ପୋଷ୍ଟେବଲ ପଲିଥିନ୍ ଓ ବାୟୋଡିଗ୍ରେଡେବଲ ପ୍ଲାଷ୍ଟିକ୍ ବିକ୍ରି କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଏପଟେ ବ୍ୟବସାୟୀଙ୍କ ଅଭିଯୋଗ, ଫ୍ୟାକ୍ଟ୍ରି ବନ୍ଦ କରାନଯାଇ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ କରି ଫାଇନ ନେବା କେତେ ଯୁକ୍ତିଯୁକ୍ତ ? ବ୍ୟାନ ଯଦି ହୋଇଛି ଫ୍ୟାକ୍ଟ୍ରିରେ କିଭଳି ଏହା ତିଆରି ହେଉଛି । ତେଣୁ ସରକାର ପ୍ରଥମେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ଓ ପଲିଥିନ୍ ତିଆରି କରୁଥିବା ଫ୍ୟାକ୍ଟ୍ରିକୁ ବନ୍ଦ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/03/anugul-2026-01-03-17-05-29.jpg)