କନକ ବ୍ୟୁରୋ :  ବିଶିଷ୍ଟ ଯୁବ କବି, ଗାଳ୍ପିକ ତଥା ସ୍ତମ୍ଭକାର ରାକେଶ ପଣ୍ଡାଙ୍କ ପୁସ୍ତକ ‘ନିରୁର୍ଦ୍ଧିଷ୍ଟ ନୀରବତା’ (ଲଳିତ ନିବନ୍ଧ ସଂକଳନ), ଓଡିଶାର ଉପ-ମୁଖ୍ୟମନ୍ତ୍ରୀ, ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ଭୁବେନେଶ୍ଵର ସ୍ଥିତ ବାସଭବନ କାର୍ଯ୍ୟାଳୟରେ   ଉନ୍ମୋଚିତ ହୋଇଯାଇଛି ।
Advertisment
ସୂଚନାଯୋଗ୍ୟ ଯେ,  ପଣ୍ଡାଙ୍କ ଦ୍ଵାରା ରଚିତ ଏବଂ ସାଧନା ଛପାଛପି ପବ୍ଲିକେସନ୍ସ ଦ୍ଵାରା ପ୍ରକାଶିତ ଏହି ପୁସ୍ତକରେ  ତିରିଶରୁ ଅଧିକ ହୃଦୟ ଛୁଆଁ ନିବନ୍ଧ ସ୍ଥାନିତ ହୋଇଛି । ଯେଉଁ ଆଲେଖ୍ୟ ଗୁଡିକରେ ଆଲୋକପାତ ହୋଇଛି  ସାଧାରଣ ମଣିଷଟିଏର ବାସ୍ତବ ଜୀବନ ଜିଇଁବାରେ ଲୁଚିରହିଥିବା ଅନେକ ସାଧାରଣ ତଥା ସାମାଜିକ ସମସ୍ୟା । ଯାହା ପାଠକ, ପାଠିକାଙ୍କ ମନ, ଆଶା, ଆକାଂକ୍ଷା ଏବଂ ପଠନର ଶୂନ୍ୟତାକୁ ଅନେକ ମାତ୍ରାରେ ପୂରଣ କରିବା ସହ ଏକ ସମାଧାନର ରାସ୍ତା ପ୍ରଦାନ କରିବ ବୋଲି ଆଶା କରାଯାଏ । ଏହି ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ରାକେଶ  ପଣ୍ଡାଙ୍କୁ ଅନେକ ଶୁଭେଛା ଜଣାଇବା ସହ ତାଙ୍କର ଆଗାମୀ ଲେଖକୀୟ ଯାତ୍ରା ନିମନ୍ତେ ଶୁଭକାମନା ପ୍ରଦାନ କରିଛନ୍ତି ।  ପୁସ୍ତକଟି ରାଜ୍ୟର ବିଭିନ୍ନ ପୁସ୍ତକ ଭଣ୍ଡାର ସହ ଅନଲାଇନ କ୍ରୟ ନିମନ୍ତେ ଆମାଜୋନରେ ବର୍ତ୍ତମାନ ଉପଲବ୍ଧ ଅଟେ ।
ଉଲ୍ଲେଖଯୋଗ୍ୟ, ରାକେଶ  ପଣ୍ଡା ହେଉଛନ୍ତି କଟକ ଜିଲ୍ଲାସ୍ଥିତ ବନ୍ଦାଳୋ ଗ୍ରାମର ଦମୟନ୍ତୀ ପଣ୍ଡା ଓ ଶ୍ରୀ ଗୌରାଙ୍ଗ ଚରଣ ପଣ୍ଡାଙ୍କର ସୁପୁତ୍ର । ସେ ପ୍ରକାଶ କରନ୍ତି, ଗଳ୍ପ, ପ୍ରବନ୍ଧ, ସ୍ତମ୍ଭ ଓ କବିତା ଲେଖିବା ହେଉଛି ତାଙ୍କର ପ୍ରବୃତ୍ତି, ଅନ୍ତରର ଆବେଗ ଏବଂ ବଞ୍ଚିବାର ଏକ ଭିନ୍ନ କାରଣ । ଜୀବନର ଉଭୟ ବୃତ୍ତି ଓ ବ୍ୟକ୍ତିଗତ ବ୍ୟସ୍ତ ବହୁଳ ସମୟ ମଧ୍ୟରୁ ସମୟ ବାହାର କରି ମନ ମଧ୍ୟରେ ସୃଷ୍ଟି ହେଉଥିବା ବ୍ୟଗ୍ରତା  ଓ ଭାବନାକୁ ସେ ନିଜ ଲେଖନୀ ସାହାଯ୍ୟରେ ଶବ୍ଦରେ ରୂପାନ୍ତରିତ କରିଥାନ୍ତି ଏବଂ ସେଥିରୁ ଯେଉଁ ଅଜଣା ଅନୁଭବ, ଖୁସି ଓ ଉପଲବ୍ଧି ପ୍ରାପ୍ତ ହୋଇଥାଏ ତାହା ଅବର୍ଣ୍ଣନୀୟ ଅଟେ । ବିଗତ ଦୀର୍ଘ ୧୭ ବର୍ଷର ନିରନ୍ତର ଯାତ୍ରାର ଯାତ୍ରୀଟିଏ ସାଜି, ଗଳ୍ପ, ପ୍ରବନ୍ଧ ଓ କବିତା ରୂପରେ ପ୍ରାୟ ୮୦୦ ରୁ ଅଧିକ ଲେଖା ଲେଖି ସାରିଛନ୍ତି । ତନ୍ମଧ୍ୟରୁ ପାଖାପାଖି ୪୦୦ ଲେଖା ବିଭିନ୍ନ ଅଗ୍ରଣୀ ଦୈନିକ ଓଡିଆ ସମ୍ବାଦପତ୍ରରେ ପ୍ରକାଶିତ ହୋଇଅଛି ।  (ରାକେଶ ପଣ୍ଡା),  ମୋ: ୯୩୩୭୮୯୭୬୫୦