କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟର ଅଜବ ନୀତି । ଅନୁମତି ନାହିଁ, କିନ୍ତୁ ବର୍ଷବର୍ଷ ଧରି ପାଠପଢ଼ା ଚାଲିଛି । ଚାକିରି କି ଉଚ୍ଚଶିକ୍ଷା ମଳୁନଥିବାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୂର୍ବତନ ଏବଂ ବର୍ତ୍ତମାନର ଏମ୍.ଫାର୍ମା ଛାତ୍ରଛାତ୍ରୀ ଅସୁବିଧାରେ ପଡ଼ିଛନ୍ତି ।
୨୦୦୭-୦୮ ଶିକ୍ଷାବର୍ଷରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏମ୍. ଫାର୍ମା ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ଫାର୍ମାସ୍ୟୁଟିକାଲ ଆନାଲିସିସ୍ ଓ କ୍ୱାଲିଟି ଆସ୍ୟୁରାନ୍ସ ଏବଂ ଫାର୍ମାସିଉଟିରେ ୩୦ଟି ସିଟ୍ ପାଇଁ ୨୦୦୯ ଅଗଷ୍ଟ ୨୮ରେ ରାଜ୍ୟ ସରକାର ଅନୁମତି ଦେଇଥିଲେ । କିନ୍ତୁ ଏଥିପାଇଁ ଫାର୍ମାସି କାଉସିଲ୍ ଅଫ୍ ଇଣ୍ଡିଆ ବା ପିସିଆଇର ଅନୁମୋଦନ ମିଳିନାହିଁ । ଫଳରେ ଏଠାକାର ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର କୌଣସି ଚାକିରି କି ଉଚ୍ଚଶିକ୍ଷା ପାଇଁ କାମରେ ଲାଗୁ ନଥିବାରୁ ପୂର୍ବତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଛନ୍ତି ।
ଏମ.ଫାର୍ମାରେ ନାମଲେଖା ପାଇଁ ଓଜେଇ ପକ୍ଷରୁ ପରୀକ୍ଷା କରି ଛାତ୍ରଛାତ୍ରୀ ଚୟନ କରାଯାଏ । ଗତ ନଭେମ୍ବର ମାସରେ ଏମ୍.ଫାର୍ମାରେ ୨୭ ଜଣ ନାମ ଲେଖାଇଥିବା ପିସିଆଇ ଅନୁମତି ନଥିବା ଜାଣିବା ପରେ ୫ ଜଣ ଟିସି ଉଠାଇ ନେଇଛନ୍ତି । ନାମଲେଖା ପାଇଁ ସେମାନେ ଦେଇଥିବା ୪୦ ହଜାର ଟଙ୍କା ନଷ୍ଟ ହୋଇଛି । ଏନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ କହିଛନ୍ତି, ୨୦୦୯ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅନୁମତି ଆଣାଯାଇଥିଲା । ପିସିଆଇ ଅନୁମତି ପାଇଁ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ।
ସମସ୍ୟା ଏତିକିରେ ସରିନାହିଁ, ୬ଜଣ ଅଧ୍ୟାପକ ବଦଳରେ ଜଣେ ମାତ୍ର ଅତିଥି ଅଧ୍ୟାପକ ଅଛିନ୍ତି । ଏହା ଏକ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି ।