କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ରୋହିତ ଶର୍ମାଙ୍କ  ଅବସରକୁ ନେଇ ଅନେକ ଆଲୋଚନା କରାଯାଉଥିଲା । ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ରୋହିତ ଶର୍ମା ଅବସର ନେଇପାରନ୍ତି ବୋଲି ଅନୁମାନ କରୁଥିଲେ ଅନେକ କ୍ରିକେଟ ସମୀକ୍ଷକ । ଫାଇନାଲ ମ୍ୟାଚ୍ ପାଖେଇ ଆସିବା ସହ ରୋହିତଙ୍କ ଅବସର ଗୁଜବ ଜୋର ଧରିଥିଲା ।  ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଭାରତର ଐତିହାସିକ ବିଜୟ ପରେ ଏବେ ଅଧିନାୟକ ରୋହିତ ଶର୍ମା ନିଜେ ଦିନିକିଆରୁ ତାଙ୍କ ଅବସର ନେଇ ପ୍ରତିକ୍ରିୟା ଦେଇଛନ୍ତି । ରୋହିତ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ଏବେ ଅବସର ନେବାର କୌଣସି ଯୋଜନା ନାହିଁ ।

Advertisment

ଭାରତ ଚାମ୍ପିୟନ୍ସ ଟ୍ରଫି ବିଜୟୀ ହେବାପରେ, ରୋହିତ ଶର୍ମାଙ୍କୁ ମ୍ୟାଚ୍‌ ପର ସାମ୍ବାଦିକ ସମ୍ମିଳନୀରେ ଅବସର ସମ୍ପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା । ରୋହିତ ନିଜ  ଅବସର ସମ୍ପର୍କରେ ସ୍ପଷ୍ଟ କରି  କହିଛନ୍ତି, "ଏବେ ଅବସର ପାଇଁ କୌଣସି ଯୋଜନା ନାହିଁ । ଯାହା ଚାଲିଛି ତାହା ଜାରି ରହିବ । ମୁଁ ଦିନିକିଆ ଫର୍ମାଟରୁ ଅବସର ଏବେ ନେଉନାହିଁ । ଏବେଠାରୁ, ଦୟାକରି ଗୁଜବକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।" ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ୪ ୱିକେଟ ବିଜୟ ପରେ ରୋହିତଙ୍କ ଏହି ବୟାନ ଆସିଛି । ଫାଇନାଲ ମ୍ୟାଚ୍‌ରେ ସେ ୭୬ ରନର ଏକ ଦମ୍‌ଦାର୍‌  ଇନିଂସ ଖେଳିଥିଲେ । 

ଅଧିନାୟକ ରୋହିତ ଶର୍ମା ଚାମ୍ପିୟନ୍ସ ଟ୍ରଫିର ବିଜୟକୁ ସମଗ୍ର ଦେଶକୁ ଉତ୍ସର୍ଗ କରିଛନ୍ତି । ସେ କହିଥିଲେ ଯେ, ଯେତେବେଳେ ବି ଟିମ୍ ଇଣ୍ଡିଆ ମ୍ୟାଚ୍‌ ଖେଳୁଛି, ସମଗ୍ର ଦେଶବାସୀ ସମର୍ଥନ କରୁଛନ୍ତି । ତେଣୁ ଏହି ବିଜୟ ଦେଶବାସୀଙ୍କୁ ଉତ୍ସର୍ଗ କରୁଛୁ । ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିବା ଶ୍ରେୟସ ଆୟରଙ୍କୁ ଜଣେ ସାଇଲେଣ୍ଟ୍‌ ହିରୋ ବୋଲି କହିଥିଲେ ରୋହିତ ଶର୍ମା ।

ଶ୍ରେୟସ ଆୟରଙ୍କୁ ଆହୁରି ପ୍ରଶଂସା କରି ରୋହିତ କହିଛନ୍ତି, "ଶ୍ରେୟସ ଆୟର ଆମର ସାଇଲେଣ୍ଟ୍‌ ହିରୋ । ମଧ୍ୟକ୍ରମରେ ଆସି, ଆୟର ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଫାଇନାଲ ମ୍ୟାଚ୍‌ରେ ମଧ୍ୟ ସେ ଅକ୍ଷର ପଟେଲଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ । ମୋତେ ମୋ ସାଥୀ ଖେଳାଳିମାନଙ୍କୁ ଅଧିକ କହିବାର ଆବଶ୍ୟକତା ନଥିଲା ।" ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଶ୍ରେୟସ ଆୟର ୪୮ ରନ କରିଥିଲେ ଏବଂ ରୋହିତ ଶର୍ମା ଆଉଟ ହେବା ପରେ, ସେ ଅକ୍ଷର ପଟେଲଙ୍କ ସହ ମିଶି ୬୧ ରନର ଭାଗିଦାରୀ କରିଥିଲେ ଯାହା ଭାରତକୁ ଚାପ ପରିସ୍ଥିତିରୁ ମୁକୁଳିବାରେ ସାହାଯ୍ୟ କରିଥିଲା ।