କନକ ବ୍ୟୁରୋ : ଭାରତର ଯୁବବର୍ଗ ଯେତେବେଳେ ରୋମାଣ୍ଟିକ୍ ସିନେମା ସୈୟାରା ଦେଖି ପ୍ରେକ୍ଷାଳୟରେ ପାଗଳଙ୍କ ପରି ପ୍ରଳାପ କରୁଥିଲେ ସେତେବେଳେ ସୋସିଆଲ୍ ମିଡିଆରେ ଏହାର ବିଭିନ୍ନ ଭିଡ଼ିଓ ଭାଇରାଲ୍ ହୋଇଥିଲା । ଅନେକ ଯୁବତୀ ହଲରେ ଚେତାଶୂନ୍ୟ ଯାଉଥିଲେ । କେହି କେହି ଅତୀତକୁ ମନେ ପକାଇ ଭେଁ ଭେଁ ହୋଇ କାନ୍ଦୁଥିଲେ । ଆଉ କିଛି ଯୁବକ ସାର୍ଟ ଚିରି ହତାସିଆ ପ୍ରେମିକଙ୍କ ପରି ପ୍ରେକ୍ଷାଳୟରେ ରଡ଼ି ଛାଡୁଥିଲେ ।

Advertisment

ସିନେମା ତ ବହୁତ ଭଲ ଥିଲା କିନ୍ତୁ ଯୁବବର୍ଗଙ୍କ ବ୍ୟବହାର ଦେଖି ମୁଣ୍ଡ ଖରାପ ହେଉଥିଲା । ଦେଶର ଭବିଷ୍ୟତ ପ୍ରେକ୍ଷାଳୟରେ ସର୍ବସାଧାରଣ ଶିଷ୍ଟାଚାର ଭୁଲି ସିନେମା ଗୀତ ଗାଇ କାନ୍ଦି ଉଠୁଥିଲା । ପ୍ରେମୀ ଯୁଗଳଙ୍କ କଥା ତ ନ କହିଲେ ଭଲ । ଯାହାର ଭିଡ଼ିଓ ଆପଣ ସୋସିଆଲ୍ ମିଡିଆରେ ନିଶ୍ଚୟ ଦେଖିଥିବେ । ସମ୍ବେଦନଶୀଳ ହେବା କିଛି ଭୁଲ୍ ନୁହେଁ କିନ୍ତୁ ତା’ବୋଲି ସିନେମା ଦେଖି ଚିତ୍କାର କରି କରି ସର୍ବସାଧାରଣକୁ ଆକୃଷ୍ଟ କରିବା କେତେ ଦୂର ଠିକ୍ । 

ଏ ତ ଗଲା ସିନେମା ସୈୟାରା ପଛରେ ପାଗଳ ହୋଇଥିବା ଯୁବବର୍ଗଙ୍କ ଚିତ୍ର । କିନ୍ତୁ ଏହା ପରେ ପରେ ସିନେମା ଘରେ ରିଲିଜ୍ ହୋଇଥିଲା ଆଉ ଏକ ଆନିମେଟେଡ୍ ସିନେମା ଯାହାର ନାଁ ଥିଲା ମହାବତାର ନରସିହ୍ମା । ଅତି ଉଚ୍ଚକୋଟିର , ସୁନ୍ଦର ଆନିମେଟେଡ୍ ଆର୍ଟ ସହ ମନ୍ତ୍ରମୁଗ୍ଧ କରିଦେଲା ଭଳି ଡାଇଲଗ୍ । ପ୍ରଭୁ ନାରାୟଣ ଏବଂ ଭକ୍ତ ପ୍ରହଲ୍ଲାଦଙ୍କ ଏ ପୌରାଣିକ କାହାଣୀକୁ ଦର୍ଶକ ଖୁବ୍ ପ୍ରେମ ଦେଖାଇଲେ । ଅନେକ ସାଧୁ, ସନ୍ଥଙ୍କୁ ସିନେମା ଦେଖିବା ପାଇଁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା । ଆଧ୍ୟାତ୍ମିକ ଭକ୍ତିଭାବର ଏହି ସିନେମା ଦେଖି ପ୍ରତିଟି ସିନେପ୍ରେମୀଙ୍କ ଆଖିରୁ ଅଶ୍ରୁ ବୋହିଥିଲା କିନ୍ତୁ କେହି ଚିତ୍କାର କରିନଥିଲେ । ପ୍ରଭୁ ନୃସିଂହଙ୍କ ମନ୍ତ୍ର ଉଚ୍ଚାରଣ ବେଳେ ପ୍ରେକ୍ଷାଳୟ କିଛି କ୍ଷଣ ପାଇଁ ମନ୍ଦିର ପାଲଟି ଯାଇଥିଲା । ସାଧୁସନ୍ଥ , କୁନି କୁନି ପିଲା ଏବଂ ବୟସ୍କଙ୍କ ଆଖିରୁ ଧାର ଧାର ଲୁହ ବହିଯାଉଥିଲା । ସିନେମା ଦେଖିବା ପାଇଁ ହଲ୍ ବାହାରେ ଲୋକ ଚପଲ ଓହ୍ଲାଇ ସିଟକୁ ଯାଉଥିଲେ । ଆଉ ସିନେମା ଶେଷ ହେବା ପରେ ପ୍ରଭୁ ନୃସିଂହନାଥଙ୍କ ଭଜନ ଗାଇଥିଲେ । 

ପାଠକବନ୍ଧୁ ଆମେ ଏଠାରେ କେଉଁ ସିନେମା କିମ୍ବା ଉକ୍ତ ବର୍ଗର ଲୋକଙ୍କୁ ଇଙ୍ଗିତ କରି କିଛି କହୁନାହୁଁ । ଯାହାକୁ ଯେଉଁ ସିନେମା ଭଲ ଲାଗିଲା ସେ ସେହି ସିନେମା ଦେଖିବେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ସର୍ବସାଧାରଣ ଶିଷ୍ଟାଚାରର । ସିନେମା ଆମକୁ କ’ଣ ଶିଖାଉଛି ଆଉ ଆମେ କ’ଣ ଶିଖୁଛେ ।