କନକ ବ୍ୟୁରୋ: ଅନେକ ଶବ୍ଦ ଆଜିକା ପିଲାଙ୍କ ପାଇଁ ଅଜଣା ହେଲାଣି । ଆଗକୁ ସେ ସବୁ ଶବ୍ଦ ଶୁଣି ପିଲାଏ ଆଶ୍ଚର୍ଯ୍ୟ ହେବେ, ହଜିଯିବ ବସିଲାଣି ଆମ ସଂସ୍କୃତି ଓ ପରମ୍ପରା । ହେଲେ ରାଜକିଶୋର ସାରଙ୍କର ଗୋଟିଏ ଜିଦ୍ ଏଭଳି ହେବାକୁ ଦେବେନି । ସେଥିପାଇଁ ତ ଦିନ ରାତି ଲାଗପଡିଛନ୍ତି। ବହି ଲେଖି ତା’ର ପ୍ରତିଟି ପୃଷ୍ଠାରେ ସାଇତି ରଖୁଛନ୍ତି ଓଡିଆ ଭାଷାର ପରିଚୟକୁ । ପରିଚିତ କରାଉଛନ୍ତି ପ୍ରତିଟି ଶବ୍ଦକୁ, ପ୍ରତିଟି ବ୍ୟବହାର ଓ ଆଚରଣକୁ।

Advertisment

ଖୋର୍ଦ୍ଧା ବେଗୁନିଆ ବ୍ଲକ କଣ୍ଟାବାଡ ଗାଁର ରାଜକିଶୋର ସାର୍। ସାରଙ୍କୁ ଦେଖିଲେ ଲାଗୁନି ସେ ୮୦- ବର୍ଷରେ ପାଦ ଥାପିଲେଣି। ବୟସ ଢେର ବଢିଯାଇଛି, ହେଲେ ବୟସର ଛାପ କିନ୍ତୁ ଦେଖାଯାଉନି। ରାଜକିଶୋର ସାର୍ ପରା ପ୍ରେମରେ ପଡିଯାଇଛନ୍ତି , ବହିର ପ୍ରେମ ତାଙ୍କୁ ପାଗଳ କରିଛି । ପ୍ରେମରେ ବୟସ ପୁଣି କ’ଣ ଯେ, ସେଠି ତ ଭାବନା ସବୁକିଛି। ଏଇ ଭାବନା ହିଁ ତ ମନକୁ ସତେଜ ରଖେ । ବୋଧହୁଏ ରାଜକିଶୋର ସାରଙ୍କ ଦେହ ମନକୁ ସୁସ୍ଥ ଆଉ ଚଳଚଞ୍ଚଳ ରଖିଛି ବହି ପାଇଁ ତାଙ୍କ ପାଗଳାପି ଆଉପ୍ରେମ ।ଚାକିରିରୁ ଅବସର ପରେ ଦିନ ରାତି ତାଙ୍କୁ ନିଅଣ୍ଟ । ମନରେ ଯେବେବି କିଛି ଭାବନା ଉଙ୍କିମାରେ ଡେରି ନକରି ତାକୁ କାଗଜରେ ଉତାରି ଦିଅନ୍ତି ।

ଲେଖୁ ଲେଖୁ ୧୯ ବର୍ଷରେ ୩୨ରୁ ଅଧିକ ବହି ରଚନା କରିସାରିଲେଣି । ଆହୁରି ଅନେକ ନିଜର ସୃଷ୍ଟି ପଥରେ ଅଗ୍ରସର ହେଉଛନ୍ତି । ତାଙ୍କର ଗୋଟିଏ ଲକ୍ଷ୍ୟ ପିଲାଠାରୁ ବୟସ୍କ ସମସ୍ତେ ପଢିବେ, ଆଗକୁ ବଢିବେ, ତାଙ୍କ ବହି ପଢି ପିଲାଏ ସଂସ୍କାର ପାଇବେ, ଯୁବକ ଆଗକୁ ବଢିବାର ବାଟ ପାଇବେ ଆଉ ବୟସ୍କ ଜୀବନର ଶେଷ ସମୟରେ ବି ଜୀବନର ମାଧୁର୍ଯ୍ୟ ଅନୁଭବ କରିପାରିବେ। ଯିଏ ବହି କିଣିନପାରୁଛନ୍ତି ସେମାନଙ୍କୁ ମାଗଣାରେ ବହି ବାଣ୍ଟୁଛନ୍ତି ରାଜକିଶୋର ସାର୍।

ଅନେକ ରୁଚିର ବହି ଲେଖୁ ଲେଖୁ ଆସିଲା ପ୍ରେମର ପାଳି । କେହି କେହି କହିଲେ ଏତେ ସବୁ ଲେଖିଲା ପରେ ବି ମୁଖ୍ୟ ଭାଗଟି ରହିଗଲା ଯେ,,, ପ୍ରେମ କବିତା କାହିଁ। ବାସ୍ …ବୟସର ବିପରୀତରେ ଜିଦଖୋର ହୋଇ ଛିଡାହେଲେ ରାଜକିଶେର ସାର୍। ଲେଖିଲେ ପ୍ରେମ କବିତା, ପ୍ରେମକୁ ନେଇ ତାଙ୍କର ତାଙ୍କର ପ୍ରଥମ ସୃଷ୍ଟି ’ପ୍ରେମର ଠିକଣା ’। ଏହାପରେ ସେ ଲେଖିଚାଲିଲେ’ପ୍ରୀତି ଦିପାଳୀ , ପ୍ରେମ ଏମିତି ଅନେକ ପୁସ୍ତକ ।

କେବଳ ବହି ପାଇଁ ଭଲପାଇବା ନୁହେଁ ନିଜ ସମାଜ ପ୍ରତି ମଧ୍ୟ ତାଙ୍କର ଅବଦାନ ରହିଛି । କିଛି ନହେଲେ ନିଜ ଗାଁର ସାଂସ୍କୃତିକ ପୃଷ୍ଠଭୂମମିକୁ ବଜାୟ ରଖିବାକୁ ଅଣ୍ଟା ବାନ୍ଧିଛନ୍ତି ରାଜକିଶୋର ସାର୍ । ଗାଁରେ ଆୟୋଜନ କରନ୍ତି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ତେଣୁ ଗାଁର ହାନୀଲାଭରେ ତାଙ୍କୁ ଖୋଜାପଡେ।

ପ୍ରକୃତରେ ଆଜିକାର ଅବକ୍ଷୟ ମୁହାଁ ସମାଜରେ ରାଜକିଶୋର ସାରଙ୍କ ଭଳି ବ୍ୟକ୍ତି ସଂରକ୍ଷଣର ସତ୍ତା। ଆଉ ଏଭଳି ସତ୍ତା ଯେ ଅନେକ ସୃଜନାର ସମ୍ଭାବନା ଏହାକୁ ଅସ୍ବୀକାର କରିହେବନି।