କନକ ବ୍ୟୁରୋ : ବିଜନେସ୍ ୱାର୍ଲ୍ଡର ବାଦଶାହ ରତନ ଟାଟା ବ୍ୟବସାୟର ଏକ ବିଶାଳ ଦୁର୍ଗ ଛାଡିଯାଇଛନ୍ତି , ଯାହା ବର୍ତ୍ତମାନ ନୋଏଲ୍ ଟାଟାଙ୍କ ଦ୍ୱାରା ପରିଚାଳିତ ହେଉଛି । କିନ୍ତୁ ବର୍ତ୍ତମାନ ରତନ ଟାଟାଙ୍କ ସମ୍ପତ୍ତି କିଏ ପାଇବ ତାହା ଏକ ବଡ ପ୍ରଶ୍ନ । ସୂଚନା ଅନୁସାରେ ରତନ ଟାଟାଙ୍କ ସମ୍ପତ୍ତିରେ ଅନେକ ଲୋକଙ୍କ ନାଁ ଅଛି । ଯେଉଁଥିରେ ଶାନ୍ତନୁ ନାଇଡୁଙ୍କ ନାଁ ପ୍ରଥମେ ରହିଛି, ଯିଏକି ତାଙ୍କର ଶେଷ ଦିନ ପର୍ଯ୍ୟନ୍ତ ତାଙ୍କ ସାଙ୍ଗରେ ଥିଲେ । ଏହା ବ୍ୟତୀତ ଟାଟା ଗ୍ରୁପର ବିଭିନ୍ନ କମ୍ପାନୀରେ କିଏ କେଉଁ ଭାଗ ପାଇବ ସେ ନେଇ ମଧ୍ୟ ଚର୍ଚ୍ଚା ହେଉଛି । 

Advertisment


ରତନ ଟାଟାଙ୍କର ସବୁଠାରୁ ବଡ ସମ୍ପତ୍ତି ହେଉଛି ଗ୍ରୁପ୍ କମ୍ପାନୀଗୁଡିକରେ ତାଙ୍କର ଅଂଶିଦାର । ଏହା ବ୍ୟତୀତ, ତାଙ୍କର ବଡ ବଡ ବଙ୍ଗଳା, କାର୍ ଏବଂ ଅନ୍ୟାନ୍ୟ ସମ୍ପତ୍ତି ଅଛି ଯାହା ତାଙ୍କ ୱିଲରେ ଉଲ୍ଲେଖ କରାଯାଇଛି । ଆସନ୍ତୁ ଜାଣିବା କେଉଁ ଲୋକ କିମ୍ବା ସଙ୍ଗଠନ ରତନ ଟାଟାଙ୍କ ସମ୍ପତ୍ତି ପାଇବେ । ଟାଟା ଗ୍ରୁପର ଏକ ଚାରିଟେବୁଲ ଟ୍ରଷ୍ଟ ଅଛି , ଏହାକୁ ଦୃଷ୍ଟିରେ ରଖି ରତନ ଟାଟାଙ୍କ ଅଂଶଧନକୁ ରତନ ଟାଟା ଏଣ୍ଡୋମେଣ୍ଟ ଫାଉଣ୍ଡେସନ୍ (ଆରଟିଇଏଫ୍) କୁ ହସ୍ତାନ୍ତର କରାଯିବ ।

କୋଲାବାରେ ଥିବା ହଲେକାଇ ହାଉସ୍, ଯେଉଁଠାରେ ରତନ ଟାଟା ତାଙ୍କର ଶେଷ ଦିନ ପର୍ଯ୍ୟନ୍ତ ରହୁଥିଲେ । ଏହା ଏବେ ଟାଟା ସନ୍ସର ୧୦୦% ସହାୟକ କମ୍ପାନୀ ଇଭାର୍ଟ ଇନଭେଷ୍ଟମେଣ୍ଟର ମାଲିକାନା ପାଖରେ ଅଛି କିନ୍ତୁ ଏହାର ଉତ୍ତରାଧିକାରୀ ଭବିଷ୍ୟତରେ ଇୱାର୍ଟ ଦ୍ୱାରା ସ୍ଥିର ହେବ । ରତନ ଟାଟା ନିଜେ ଉଭୟ ହଲେକାଇ ହାଉସ୍ ଏବଂ ଆଲିବାଗ ବଙ୍ଗଳାକୁ ଡିଜାଇନ୍ କରିଥିଲେ, କିନ୍ତୁ ବଙ୍ଗଳା ବିଷୟରେ କିଛି ସ୍ପଷ୍ଟ ଲେଖିନାହାନ୍ତି । ଟାଟା ସନ୍ସ ସେୟାର , ଟାଟା ମୋଟର୍ସ ସମେତ ଅନ୍ୟ ଟାଟା ଗ୍ରୁପ୍ କମ୍ପାନୀଗୁଡିକ RTEF କୁ ସ୍ଥାନାନ୍ତରିତ ହେବ । ରତନ ଟାଟାଙ୍କର ୨୦-୩୦ କାରର କଲେକ୍ସନ୍ ଥିଲା , ଯାହା ବର୍ତ୍ତମାନ ହଲେକାଇ ରେସିଡେନ୍ସ ଏବଂ କୋଲାବାରେ ଥିବା ତାଜ୍ ୱେଲ୍ସ ଲିଙ୍ଗଟନ୍ ମିଉସ୍ ସର୍ଭିସ୍ ଆପାର୍ଟମେଣ୍ଟରେ ରଖାଯାଇଛି । ପରେ ଏହା ପୁଣେ ସଂଗ୍ରହାଳୟରେ ପ୍ରଦର୍ଶିତ ହେବ କିମ୍ବା ଟାଟା ଗ୍ରୁପ୍ ଦ୍ୱାରା ନିଲାମ ହେବ ବୋଲି ବିଚାର କରାଯାଇଛି ।