Naveen-Patnaik Photograph: (kanak news)
କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ପରେ ଆଜି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଏକ ବଡ଼ ଧରଣର ସମୀକ୍ଷା କରିଛନ୍ତି । ନବୀନ ନିବାସରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ନୂଆପଡ଼ା ଜିଲ୍ଲା ସଭାପତି, ପରାଜିତ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ପରାଜୟର କାରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ଅବସରରେ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ସାହସର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନର ସରକାରଙ୍କୁ ଭୟ ନକରି ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ । ସରକାରଙ୍କ ବିରୋଧରେ ତୃଣମୂଳ ସ୍ତରରୁ ଲଢେଇ ଜାରି ରଖିବାକୁ ସେ ଆହ୍ୱାନ ଦେଇଛନ୍ତି । ଏହି ଆଲୋଚନା ପରେ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ନେହାଙ୍ଗିନୀ ଛୁରିଆ ଶାସକ ଦଳ ବିଜେପି ଉପରେ ବର୍ଷିଛନ୍ତି । ସେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ପ୍ରଶାସନର ସହାୟତାରେ ବୁଥ୍ ରିଗିଂ କରି ବିଜେପି ଏହି ବିଜୟ ହାସଲ କରିଛି । ବର୍ତ୍ତମାନ ପ୍ରଶାସନ ବିଜେପିର ହାତବାରିସି ସାଜି କାମ କରୁଛି ଏବଂ ବିଜେଡିର ଅଭିଯୋଗ ଶୁଣାଯାଉ ନାହିଁ । ରାଜ୍ୟରେ ଚାଷୀଙ୍କ ଧାନ କିଣାଯାଉ ନାହିଁ ଏବଂ ସରକାରଙ୍କ କଥା ଓ କାମରେ ଆକାଶ ପାତାଳ ଫରକ ରହିଛି ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ---ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଜି ଆସିବ ସୁପ୍ରିମ ରାୟ: ୫୦% କର୍ମଚାରୀ ଘରୁ କାମ କରିବା ନେଇ ସରକାରଙ୍କ ନିର୍ଦ୍ଦେଶ
ବିଜେଡି ପକ୍ଷରୁ କୁହାଯାଇଛି ଯେ, ପରାଜୟ ସତ୍ତ୍ୱେ ଦଳୀୟ କର୍ମୀଙ୍କ ମନୋବଳ ଭାଙ୍ଗିନାହିଁ । ନୂଆପଡ଼ାର ୬ରୁ ୫ଟି ଜିଲ୍ଲା ପରିଷଦ ଆସନ ଏବେ ବି ବିଜେଡି ଦଖଲରେ ରହିଛି, ଯାହା ଦଳର ଦବଦବାକୁ ପ୍ରମାଣିତ କରୁଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଇଭିଏମ ବଦଳରେ ବାଲାଟ ପେପରରେ ଭୋଟ ହେବ ଏବଂ ସେତେବେଳେ ଜନସାଧାରଣ ବିଜେପିକୁ ଉଚିତ୍ ଜବାବ ଦେବେ ବୋଲି ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
Follow Us