କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଦିନିକିଆ ଫର୍ମାଟରୁ ଅବସର ନେବା ନେଇ ଆଲୋଚନା ହେଉଥିଲା । ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନିଜର ସ୍ପେଲ ସାରିବା ପରେ ରବିନ୍ଦ୍ର ଜାଡେଜା ଯେତେବେଳେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ, ସେତେବେଳେ ଜାଡେଜାଙ୍କ ଅବସର ନେଇ ଗୁଜବ ଆହୁରି ଜୋର ଧରିଥିଲା । ଏବେ ଜାଡେଜା ନିଜେ ତାଙ୍କ ଅବସର ଖବରକୁ ନେଇ ନୀରବତା ଭାଙ୍ଗିଛନ୍ତି ।
ରବିନ୍ଦ୍ର ଜାଡେଜା ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଅବସର ଗୁଜବକୁ ବେକାର କଥା ବୋଲି କହିଛନ୍ତି । ସେ କହିଛନ୍ତି, "ଅଯଥା ଗୁଜବ ପ୍ରଚାର କରନ୍ତୁ ନାହିଁ, ଧନ୍ୟବାଦ ।" ଯେ ଗତ ବର୍ଷ ଭାରତର T-20 ବିଶ୍ୱକପ୍ ବିଜୟ ପରେ ଜାଡେଜା T-20 ଫର୍ମାଟକୁ ଅଲବିଦା କହିଥିଲେ । ଏବେ ଲାଗୁଛି ୩୬ ବର୍ଷୀୟ ଜାଡେଜା ୨୦୨୭ ଦିନିକିଆ ବିଶ୍ୱକପକୁ ଲକ୍ଷ୍ୟ କରିଛନ୍ତି । ବିଶ୍ୱକପ୍ ଆୟୋଜନ ହେବାକୁ ଆହୁରି ଦୁଇ ବର୍ଷ ବାକି ଅଛି ଏବଂ ସେତେବେଳକୁ ଜାଡେଜା ୩୮ ବର୍ଷ ବୟସ୍କ ହୋଇଥିବେ ।
Ravindra Jadeja's Instagram story.
— Mufaddal Vohra (@mufaddal_vohra) March 10, 2025
- SIR JADEJA IS HERE TO STAY...!!! 🇮🇳 pic.twitter.com/nTQNtNxEKo
ଯଦି ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ରବିନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା, ତେବେ ସେ ୩ଟି ଇନିଂସରେ ବ୍ୟାଟିଂ କରି ୨୭ ରନ୍ କରିଥିଲେ । ଜାଡେଜା ୮ ନମ୍ବରରେ ବ୍ୟାଟିଂ କରୁଥିବାରୁ ବୋଧ ହୁଏ ଏହି ସଂଖ୍ୟା ଏତେଟା ଗୁରୁତ୍ୱ ରଖିନପାରେ । କିନ୍ତୁ ତାଙ୍କ ସ୍ପିନ୍ ଯାଦୁରେ ସେ ଟୁର୍ଣ୍ଣାମେଣ୍ଟରେ ୫ ଜଣ ବ୍ୟାଟରଙ୍କ ୱିକେଟ୍ ନେଇଥିଲେ ।
ଦିନିକିଆରୁ ସନ୍ନ୍ୟାସ ନେଇ କ୍ୟାପ୍ଟେନ୍ଙ୍କ ପ୍ରତିକ୍ରିୟା; ପ୍ରେସ୍ମିଟ୍ରେ ସ୍ପଷ୍ଟ କଲେ ରୋହିତ
୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ପୂର୍ବରୁ, ରୋହିତ ଶର୍ମା ଦିନିକିଆ ଫର୍ମାଟରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ସେ ଗତ ବର୍ଷ ହିଁ ନିଜ ଟି-୨୦ କ୍ୟାରିଅରର ଅନ୍ତ ଘଟାଇ ଦେଇଥିଲେ । କିନ୍ତୁ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା କହିଥିଲେ, "ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ଦିନିକିଆ ଫର୍ମାଟରୁ ଅବସର ନେଉନାହିଁ । ଦୟାକରି ମିଥ୍ୟା ଗୁଜବ ଆଉ ପ୍ରଚାର କରନ୍ତୁ ନାହିଁ ।" ନିକଟରେ, ଆଉ ଏକ ଖବର ମଧ୍ୟ ଆସିଛି ଯେ, ବିରାଟ କୋହଲି ଅତି କମରେ ୨୦୨୭ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବେ । ତେବେ ଏ ବିଷୟରେ ଏପର୍ୟ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା କେହି ଦେଇ ନାହାନ୍ତି ।