କନକ ବ୍ୟୁରୋ : ଟୁଇନ୍ ସିଟିରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ  ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ଭୁବନେଶ୍ୱର ଏବଂ କଟକରେ ବାୟୁର ମାନ ସୂଚକାଙ୍କ ଖରାପ ହେଉଥିବାରୁ ଆଜିଠାରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନିୟମ ଲାଗୁ କରାଯାଇଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି କଟକଣା ବିଷୟରେ ସୂଚନା ଦେଇ କହିଛନ୍ତି, ଏହି ସମୟ ମଧ୍ୟରେ ଟୁଇନ୍ ସିଟିରେ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରହିବ । ରାସ୍ତାରେ ଧୂଳି କଣିକା ଯୋଗୁଁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପାଣି ଛିଞ୍ଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକ ଏବଂ ଭୁବନେଶ୍ୱରର ବାୟୁ ପ୍ରଦୂଷଣ ସ୍ଥିତିକୁ ବିଭାଗ ପକ୍ଷରୁ ଲଗାତାର ସମୀକ୍ଷା କରାଯାଉଛି ।

Advertisment

ବାୟୁ ପ୍ରଦୂଷଣର ପ୍ରକୃତ କାରଣ ଖୋଜିବା ଏବଂ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୈଜ୍ଞାନିକ, ପରିବେଶ ବିଶେଷଜ୍ଞ ଏବଂ ଇଞ୍ଜିନିୟରମାନେ ଉପସ୍ଥିତ ରହିବେ । ବୈଠକରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଏବଂ ଭବିଷ୍ୟତର ଯୋଜନା ଉପରେ ଆଲୋଚନା କରାଯିବ ।

ଅଧିକ ପଢ଼ନ୍ତୁ---ମିଲର୍ସ ଆନ୍ଦୋଳନ ଅନ୍ୟ କାହା ଦ୍ବାରା ହେଉଛି ପରିଚାଳିତ ହେଉଛି ; ସମବାୟ ମନ୍ତ୍ରୀ

ଅନ୍ୟପଟେ, ଟୁଇନ୍ ସିଟିରେ କଟକଣା କଡ଼ାକଡ଼ି କରାଯାଇଥିବା ବେଳେ ବାଲେଶ୍ୱରରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି । ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ କିଛି ସ୍ଥାନରେ କଟକଣାକୁ ଫୁ’ କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଲୋକମାନଙ୍କୁ ସ୍ୱଚ୍ଛ ବାୟୁ ଯୋଗାଇଦେବା ପାଇଁ ସରକାରଙ୍କ ଏହି ୭ ଦିନିଆ କଟକଣା କେତେଦୂର ସଫଳ ହେଉଛି, ତାହା ଦେଖିବାକୁ ବାକି ରହିଲା ।