କନକ ବ୍ୟୁରୋ: ରତନ ଟାଟା । କେବଳ ଗୋଟିଏ ନାମ ନୁହେଁ ଗୋଟେ ବ୍ରାଣ୍ଡ୍ । ଭାରତୀୟ ଶିଳ୍ପ ଜଗତର ଜଣେ ମୁକୁଟ ବିହୀନ ସମ୍ରାଟ । ଉତ୍ତର ପୀଢିର ଉଜ୍ଜଳ ତାରକାମାନଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯଶ ବା ଚିତ୍ତ ବା ସଫଳତା ଧେୟ ହେବା ଉଚିତ ନୁହେଁ, ଜୀବନର ଏକମାତ୍ର ଉଦ୍ଦେଶ୍ୟ ହେଉ ନିଜର ଅବଦାନ ଦ୍ବାରା ଅନ୍ୟର ଜୀବନକୁ ଋଦ୍ଧିମନ୍ତ କରିବା । କିମ୍ବଦନ୍ତି ପୁରୁଷ ରତନ ଟାଟା ଭାରତ ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ଚିର ଲିପିବଦ୍ଧ ନାମ । ସେ କେବଳ ଜଣେ ବିଶିଷ୍ଟ ଉଦ୍ୟୋଗପତି ନଥିଲେ ତା ସହ ଜଣେ ବଦାନ୍ୟ ବ୍ୟକ୍ତି ମଧ୍ୟ ଥିଲେ । ବତିଖୁଣ୍ଟ ପରି ବ୍ୟବସାୟ ସମ୍ରାଜ୍ୟକୁ ଆଲୋକର ଦିଶା ଦେଖାଇଥିଲେ । ମଧ୍ୟବିତ୍ତଙ୍କ ମନ ପଢୁଥିବା, ଗରିବଙ୍କ ସ୍ବପ୍ନ ପାଇଁ ଲଢୁଥିବା ପ୍ରଥମ ଶିଳ୍ପପତି ବୋଧେ ସେ ଥିଲେ । ଜାତି, ଧର୍ମ ,ବର୍ଣ୍ଣର ପାଚେରି ଭାଙ୍ଗି ପ୍ରତିଟି ଭାରତୀୟ ହୃଦୟରେ ଥିଲେ । ପୁଞ୍ଜିପତିର ଖୋଳପା ଭିତରୁ ବାହାରି ଆଦର୍ଶ ବ୍ୟତିକ୍ରମର ଉଦାହରଣ ସାଜିଥିଲେ । ସମାଜରେ ବଞ୍ଚୁଥିବା ପୁଞ୍ଜିପତିଙ୍କଠାରୁ ସେ ଭିନ୍ନ ଥିଲେ, ଦେଖାଣିଆ ଚାକଚକ୍ୟ ଠାରୁ ଦୂରରେ ରହି ସାଧାରଣ ଜୀବନ ବଞ୍ଚୁ ଥିଲେ । ଭାରତୀୟ କୌଣସି ନା କୌଣସି ପଟେ ଟାଟା ଗ୍ରୁପର ଉପଭୋକ୍ତା ଏହା ନିସନ୍ଦେହ । ଲୁଣଠାରୁ ଆରମ୍ଭ କରି ଉଡାଜାହଜ ପର୍ୟ୍ୟନ୍ତ ସବୁ ବ୍ୟବସାୟରେ ସେ ଥିଲେ ପାରଙ୍ଗମ ।
ଅଧିକ ପଢନ୍ତୁ: ଜନ୍ମ ଦିନରେ ମନେ ପଡନ୍ତି ରତନ ଟାଟା : ଶିଳ୍ପ ଜଗତର ସେ ଥିଲେ ବେତାଜ ବାଦଶାହ
୧୯୩୭ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ରତନ ଟାଟା । ପିତାମାତାଙ୍କ ବିବାହ ବିଛେଦ ପାଇଁ ସେ ତାଙ୍କର ପ୍ରାରମ୍ଭିକ ଜୀବନ ଜେଜେ ମା ପାଖରେ କାଟିଥିଲେ । ଜୀବନର ପ୍ରତିଟି ପାଦରେ ସଂଘର୍ଷ ସହ ଲଢି ସେ ବିଶ୍ବ ବିଜୟୀ । ୯ ଅକ୍ଟୋବର ୨୦୨୪ ନିଶାର୍ଧ ରାତିରେ ତାଙ୍କ ଜାବନର ଦୀପ ଲିଭିଯାଇଛି ସତ ତଥାପି ଆଜିବି ଆମ ହୃଦୟରେ ସେ ଅଛନ୍ତି । ବଜାରରେ ତାଙ୍କ ବ୍ରାଣ୍ଡର ସାମଗ୍ରୀ କିଣିଲା ବେଳେ ସେ ମନେପଡନ୍ତି । ନାନୋ କାର ରାସ୍ତାରେ ଦେଖିଲେ ଗରିବର ମନକୁ ଧସେଇ ପଶିଆସନ୍ତି । କେହି କେହି କୁହନ୍ତି ରତନ ଯୁଗ ସରିଲା । କିନ୍ତୁ ଆଜିବି ସେ ମନେପଡନ୍ତି ଦଶ ଦଶନ୍ଧି ପରେ ମଧ୍ୟ ସେ ମନେ ପଡିବେ । କୋର୍ଣ୍ଣେଲ ବିଶ୍ବବିଦ୍ୟାଳୟରୁ ସେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ୧୯୭୫ରେ ହାୱର୍ଡରେ ବିଜନେସ ଶିକ୍ଷା ନେଇଥିଲେ । ୧୯୯୧ରେ ସେ ଟାଟା ଗ୍ରୁପର ଭାର ଗ୍ରହଣ କରିଥିଲେ । ୧୯୯୮ ରେ ଆଣିଥିଲେ ଭାରତୀୟ କାର ଇଣ୍ଡିକା । ୨୦୦୨ରେ ରତନ ଟାଟାଙ୍କ ଗ୍ରୁପ୍ ସଞ୍ଚାର ନିଗମ ଲିମିଟେଡକୁ ଅଧିଗ୍ରହଣ କରିଥିଲେ । ଦୁନିଆର ସବୁଠୁ ଶସ୍ତା କାର ନାନୋ ନିର୍ମାଣ କରିଥିଲେ । ୨୮ ଡିସେମ୍ବର ୨୦୧୨ରେ ଟାଟା ଗ୍ରୁପରୁ ସେ ଅବସର ନେଇଥିଲେ । ବ୍ୟବସାୟର ୬୫% ସେ ଲୋକଙ୍କ ପାଇଁ ଦାନ କରନ୍ତି । ସେ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ ରେ ପଦ୍ମବିଭୂଷଣ ସମ୍ମାନ ପାଇଥିଲେ । ରତନ ଟାଟାଙ୍କ ପ୍ରାୟ ୩,୮୦୦ କୋଟି ଟଙ୍କାର ସମ୍ପତ୍ତି, ଯେଉଁଥିରେ ମୁଖ୍ୟତଃ ଟାଟା ସନ୍ସରେ ତାଙ୍କର ଅଂଶଧନ ଏବଂ ଅନ୍ୟାନ୍ୟ ସମ୍ପତ୍ତି ରହିଛି, ତାହା ମୁଖ୍ୟତଃ ପରୋପକାରୀ ଟ୍ରଷ୍ଟ ରତନ ଟାଟା ଏଣ୍ଡୋମେଣ୍ଟ ଫାଉଣ୍ଡେସନ ଏବଂ ଟ୍ରଷ୍ଟ ପାଇଁ ଉଦ୍ଦିଷ୍ଟ । ଏଥିସହ ସେ ତାଙ୍କ ପରିବାର ଭାଇ ଜିମି, ସାବତ ଭଉଣୀମାନେ, ବନ୍ଧୁ ମେହଲି ମିସ୍ତ୍ରୀ, କର୍ମଚାରୀ ଶାନ୍ତନୁ ନାଇଡୁ ଏବଂ ଏପରିକି ତାଙ୍କ ପୋଷା ପ୍ରାଣୀମାନଙ୍କ ପାଇଁ ମଧ୍ୟ ସମ୍ପତ୍ତିର କିଛି ଅଂଶ ପ୍ରଦାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/28/ratan-tata-2025-12-28-12-52-04.jpg)